ଭୁବନେଶ୍ବର: ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା ଓଡ଼ିଶାକୁ ସ୍ତବ୍ଧ କରି ଦେଇଛି। ଏହା ପ୍ରଥମ ଘଟଣା ନୁହେଁ ପ୍ରତିଦିନ ରାଜ୍ୟରେ ଆତ୍ମହତ୍ୟା ଘଟଣା ବଢିବାରେ ଲାଗିଛି। ଏନସିଆରବି ମଧ୍ୟ ଲକଡାଉନ ପରେ ଆତ୍ମହତ୍ୟା ବୃଦ୍ଧି ପାଇଥିବା ନେଇ ରିପୋର୍ଟ ପ୍ରଦାନ କରିଛି। ଏମ୍ସର ମନସ୍ତତ୍ତ୍ବ ବିଭାଗ ଡାକ୍ତର ଦେବଦତ୍ତା ମହାପାତ୍ର କହିଛନ୍ତି, ଆତ୍ମହତ୍ୟା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ଅନ୍ୟୁନ ୫ରୁ୬ ଥର ପରିବାର, ପ୍ରିୟଜନ କିମ୍ବା ବନ୍ଧୁଙ୍କ ଠାରେ ଏହାକୁ ନେଇ ସଙ୍କେତ ଦେଇଥାଆନ୍ତି। ଯାହାକୁ କ୍ରାଏ ଫର ହେଲ୍ପ କୁହାଯାଏ। ଏହାକୁ ବୁଝି ନିଜେ ତୁରନ୍ତ ପଦକ୍ଷେପ କିମ୍ବା ଡାକ୍ତର କିମ୍ବା କାଉନସିଲରଙ୍କ ଭଳି ତୃତୀୟ ପକ୍ଷ ଜରିଆରେ ଏହାର ସମାଧାନ କଲେ ଅମୂଲ୍ୟ ଜୀବନ ବଞ୍ଚିପାରିବ। କିମ୍ବା ଆତ୍ମହତ୍ୟା ପ୍ରବଣତା ସୃଷ୍ଟି ହେଲେ ସୁଇସାଇଡ ହେଲ୍ପ ଲାଇନର ସହାୟତା ନିଆଯାଇ ପାରିବ।
କିଛି ଦିନ ପୂର୍ବରୁ କର୍କଟ ରୋଗରେ ବାନ୍ଧବୀ ମୃତ୍ୟୁର ଧକ୍କା ଏଭଳି ଥିଲା ଯେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ୨୧ ବର୍ଷିୟା ଯୁବତୀ। ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇ ସୁସ୍ଥ ହୋଇଥିଲେ ସତ କିନ୍ତୁ ବଞ୍ଚିବାକୁ ଆଗ୍ରହ ନଥିଲା। ଏଭଳି ଲାଗୁଥିଲା ଯେକୌଣସି ମୁହୂର୍ତ୍ତରେ ଆଉ ଥରେ ଆତ୍ମହତ୍ୟା କରିପକାଇବେ। ଡାକ୍ତରଙ୍କ ଲଗାତାର ଚିକିତ୍ସା ଏବଂ କାଉନସିଲିଂ ପରେ ସେ ସୁସ୍ଥ ଅଛନ୍ତି। ଜୀବନକୁ ପୁଣି ଥରେ ବଞ୍ଚିବା ପାଇଁ ଆଗ୍ରହ କରିଛନ୍ତି। ଏଥିରେ ତାଙ୍କ ଭଉଣୀ ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ଛୁଆ ବେଳରୁହିଁ ଏହି ଝିଅଟିର ବାପା-ମା ଅଲଗା ହୋଇଯାଇଥିଲେ। ତେଣୁ ଝିଅଟି ନିଜ ବାନ୍ଧବୀଙ୍କ ସହିତ ମାନସିକ ଭାବରେ ଘନିଷ୍ଠ ହୋଇଯାଇଥିଲା ଯେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲା। ଏପରିକି ଜଣେ ୪୫ ବର୍ଷିୟ ବ୍ୟକ୍ତିଙ୍କ କୋଭିଡ଼ରେ ବାପା, ମା ଏବଂ ଭାଇଙ୍କ ମୃତ୍ୟୁ, ଆର୍ଥିକ କ୍ଷତିକୁ ବରଦାସ୍ତ କରି ବଞ୍ଚିଥିଲେ। ବନ୍ଧୁଙ୍କ ଆତ୍ମହତ୍ୟା ଏତେ କଷ୍ଟ ଦେଲା ଯେ ସେ ନିଜେ ନିଜ ଜୀବନ ନେବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥାରେ ସେ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅଛନ୍ତି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ବାରା ଦୁଷ୍କର୍ମ ଉଦ୍ୟମକୁ ପ୍ରତିହତ କରିପାରିଥିଲେ ଜଣେ ଯୁବତୀ କିନ୍ତୁ ବଞ୍ଚିବାର ଇଚ୍ଛା ହରାଇଥିଲେ। ପ୍ରଥମ କିଛି ଦିନ ଡାକ୍ତରଖାନାରେ ରହିବା ଏବଂ ପରେ ଔଷଧ, କାଉନସିଲିଂ ପରେ ୭ ମାସ ମଧ୍ୟରେ ସେ ସୁସ୍ଥ ହେବାରେ ଲାଗିଛନ୍ତି। ଏହା କେବଳ ଉଦାହରଣ ମାତ୍ର ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଭୟଙ୍କର ନିରାଶାଜନକ ପରିସ୍ଥିତିରେ ଗତି କରି ଉପଯୁକ୍ତ ଚିକିତ୍ସା ପାଇ ସୁସ୍ଥ ହୋଇଛନ୍ତି।
ଡାକ୍ତର ମହାପାତ୍ର କହିଛନ୍ତି, ପୂର୍ବ ଅପେକ୍ଷା ଆତ୍ମହତ୍ୟା ଉଦ୍ୟମ, ଆତ୍ମହତ୍ୟା ପ୍ରବଣତା କିମ୍ବା ଆତ୍ମହତ୍ୟା ଧମକ ଦେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପାରିବାରିକ, ଦମ୍ପତିଙ୍କ ମଧ୍ୟରେ କଳହ, ଆର୍ଥିକ କାରଣରୁ ମାନସିକ ଅବସାଦର ଶିକାର ହେଉଛନ୍ତି। ପାରିପାର୍ଶ୍ବିକ କାରଣ ସହିତ ଶରୀର ମଧ୍ୟରେ ଥିବା ରସାୟନିକ ପଦାର୍ଥ ଅସୁନ୍ତଳିତ ହେବା ଅବସାଦର କାରଣ ହେଉଛି। ରସାୟନିକ ଅସୁନ୍ତଳର ଚିକିତ୍ସା ବୁଲିଯିବା, ପଢିବା କିମ୍ବା ଟିଭି ଦେଖିବା ନୁହେଁ ବରଂ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବା ଅଟେ। ଶାରୀରିକ ଭାବରେ ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ହେଉଛି ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ପାଇଁବି ଔଷଧ ଆବଶ୍ୟକ ଏଥିପ୍ରତି ପରିବାର ଏବଂ ପରିଜନ ଦୃଷ୍ଟି ଦେବା ଆବଶ୍ୟକ। ଏହି ଅବସରରେ ବିଭିନ୍ନ ସମୟରେ ଥେରାପିର ଆବଶ୍ୟକତା ମଧ୍ୟ ପଡ଼ିଥାଏ। ତେଣୁ କୌଣସି ବ୍ୟକ୍ତି ଆତ୍ମହତ୍ୟାର କଥା କହିଲେ ଏହାକୁ ଗୁରୁତ୍ବ ଦେବା ଉଚିତ। ନିଜ ଭିତରେ ଆତ୍ମହତ୍ୟା ପ୍ରବଣତା ଆସିଲେ ଡାକ୍ତରଙ୍କ ପରାମର୍ଶ ନିଆଯାଇ ପାରିବ। ଆତ୍ମହତ୍ୟା ଉଦ୍ଦେଶ୍ୟ ନଥାଇ ମଧ୍ୟ ଅନେକ ବ୍ୟକ୍ତି ହଠାତ ଭାବାବେଗର ସମ୍ମୁଖୀନ ହୋଇ ଏଭଳି କଠୋର ନିଷ୍ପତ୍ତି ନେଇଯାଆନ୍ତି। ପଛରେ ଅନୁତାପ କରିବା ବେଳକୁ ବିଳମ୍ବ ହୋଇସାରିଥାଏ। ୧୪ରୁ୨୫ ବର୍ଷିୟଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ଥାଏ। ଡାକ୍ତର ମହାପାତ୍ର କହନ୍ତି, ବସ୍ତି ଅଞ୍ଚଳରେ ଯେଉଁଠି ଲୋକଙ୍କ ପାଖରେ କିଛି ନଥାଏ, ଭୋକରେ ରହିବା ସହିତ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୁଅନ୍ତି ଏହା ସତ୍ତ୍ବେ ସେମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା କମ୍ ଥାଏ। ଜୀବନ ବଞ୍ଚିବା ସେମାନେ ଶିଖି ଥାଆନ୍ତି। କୌଣସି ସମସ୍ୟା ସ୍ଥାୟୀ ନୁହେଁ, ନିଶ୍ଚିତ ଏ ସମୟ ଚାଲିଯିବ ଏହା ଭୁଲିବା ଉଚିତ ନୁହେଁ।