ଠାକୁରଙ୍କୁ ଏମିତି ସମ୍ମାନ! ବ୍ରହ୍ମାଙ୍କୁ ଜେସିବିରେ ବାନ୍ଧିଲେ, ସେବାୟତ ମହଲ‌ରେ ତାତି

ଭୁବନେଶ୍ୱର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥର ସାରଥୀ ହେଉଛନ୍ତି ସ୍ବଂୟ ସୃଷ୍ଟିକର୍ତ୍ତା ବ୍ରହ୍ମା। ରୁକୁଣା ରଥରେ ସାରଥୀ ସାଜି ବ୍ରହ୍ମା ଲିଙ୍ଗରାଜଙ୍କୁ ରାମେଶ୍ବର ମନ୍ଦିରକୁ ନିଅନ୍ତି। ସେ ହେଉଛନ୍ତି ଜୀବନ୍ତ ଠାକୁର। ରୁକୁଣା ରଥରେ ତାଙ୍କୁ ଆଗ ପୂଜା କରାଯାଏ। ରଥଯାତ୍ରା ଦିନ ରଥରେ ହେଉଥିବା ୧୧ ପୂଜାରେ ବ୍ରହ୍ମାଙ୍କ ପୂଜା ସ୍ବତନ୍ତ୍ର। ମାତ୍ର ମନ୍ଦିର ପ୍ରଶାସନ ଆଜି ତାଙ୍କୁ ବାନ୍ଧି ଜେସିବିରେ ଲଦି ମନ୍ଦିରକୁ ନେଇଛି। ବିଧି ପରମ୍ପରାକୁ ଜଳାଞ୍ଜଳି ଦେଇ ମନ୍ଦିର ପ୍ରଶାସନ ଜୀବନ୍ତ ଠାକୁରଙ୍କୁ ନିର୍ଜୀବ ଭଳି ବ୍ୟବହାର କରିଛି। ବ୍ରହ୍ମାଙ୍କ ପ୍ରତି ଏଭଳି ଅପମାନସୂଚନ ବ୍ୟବହାରକୁ ନେଇ ସବୁ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତାତି ଉଠିଛନ୍ତି ସେବାୟତମାନେ। ଆଗକୁ ଚନ୍ଦନଯାତ୍ରାରେ ସେବାୟତମାନେ ବ୍ରହ୍ମାଙ୍କ ପ୍ରତି ହୋଇଥିବା ଏହି ଅସମ୍ମାନର ପ୍ରତିଶୋଧ ନେବେ ବୋଲି ପରୋକ୍ଷ ଚେତାବନୀ ଦେଇଛନ୍ତି।

ରୁକୁଣା ରଥଯାତ୍ରା ପରେ ରଥରୁ ବ୍ରହ୍ମାଙ୍କୁ ନେଇ ମନ୍ଦିର ସିଂହଦ୍ବାର ଗୁମୁଟରେ ରଖାଯିବା ବିଧି ରହିଛି। ମହାରଣା ସେବାୟତ ଓ ଭୋଇ ବେହେରା ସେବାୟତମାନେ ରଥରୁ ବ୍ରହ୍ମାଙ୍କୁ ଶଗଡ଼ିରେ ମନ୍ଦିର ପର୍ଯ୍ୟନ୍ତ ନିଅନ୍ତି। ଗତକାଲି ଦୁଇ ସେବାୟତ ଗୋଷ୍ଠୀ ପ୍ରଶାସନକୁ ଏହା ଜଣାଇଥିଲେ। ହେଲେ ସେମାନେ ଆଜି ରଥ ପାଖକୁ ଆସିବା ବେଳକୁ ପ୍ରଶାସନ ପକ୍ଷରୁ ବ୍ରହ୍ମାଙ୍କ ମୂର୍ତ୍ତିକୁ ଜେସିବି ମେସିନ୍‌ରେ ବାନ୍ଧି ମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ନିଆଯାଇ ଗୁମୁଟରେ ରଖି ଦିଆଯାଇଥିଲା। ଏହା ଦେଖି ସେମାନେ ବିସ୍ମିତ ହୋଇପଡ଼ିଥିଲେ। ସେହିଭଳି ସ୍ଥାନୀୟ ଲୋକେ ବି ମନ୍ଦିର ପ୍ରଶାସନର ଏଭଳି କାର୍ଯ୍ୟ ଦେଖି ଚକିତ ହୋଇପଡ଼ିଥିଲେ। ଘଟଣାଟି ଆଜି ସ୍ଥାନୀୟ ଅଧିବାସୀ ଓ ଶ୍ରଦ୍ଧାଳୁମାନଙ୍କୁ ଖୁବ୍‌ ବ୍ୟଥିତ କରିଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କିଭଳି ଏଥିପାଇଁ ଅନୁମତି ଦେଲେ ବୋଲି ସେବାୟତମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ଏହି ଘଟଣାକୁ ନେଇ ମହାରଣା ସେବାୟତମାନେ କ୍ଷୁବ୍ଧ ହୋଇଛନ୍ତି। ତେବେ ମନ୍ଦିର ପ୍ରଶାସନ ଚନ୍ଦନ ଡଙ୍ଗା ପ୍ରସ୍ତୁତି ପାଇଁ ଜେସିବିରେ କାମ କରାଇ ଦିଅନ୍ତୁ ବୋଲି ପ୍ରଶାସନକୁ ଶୁଣାଇ ଦେଇଛନ୍ତି। ଚନ୍ଦନ ଯାତ୍ରା ପାଇଁ ସେମାନେ ସହଯୋଗ କରିବେ ନାହିଁ ବୋଲି ବରିଷ୍ଠ ସେବାୟତ ବଟକୃ‌ଷ୍ଣ ମହାରଣା କହିଛନ୍ତି। ବରି‌ଷ୍ଠ ସ୍ତମ୍ଭକାର ଭାଗିରଥୀ ମହାସୁଆର କହିଛନ୍ତି ଯେ ଏପରି କାହିଁକି ହେଲା, କାହା ନିର୍ଦେଶରେ ହେଲା, ତାହା ତଦନ୍ତ ସାପେକ୍ଷ। ପୂଜାପଣ୍ଡା ନିଯୋଗ ସଭାପତି କାଶିନାଥ ପୂଜାପଣ୍ଡା କହିଛନ୍ତି ଯେ ରଥ ଉପରେ ବ୍ରହ୍ମାଙ୍କୁ ପୂଜା କରାଯାଏ।

ବ୍ରହ୍ମା ମୂର୍ତିଙ୍କୁ ଏପରି ନେବା ସମସ୍ତଙ୍କୁ ବ୍ୟଥିତ କରିଛି। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କହିଛନ୍ତି ଯେ ଠାକୁରଙ୍କ ପ୍ରତି ଏହି ଅପମାନ ବିଧି ପରମ୍ପରା ପ୍ରତି କୁଠାରଘାତ ସଦୃଶ। ସେ କହିଛନ୍ତି ଯେ ଗତବ‌ର୍ଷ ନିମ୍ବ କାଠରେ ମନ୍ଦିର ଭିତରେ ରୁଦ୍ଧଦ୍ବାରରେ ଏହି ନୂଆ ମୂର୍ତି ନିର୍ମାଣ କରାଯାଇଥିଲା। ଯଜ୍ଞରେ ପ୍ରତିଷ୍ଠା କରାଯିବା ସହ ଜୀବନ୍ୟାସ ଦିଆଯାଇଥିଲା। ପୁରୁଣା ବ୍ରହ୍ମାଙ୍କ ମୂର୍ତ୍ତିକୁ ଅମୁଣିଆ କୂପରେ ପାତାଳି କରାଯାଇଥିଲା। ମାତ୍ର ଆଜି ଜୀବନ୍ତ ଠାକୁରଙ୍କୁ ପ୍ରଶାସନ ଜେସିବି ମେସିନ୍‌ରେ ବାନ୍ଧି ନେଇଛି। ଏହା ଠାକୁରଙ୍କ ପ୍ରତି ବଡ଼ ଅସମ୍ମାନ। ଏହି କାର୍ଯ୍ୟ ପାଇଁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟୀ ବୋଲି ସେବାୟତ ଟୁଟୁ ପଣ୍ଡା କହିଛନ୍ତି। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ବି ତାଙ୍କ ଫୋନ୍‌ ବନ୍ଦ ଥିବାରୁ ସମ୍ଭବ ହୋଇନଥିଲା।

ସମ୍ବନ୍ଧିତ ଖବର