ଭୁବନେଶ୍ବର: ବଡ଼ ଧରଣର ଅସ୍ତ୍ରୋପଚାର ବିନା ଏମ୍‌ସରେ ଲିଭର୍‌ କ୍ୟାନସର୍‌ର ସଫଳ ଚିକିତ୍ସା ହୋଇଛି। ରେଡିଓଲୋଜି, ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଏବଂ ମେଡିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିର ଡାକ୍ତରୀ ଦଳ ଏହି ଚିକିତ୍ସା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ପଦ୍ଧତିରେ ଲିଭର କ୍ୟାନସରରେ ପୀଡ଼ିତ ୩ଜଣଙ୍କ ଚିକିତ୍ସା ହୋଇପାରିଛି। ସେଥମଧ୍ୟରୁ ଜଣେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିବା ବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ସ୍ଥିର ରହିଛି।
ହେପାଟାଇଟିସ୍‌ ବି ଏବଂ ଅତ୍ୟଧିକ ମଦ୍ୟପାନ ଜନିତ କାରଣରୁ ଲିଭର୍‌ ସିରୋସିସ୍‌ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ଲିଭର ସିରୋସିସ୍‌ ରୋଗୀଙ୍କ ନିକଟରେ ବର୍ତ୍ତମାନ ଲିଭର୍‌ କ୍ୟାନସର୍‌ ଚିହ୍ନଟ ହେଉଛି। ଏଥିପାଇଁ ସେମାନଙ୍କ ନିୟମିତ ସ୍କ୍ରିନିଂ କରାଯାଉଛି। ତେବେ ଏହାର ଚିକିତ୍ସା ଲାଗି ପେଟରେ ବଡ଼ଧରଣର ଏକ ଅସ୍ତ୍ରୋପଚାର କରାଯାଇଥାଏ, ଯାହା ରୋଗୀଙ୍କୁ ଦୁର୍ବଳ କରିଦିଏ ଏବଂ ରୋଗୀକୁ ସ୍ବାଭାବିକ ହେବାକୁ ବହୁ ଦିନ ଲାଗିଯାଏ।

Advertisment

ଅନେକ ଦିନ ପର୍ଯ୍ୟନ୍ତ ଅସ୍ତ୍ରୋପଚାରର ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ଅନୁଭୂତ ହୋଇଥାଏ। ଏମ୍‌ସ ଡାକ୍ତର ତାରାପ୍ରସାଦ ତ୍ରିପାଠୀଙ୍କ ସୂଚନା ଅନୁସାରେ, ଚଳିତ ବର୍ଷରୁ ଏମ୍‌ସରେ ଆରମ୍ଭ ହୋଇଥିବା ରେଡିଓଫ୍ରିକ୍ୟୁଏନ୍ସି ଆବୁଲେସନ୍‌ ଜରିଆରେ ପିନ୍‌ ହୋଲ୍‌ରେ ୧୫ ସେଣ୍ଟିମିଟର ଛୁଞ୍ଚିରେ ୩ରୁ ୫ସେଣ୍ଟିମିଟର ଟ୍ୟୁମରକୁ ଜଳାଇ ଦିଆଯାଇପାରେ। ଅନ୍ୟ ଯେକୌଣସି ଛୋଟ ଅସ୍ତ୍ରୋପଚାର ଭଳି ମାତ୍ର ଗୋଟିଏ ଦିନ ମଧ୍ୟରେ ରୋଗୀ ସୁସ୍ଥ ଏବଂ ସ୍ବାଭାବିକ ହୋଇଯାଏ। ଘରୋଇ ଡାକ୍ତରଖାନାରେ ଏଥିପାଇଁ ଅଢ଼େଇରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। କିନ୍ତୁ ଏମ୍ସରେ ଏହି ଚିକିତ୍ସା ପାଇଁ ନାମକୁ ମାତ୍ର ଖର୍ଚ୍ଚ ହେଉଛି। ଖୁବ୍‌ଶୀଘ୍ର ଏହି ଖର୍ଚ୍ଚ ଆହୁରି କମିଯିବ ବୋଲି କୁହାଯାଉଛି।