ସୁଧାଂଶୁ ମିଶ୍ର ସ୍ମାରକୀ ବକ୍ତୃତା: ପ୍ରତ୍ୟେକ ପ୍ରଶ୍ନର ଏକାଧିକ ବିକଳ୍ପ ଉତ୍ତର ରହିଛି

ଭୁବନେଶ୍ବର: ସ୍ବେଚ୍ଛାସେବୀ ସଂସ୍ଥା ‘ମମତା’ ପକ୍ଷରୁ ପୂର୍ବତନ ମୁଖ୍ୟ ଶାସନ ସଚିବ ସ୍ବର୍ଗତ ସୁଧାଂଶୁ ଭୂଷଣ ମିଶ୍ରଙ୍କ ୭୮ତମ ଜନ୍ମ ଦିବସ ଅବସରରେ ଭାରତୀୟ ବିଦ୍ୟା ଭବନରେ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଜଗଦାନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ବକ୍ତୃତାର ବିଷୟବସ୍ତୁ ଥିଲା ‘ବିକଳ୍ପ ବିଚାର’। ବିଶିଷ୍ଟ କବି ହର ପ୍ରସାଦ ଦାସ ସ୍ମାରକୀ ବକ୍ତୃତା ପ୍ରଦାନ କରି ସମାଜବାଦ, ପୁଞ୍ଜିବାଦ, ଅର୍ଥନୀତି, ବିଜ୍ଞାନବାଦ ଓ ଇତିହାସ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ, ସମାଜବାଦ ଯାହା ଉପରେ ପର୍ଯ୍ୟବସିତ ଥିଲା ତାହା ବ୍ୟବହାରିକ କ୍ଷେତ୍ରରେ ବିଫଳ ହୋଇଥିଲା। ପୁଞ୍ଜିବାଦର ସିଦ୍ଧାନ୍ତ ଧୀରେ ଧୀରେ ବିଫଳ ହେଉଥିଲେ ହେଁ ଏହାର ବିକଳ୍ପ ରହିଛି।‌ ଯାହା ବିଜ୍ଞାନ ଦ୍ବାରା ଗ୍ରହଣୀୟ ତାହାକୁ ବିଜ୍ଞାନବାଦ ବୋଲି ବିବେଚନା କରାଯାଇଥାଏ। ମାତ୍ର ବୈଷୟିକ ଜ୍ଞାନ କୌଶଳ ଯୋଗୁଁ ବିଜ୍ଞାନ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି। ଆଜିର ସମୟରେ ଛାତ୍ରଛାତ୍ରୀମାନେ ୯୯ ପ୍ରତିଶତ ମାର୍କ ରଖିଲେ ମଧ୍ୟ ଅସନ୍ତୁଷ୍ଟ ହେଉଛନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକ କୌଣସି ଏକ ବିଷୟ ବିସ୍ତୃତ ଆଲୋଚନା କରିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଥିବା ବେଳେ ସେମାନେ ଅନ୍ୟ ଦେଶଗୁଡ଼ିକୁ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ପାଇଁ ପ୍ରବର୍ତାଉଛନ୍ତି। ଫଳରେ ପାଶ୍ଚାତ୍ୟ ଦେଶ ଏବଂ ଭାରତ ଭଳି ଅନ୍ୟ ଦେଶମାନଙ୍କ ମଧ୍ୟରେ ଜ୍ଞାନର ବ୍ୟବଧାନ ସୃ‌ଷ୍ଟି ହେଉଛି। ପାଶ୍ଚାତ୍ୟ ଦେଶ ଜ୍ଞାନର କେନ୍ଦ୍ର ହେବ ଅନ୍ୟ ଦେଶଗୁଡ଼ିକ ସେମାନଙ୍କଠାରୁ ପଛରେ ରହିବେ ଏହା ହିଁ ସେମାନଙ୍କର ମୁଖ୍ୟ ଲକ୍ଷ୍ୟ। ଫଳରେ ପାଶ୍ଚାତ୍ୟ ଜ୍ଞାନ ଆଗେଇ ଆଗେଇ ଚାଲିବ ଓ ଅନ୍ୟମାନେ ପଛରେ ପଡ଼ିଯିବେ। ପ୍ରତ୍ୟେକ ପ୍ରଶ୍ନର ଏକାଧିକ ବିକଳ୍ପ ଉତ୍ତର ରହିଛି ତାହା ସ୍ବୀକାର କରିବାକୁ ହେବ। ସେ ଆହୁରି କହିଥିଲେ ଯେ, ଆଜିର ସମୟରେ ଅର୍ଥନୀତି ରାଜନୀତିର ସାଥୀ ହୋଇଯାଇଛି। ରାଜନେତାମାନେ ଅର୍ଥନୀତି ପାଇଁ ଚିନ୍ତା କରୁଛନ୍ତି। ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଯାହା ବି କରିବ ତାହାକୁ ବଡ଼ ଆକାରରେ କରିବା ଉଚିତ୍।

ପୂର୍ବତନ ମୁଖ୍ୟ ଆୟକର କମିସନର ତଥା ଥିଙ୍କ୍‌ ଟ୍ୟାଙ୍କ ଓଡ଼ିଶାର ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ରାୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ। ଜଣେ ପ୍ରଶାସକ ହୋଇ ମଧ୍ୟ ସେ ସବୁବେଳେ ସମାଜର ଉନ୍ନତି ପାଇଁ ଚିନ୍ତା କରୁଥିଲେ। ‘ଭିନ୍ନ ମତ’କୁ ସେ ସବୁବେଳେ ଗୁରୁତ୍ବ ଦେଉଥିଲେ। ଓଡ଼ିଶାର ଶିଳ୍ପର ଅଗ୍ରଗତିରେ ତାଙ୍କର ଯଥେଷ୍ଟ ଭୂମିକା ରହିଥିଲା। ‘ମମତା’ର ଅଧ୍ୟକ୍ଷା ବିଜୟା ମିଶ୍ରଙ୍କ ବିଭିନ୍ନ ସମ୍ବାଦପତ୍ରରେ ନାରୀ ସମସ୍ୟା ସଂପର୍କିତ ନିୟମିତ ପ୍ରକାଶିତ ଲେଖା ସଂକଳନ ‘ମନ ମନ୍ଥନ’ ଉତ୍ସବରେ ଲୋକାର୍ପିତ ହୋଇଥିଲା। ‘କଥା’ର ସଂପାଦକ ତଥା ବିଶିଷ୍ଟ କଥାକାର ଗୌରହରି ଦାସ ପୁସ୍ତକ ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ପାଠକଙ୍କ ମନରେ ଏହି ପୁସ୍ତକ ଗଭୀର ଆଲୋଡ଼ନ ସୃଷ୍ଟି କରିବ। ସମାଜ ମନସ୍କ ଓ ଜୀବନ ମନସ୍କ ପାଇଁ ଏହା ‌ପ୍ରେରଣା ଯୋଗାଇବ ବୋଲି ଶ୍ରୀ ଦାସ କହିଥିଲେ।

ଏହି ଅବସରରେ ରମାଦେବୀ ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ ଓ ଭାରତୀୟ ବିଦ୍ୟାଭବନ ମ୍ୟାନେଜମେଣ୍ଟ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ତର୍କ ପ୍ରତିଯୋଗତିର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ‘ମମତା’ର ସଂପାଦକ ଦିଲ୍ଲୀପ ଦ୍ବିବେଦୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର