ଭୁବନେଶ୍ବର: କଟକ ରୋଡ୍ ଦୀପାଳି ହୋଟେଲରେ ନାବାଳିକା ଶୁଭଲକ୍ଷ୍ମୀ ଦାସଙ୍କ ମୃତ୍ୟୁ ମାମଲାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ରହସ୍ୟ ଉନ୍ମୋଚନ କରିବାରେ ବିଫଳ ହୋଇଛି ପୁଲିସ। ଆତ୍ମହତ୍ୟା ଘଟଣା ଯେତିକି ରହସ୍ୟାବୃତ୍ତ ରହିଛି ତା ଠାରୁ ଅଧିକ ସମ୍ବେଦନଶୀଳ ହୋଇ ପଡ଼ିଛି ନାବାଳିକାଙ୍କୁ ବାର୍ ଡ୍ୟାନ୍ସର ଭାବେ ନିୟୋଜିତ କରିବା। ଏ ନେଇ ଏବେ ଶିଶୁ ଅଧିକାର ସୁରକ୍ଷା କମିସନ୍ ଉଦବେଗ ପ୍ରକାଶ କରିବା ସହ ଡିସିପିଙ୍କୁ ମାମଲାର ରିପୋର୍ଟ ତଲବ କରିଛନ୍ତି। ଏପରିକି ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ବର ଚାଇଲ୍ଡ ଲାଇନ୍ ଅଧିକାରୀ ବେଣୁଧର ସେନାପତି କହିଛନ୍ତି ଏହା ଏକ ସମ୍ବେଦନଶୀଳ ମାମଲା। ପୁଲିସ ଏହି ଘଟଣାରେ ମାନବ ଚାଲାଣ ଆଇନ ସହ କିଶୋର ନ୍ୟାୟ ଆଇନର ଦଫା-୭୫ ଏବଂ ୭୯ରେ ମାମଲା ରୁଜୁ କରି ତଦନ୍ତ କରିପାରିବ। ଯେଉଁମାନେ ଘଟଣାରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। କିନ୍ତୁ ପୁଲିସ ଏ ଦିଗରେ ଏଯାଏ ଆଗେଇ ନ ଥିବା ଜଣାପଡ଼ିଛି। କାରଣ ଶୁଭଲକ୍ଷ୍ମୀ ପଢ଼ୁଥିବା କମଳା ନେହରୁ କଲେଜରୁ ପୁଲିସ ତାଙ୍କର ସାର୍ଟିଫିକେଟ୍ ସଂଗ୍ରହ କରିପାରି ନାହିଁ। ମାତ୍ର ସାର୍ଟିଫିକେଟରୁ ସେ ନାବାଳିକା ଓ ତାଙ୍କ ବୟସ ୧୭ ବର୍ଷ ୫ ମାସ ବୋଲି କଲେଜ ସୂତ୍ରରୁ ଜଣାପଡ଼ିଛି। ପୁଲିସ ସାର୍ଟିଫେକଟ ଜବତ କରିବା ପରେ ଏ ଦିଗରେ ତଦନ୍ତ କରିବ ବୋଲି ସୂଚନା ମିଳିଛି। ଘଟଣାଦିନ ଶୁଭଲକ୍ଷ୍ମୀ ହ୍ବାଟସଆପ୍ ଏବଂ ସ୍ନାପ ଚାଟ୍ ଯୋଗେ ଏକାଧିକ ଭିଡିଓ କଲିଂ କରିଥିବା ଜଣାପଡ଼ିଛି। ସେହିପରି ହ୍ବାଟ୍ସଆପରେ ଚାଟିଂ ମଧ୍ୟ ହୋଇଛି। ଅନ୍ୟପକ୍ଷରେ ତାଙ୍କର ଇନଷ୍ଟାଗ୍ରାମ ଆଇଡି ଏବେ ବି ସକ୍ରିୟ ରହିଛି। ପ୍ରତିଦିନ ଏଥିରୁ ଭିଡିଓ ଡିଲିଟ୍ ହୋଇ ଚାଲିଛି। ତେଣୁ ଦୁଇ ପୁରୁଷ ବନ୍ଧୁ ସଞ୍ଜୟ ଓ ଅନିଲ ଆକାଉଣ୍ଟ ଚଳାଉଥିବା ପୁଲିସ ସନ୍ଦେହ କରୁଛି। ଭିଡିଓ କଲିଂ, ଚାଟିଂର ତଥ୍ୟ ସହ କିଏ ଇନଷ୍ଟାଗ୍ରାମ ଆକାଉଣ୍ଟ ଚଳାଉଛି ତାହାର ତଥ୍ୟ ଜାଣିବା ଲାଗି ସାଇବର ଫରେନସିକର ସହାୟତା ନେବ। ଶୁଭଲକ୍ଷ୍ମୀ ଓ ଦୁଇ ପୁରୁଷ ବନ୍ଧୁଙ୍କର ଜବତ ହୋଇଥିବା ମୋବାଇଲ ଫୋନକୁ ସାଇବର ଫରେନସିକ୍ ଲାବରେଟୋରିକୁ ପଠାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।
ସେପଟେ ଶିଶୁ ଅଧିକାର ସୁରକ୍ଷା କମିସନ ଅଧ୍ୟକ୍ଷା ମନ୍ଦାକିନୀ କର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବାର୍ ଗୁଡ଼ିକ ଯାଞ୍ଚ କରି କେଉଁଠି, କେତେ ନାବାଳିକା ନିୟୋଜିତ ଅଛନ୍ତି ତାର ତଥ୍ୟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦୋଷୀ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି। ଏହି ଘଟଣା ପରେ ଅବକାରୀ ବିଭାଗ ଚେଇଁ ଉଠିଛି। ଡ୍ୟାନ୍ସରଙ୍କ ସମ୍ପର୍କରେ ଯାଞ୍ଚ ପାଇଁ ଚଢ଼ଉ କରାଯିବ ବୋଲି ଜଣାପଡ଼ିଛି। ୨୧ ବର୍ଷରୁ କମ୍ ବୟସର ଯୁବତୀ ଯେଉଁ ବାର୍ରେ ନାଚୁଥିବେ ସେହି ବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାର୍ରେ ସିସିଟିଭି କ୍ୟାମେରା ସହ ଯୁବତୀମାନଙ୍କର ତଥ୍ୟ ରହୁଥିବା ରେଜିଷ୍ଟରଙ୍କୁ ଯାଞ୍ଚ କରାଯିବ। ଅବକାରୀ ବିଭାଗକୁ ଦିଆ ଯାଇଥିବା ବାର୍ ଡ୍ୟାନ୍ସରଙ୍କ ତାଲିକା ବାଦ୍ ଅନ୍ୟମାନେ ନାଚୁଛନ୍ତି କି ନାହିଁ ତାହାର ଯାଞ୍ଚ କରାଯିବ। ଗତ ମାସକର ସିସିଟିଭି କ୍ୟାମେରା ହାର୍ଡ ଡିସ୍କ ଯାଞ୍ଚ କରାଯିବ। ରାଜଧାନୀରେ ଥିବା ୧୮ଟି ଡ୍ୟାନ୍ସ ବାର୍ ଉପରେ ଖୁବଶୀଘ୍ର ଚଢ଼ଉ କରାଯାଇ ସମସ୍ତ ତଥ୍ୟ ଯାଞ୍ଚ କରାଯିବ ବୋଲି ଜଣେ ଅବକାରୀ ଅଧିକାରୀ କହିଛନ୍ତି। ଶୁଭଲକ୍ଷ୍ମୀ ନାବାଳିକା ବୋଲି ପ୍ରମାଣ ମିଳିବା ପରେ କି ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।