କୋଭିଡ୍‌ ସଂକ୍ରମିତ ବାଳିକାଙ୍କ ସଫଳ ଅସ୍ତ୍ରୋପଚାର, ଆପେଣ୍ଡିସାଇଟିସରେ ପୀଡ଼ିତ ଥିଲେ

ଭୁବନେଶ୍ବର : କୋଭିଡ୍‌ ସଂକ୍ରମିତ ଜଣେ ୧୧ବର୍ଷୀୟା ବାଳିକାର ସମ୍‌ କୋଭିଡ୍‌ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର କରାଯାଇଛି। ଆପେଣ୍ଡିସାଇଟିସ୍‌ରେ ପୀଡ଼ିତ ଥିବା ବାଳିକାଙ୍କର ଅସ୍ତ୍ରୋପଚାର ଜରିଆରେ ସମ୍ ଶିଶୁରୋଗ ବିଭାଗର ଡାକ୍ତର ସୁସ୍ଥ କରିପାରିଛନ୍ତି। ପଟିଆ ଅଞ୍ଚଳର ଏହି ବାଳିକାର ତଳିପେଟରେ ଯନ୍ତ୍ରଣା ହେବା ସହିତ ଚିକିତ୍ସା ପାଇଁ ଗତ ୨୭ ତାରିଖରେ ସମ୍ ହସ୍ପିଟାଲକୁ ଆସିଥିଲେ। ପରୀକ୍ଷାନିରୀକ୍ଷା ସମୟରେ ସେ କୋଭିଡ୍‌ ସଂକ୍ରମିତ ଥିବା ଜଣାପଡ଼ିବା ପରେ ତାଙ୍କୁ ସମ୍ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସମସ୍ତ କୋଭିଡ୍‌ ନିୟମକୁ ପାଳନ କରି ବାଳିକାଟିର ଆସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ସମୟରେ ପେଟରେ ପ୍ରାୟ ଦେଢ଼ ସେମିର ଷ୍ଟୋନ୍ ଥିବା ମଧ୍ୟ ଜଣାପଡ଼ିଥିଲା। ଡାକ୍ତରୀ ଭାଷାରେ ଏହାକୁ ପଫୋରେରେଟଡ୍‌ ଆପେଣ୍ଡିସାଇଟିସ୍ ୱିଥ୍ ଫେକୋଲିଥ ଓ ପ୍ୟାୟୋପେରିଟୋରିନିୟମ କୁହାଯାଉଥିବା କହିଛନ୍ତି ହସ୍ପିଟାଲର ଶିଶୁରୋଗ ଅସ୍ତ୍ରୋପଚାର ବିଭାଗର ଆସୋସିଏଟ ପ୍ରଫେସର ଡା. ଲଳିତ ପରିଡ଼ା। ଅସ୍ତ୍ରୋପଚାରରେ ଡା. ପରିଡ଼ାଙ୍କୁ ସହାୟତା କରିଥିବା ଆନାସ୍ଥେସିଓ‌ଲୋଜି ବିଭାଗର ପ୍ରଫେସର ଡା. ସ୍ବସ୍ତିକା ସ୍ବାରୋ ସହାୟତା କରିଥିଲେ। ଅସ୍ତ୍ରୋପଚାର ପରେ ବାଳିକାଟିର ଆଇସିୟୁରେ ଯତ୍ନ ନେଇଥିଲେ ଶିଶୁରୋଗ ବିଭାଗର ସହକାରୀ ପ୍ରଫେସର ଡା. ମୃଣ୍ମୟ ଦାସ ମହାପାତ୍ର ଓ ଡା.ଶୁଭଶ୍ରୀ ବେହେରା।

ସମ୍ବନ୍ଧିତ ଖବର