କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର: ୨୩ ବର୍ଷୀୟ ଯୁବକଙ୍କ ଲାଗିଲା କୃତ୍ରିମ ନିତମ୍ବ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ୨୩ ବର୍ଷୀୟ ଜଣେ ଯୁବକଙ୍କ ସଫଳ ଅସ୍ତ୍ରୋପଚାର କରାଯାଇ କୃତ୍ରିମ ନିତମ୍ବ (ହିପ୍‌) ଲଗାଯାଇଛି। ଯୁବକଜଣକ ହେଉଛନ୍ତି, କେନ୍ଦ୍ରାପଡ଼ା ରାଜନଗର ବୈଲୋଚନ ସାହୁଙ୍କ ପୁଅ ଦୀପକ। ସୂଚନାନୁଯାୟୀ, ଦୀପକ ଦିଲ୍ଲୀରେ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିଲେ। ଗତବର୍ଷ ଲକଡାଉନ୍‌ରେ ଗାଁକୁ ଆସିଥିଲେ। କ୍ରିକେଟ୍ ଖେଳୁଥିବା ବେଳେ ହଠାତ୍ ଗୋଡ଼ରେ ଯନ୍ତ୍ରଣା ଅନୁଭବ କଲେ। ଔଷଧ ଖାଇବାରୁ ଯନ୍ତ୍ରଣା କମି ଯାଇଥିଲା। ମେ’ରେ ପୁଣି ଦିଲ୍ଲୀ ଫେରି ଯାଇଥିଲେ। କିଛି ଦିନ ପରେ ପୁଣି ଯନ୍ତ୍ରଣା ହେବାରୁ ଗାଁକୁ ଫେରିଥିଲେ। ଧୀରେଧୀରେ ଅକର୍ମଣ୍ୟ ହୋଇଗଲେ। ପରିବାରଲୋକେ ତାଙ୍କ ଚିକିତ୍ସା ଲାଗି ବହୁ ହସ୍ପିଟାଲ ବୁଲିଥିଲେ ହେଁ କିଛି ଫଳ ମିଳି ନଥିଲା। ଶେଷରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା। ଅସ୍ଥିଶଲ୍ୟ ବିଭାଗର ଡାକ୍ତର ସୁବ୍ରତ ମହାନ୍ତି ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ପରୀକ୍ଷାନିରୀକ୍ଷା ପରେ ତାଙ୍କର ନିତମ୍ବ ନଷ୍ଟ ହୋଇଥିବା ଜଣାପଡ଼ିଥିଲା। ତେଣୁ ଗତ ୧୭ତାରିଖରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କର ବାମପଟ ନିତମ୍ବ କଢ଼ାଯାଇ କୃତ୍ରିମ ନିତମ୍ବ ଲଗାଯାଇଛି। ସଫଳ ଅସ୍ତ୍ରୋପଚାର ଯୋଗୁଁ ୧୯ତାରିଖରୁ ଦୀପକ ଚଲାବୁଲା ଆରମ୍ଭ କରିଛନ୍ତି। ତେବେ ଏହି ଅପରେସନ୍ ପାଇଁ ଦୀପକଙ୍କ ପରିବାରକୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିନାହିଁ। ଏହାକୁ ନେଇ ଦୀପକ ଓ ତାଙ୍କ ବାପା ବୈଲୋଚନ ସାହୁ ବେଶ୍ ଖୁସି ଅଛନ୍ତି।

ଏ ସଂପର୍କରେ ଡାକ୍ତର ମହାନ୍ତି କହିଛନ୍ତି, ‘ଲୋ ଇନସିଜନ୍ ଆପ୍ରୋଚ ଟେକନିକ୍‘ ବା ‘ମିନିମାଲ୍ ଇନଭେନସିଭ୍ ଟେକନିକ’ ପଦ୍ଧତିରେ ଏହି ଅପରେସନ୍ କରାଯାଇଛି। ଏହି ପଦ୍ଧତିରେ ଅସ୍ତ୍ରୋପଚାର କରାଗଲେ ରୋଗୀର ସଂକ୍ରମଣ ହାର ମଧ୍ୟ କମ୍‌ ରହିଥାଏ। ଯଦି ହସ୍ପିଟାଲରେ ଉନ୍ନତଧରଣର ଅପରେସନ୍ ଥିଏଟର(ଓଟି)ର ସୁବିଧା ଥା’ନ୍ତା, ଦୁଇଟି ଯାକ ନିତମ୍ବ ଏକାଥରକେ ବଦଳା ଯାଇପାରିଥାନ୍ତା। ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲରେ ଏଭଳି ଅସ୍ତ୍ରପୋଚାର ଖୁବ୍ କମ ହୋଇଥାଏ। ପୂର୍ବରୁ ଏହିଭଳି ଅସ୍ତ୍ରପୋଚାର ମାତ୍ର ୩ ଜଣଙ୍କର ହୋଇଛି।

ସମ୍ବନ୍ଧିତ ଖବର