ଭୁବନେଶ୍ୱର: ବିରଳ ସ୍କଲବେସ୍ ବ୍ୟାଧିରେ ପୀଡ଼ିତ ଇରାକ୍ ନାଗରିକଙ୍କ ସମ୍ ଅଲ୍ଟିମେଟ୍ ମେଡିକେୟାର(ସମ୍ମମ୍)ରେ ସଫଳ ଅସ୍ତ୍ରୋପଚାର କରାଯାଇଛି। ୭୭ ବର୍ଷୀୟ ହାସୁନ୍ ଓଏଦ୍ ଓଗ୍ଲା ଅଲ୍-ସାଦାୱି ସେଣ୍ଟ୍ରାଲ ସ୍କଲ୍ବେସ୍ ଓଷ୍ଟିଓମାଇଲାଇଟିସ୍ ବ୍ୟାଧିରେ ପୀଡ଼ିତ ଥିଲେ। ଇରାକ୍ରେ ଏହାର ଚିକିତ୍ସା ସୁବିଧା ନ ଥିବାରୁ ତାଙ୍କ ପରିବାର ଚିକିତ୍ସା ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ଥିବା ଭୁବନେଶ୍ବରର ସମ୍ମମ୍(ସମ୍ ଅଲ୍ଟିମେୟାର୍ ମେଡିକେୟାର୍)କୁ ବାଛିଥିଲେ। ଏହା ଦ୍ବାରା ଚିକିତ୍ସା ପର୍ଯ୍ୟଟନରେ ସମ୍ମମ ନୂଆ ସମ୍ଭାବନା ସୃଷ୍ଟି କରିଛି। ସମ୍ମମ୍ର ଇଏନ୍ଟି ଆଣ୍ଡ ସ୍କଲବେସ୍ ସର୍ଜରି ବିଭାଗର ମୁଖ୍ୟ ଡା. ରାଧାମାଧବ ସାହୁଙ୍କ ସହ ଅଲ୍-ସାଦାୱିଙ୍କର ବ୍ୟାଧି ସମ୍ପର୍କରେ ଆଲୋଚନା ପରେ ହାସୁନ୍ଙ୍କର ଏହି ଅସ୍ତ୍ରୋପଚାର କରାଯାଇଥିଲା।
ନ୍ୟୁରୋଆନେସ୍ଥେସିଷ୍ଟ ଡା. ପ୍ରଶାନ୍ତ ବେହେରା ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ବରିଷ୍ଠ ପରାମର୍ଶଦାତା ଡା. ଅଭିଜିତ ରାହା ଅସ୍ତ୍ରୋପଚାରରେ ସହଯୋଗ କରିବା ସହ ସେ ସୁସ୍ଥ ହେବା ପର୍ଯ୍ୟନ୍ତ ତଦାରଖ କରିଥିଲେ। ୮ ଦିନ ପରେ ତାଙ୍କୁ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଥିଲା। ସମ୍ମମ୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡା. ରାଧାମାଧବ ସାହୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ସାହୁ କହିଛନ୍ତି, ଏହା ମୁଖ୍ୟତଃ ବ୍ୟାକ୍ଟେରିଆ କିମ୍ବା ଫଙ୍ଗସ୍ ଦ୍ୱାରା ଅତ୍ୟଧିକ ମଧୁମେହ ଥିବା ବ୍ୟକ୍ତି ଏବଂ କୋଭିଡ୍ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ନିକଟରେ ଦେଖାଦେଇଥାଏ। ପ୍ରାଥମିକ ସ୍ତରରେ ଜଣାପଡ଼ିଲେ, ଏହାର ସଫଳ ଚିକିତ୍ସା କରାଯାଇପାରେ।
ସମ୍ମମ୍ର ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର୍ ଡା. ଶ୍ୱେତପଦ୍ମା ଦାଶ କହିଛନ୍ତି, ପୂର୍ବରୁ ଉତ୍ତମ ଚିକିତ୍ସା ନିମନ୍ତେ ଓଡ଼ିଶାର ଲୋକମାନେ ରାଜ୍ୟ ବାହାରକୁ ଯାଉଥିଲେ। ଏପରିକି ବିଦେଶରୁ ଆସୁଥିବା ରୋଗୀ ମୁମ୍ବାଇ, ବେଙ୍ଗାଲୁରୁ ଭଳି ସହର ଚୟନ କରିଥିଲେ। ମାତ୍ର ବିଦେଶରୁ ରାଜ୍ୟକୁ ପ୍ରଥମ କରି ରୋଗୀ ଆସିବା ବଡ଼ କଥା ବୋଲି ସେ କହିଛନ୍ତି। ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର୍ ମନୋଜରଞ୍ଜନ ନାୟକଙ୍କ ଉଦ୍ୟମ ଏବେ ବାସ୍ତବ ରୂପ ନେଉଛି ବୋଲି ସେ କହିଛନ୍ତି। ଚିକିତ୍ସା ପର୍ଯ୍ୟଟନ କ୍ଷେତ୍ରରେ ଭୁବନେଶ୍ୱର ଆଗାମୀ ଦିନରେ ନିଜ ସ୍ଥାନ ହାସଲ କରିବ ବୋଲି ସମ୍ମମ୍ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର୍ ବିରାଜ ମୋହନ ମିଶ୍ର କହିଛନ୍ତି।