ଭୁବନେଶ୍ବର: ଭୁବନେଶ୍ବର ଆମ୍ରି ହସ୍ପିଟାଲ୍‌ରେ ବ୍ରେନ୍‌ଷ୍ଟ୍ରୋକ୍‌ରେ ପୀଡ଼ିତ‌ା ଜଣେ ଯୁବତୀଙ୍କ ସଫଳ ଚିକିତ୍ସା କରାଯାଇଛି। ପିଏଫ୍‌ଓ ଡିଭା‌ଇସ୍‌ କ୍ଲୋଜର୍‌ ପଦ୍ଧତିରେ ଏହି ବିରଳ ଚିକିତ୍ସା ତଥା ଅସ୍ତ୍ରୋପଚାର କରାଯାଇଛି। ଏହି ୨୫ ବର୍ଷୀୟା ଯୁବତୀ ବ୍ରେନ୍‌ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ଆମ୍ରି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଡାକ୍ତର ଆକାଶ ଅଗ୍ରୱାଲ୍‌ ଓ ତାଙ୍କ ସହଯୋଗୀ ଟିମ୍‌ ଅନୁଧ୍ୟାନ କରି ଜାଣିବାକୁ ପାଇଥିଲେ ଯେ ଏହା ସ୍ବାଭାବିକ ଷ୍ଟ୍ରୋକ୍‌ ନୁହେଁ। ହୃତ୍‌ପିଣ୍ଡ‌‌ରେ ଏକ ଛିଦ୍ର ସୃଷ୍ଟି ହୋଇଥିବାରୁ ଏହି ମାରାତ୍ମକ ଷ୍ଟ୍ରୋକ୍‌ ହୋଇଛି।

Advertisment

ତେଣୁ ହୃଦ୍‌ରୋଗ ବିଶେଷଜ୍ଞ ଦିବ୍ୟରଞ୍ଜନ ବେହେରାଙ୍କ ପରାମର୍ଶ ନିଆଯାଇଥିଲା। ଡାକ୍ତର ଶ୍ରୀ ବେହେରା ବବୁଲ୍‌ କଂଟ୍ରାଷ୍ଟ ଓ ଅନ୍ୟାନ୍ୟ ସ୍ବତନ୍ତ୍ର ପରୀକ୍ଷ‌ା ମାଧ୍ୟମରେ ରୋଗର ଅନୁଧ୍ୟାନ କରିଥିଲେ। ଶେଷରେ ଡା. ବେହେରା ଓ ତାଙ୍କ ହୃ‌ଦ୍‌ରୋଗ ଡାକ୍ତରୀ ଟିମ୍‌ ଆମ୍ପ୍‌ଲାଟାଜର୍‌ ପିଏଫ୍‌ଓ ଓକ୍ଲୁଡ୍‌ ବ୍ୟବହାର କରି ପିଏଫ୍‌ଓ ଡିଭାଇସ୍‌ କ୍ଲୋଜର ପଦ୍ଧତି‌ରେ ହୃତ୍‌ପିଣ୍ଡ‌ରେ ହୋଇଥିବା ଛିଦ୍ରକୁ ବନ୍ଦ କରିଥିଲେ।