ସାମାଜିକ ଗଣମାଧ୍ୟମରେ ମିଛ ଖବର ପ୍ରସାରଣ କରି ଜେଲ୍‌ ଗଲେ ଅଭିଯୁକ୍ତ

ଭୁବନେଶ୍ବର: ସାମାଜିକ ଗଣମାଧ୍ୟମରେ ମିଛ ଖବର ପ୍ରସାରଣ କରୁଥିବା ଅଭିଯୋଗରେ ସୁଧାଂଶୁ ରାଉତଙ୍କୁ କମିସନରେଟ ପୁଲିସ ଗିରଫ କରିଛି। ଗିରଫଦାରୀ ପରେ ଭୁବନେଶ୍ୱର ଜେଏମ୍ଏଫସି ୩ ନମ୍ବର କୋର୍ଟରେ ହାଜର କରାଯିବା ପରେ ସୁଧାଂଶୁଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ସୋମବାର ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଘରୋଇ ଟିଭି ଚ୍ୟାନେଲ ‘କନକ ନ୍ୟୁଜ୍‌’ର ସଂପାଦକ ମନୋରଂଜନ ମିଶ୍ରଙ୍କ ବିରୋଧରେ ମିଛ ଓ ମାନହାନିସୂଚକ ଖବର ପ୍ରସାରଣ ସହ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା।

ଅଭିଯୁକ୍ତ ସୁଧାଂଶୁଙ୍କ ନାମରେ ଥାନାରେ ମାମଲା ରୁଜୁ ହେଲା ପରେ ସେ କେନ୍ଦୁଝର ପଳାଇଥିଲେ। କେନ୍ଦୁଝର ଜିଲ୍ଲା ବଡବିଲର ଏକ ଲଜରେ ସୁଧାଂଶୁ ଥିବା ନେଇ କମିସନରେଟ ପୁଲିସର ସ୍ୱତନ୍ତ୍ର ଟିମ୍ ରବିବାର ବିଳମ୍ବିତ ରାତିରେ ଅତର୍କିତ ଚଢ଼ଉ କରିଥିଲେ। କନକ ନ୍ୟୁଜ ନାଁରେ ମିଛ ଖବର ପ୍ରସାରଣ କରିବା ଏବଂ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ତାଙ୍କୁ ସହିଦ ନଗର ପୁଲିସ ଗିରଫ କରିଛି। ତାଙ୍କ ନାଁରେ ଆଇପିସି ଦଫା ୨୯୪ (ଅଶ୍ଳୀଳ ଭାଷରେ ଗାଳିଗୁଲଜ), ୩୨୩ (ଉଦ୍ଦେଶ୍ୟମୂଳକ ଭାବେ ଜଣଙ୍କୁ ମାନସିକ ଆଘାତ ପହଂଚାଇବା), ୫୦୬ (ଉଦ୍ଦେଶ୍ୟମୂଳକ ଭାବେ ଧମକାଇବା), ୫୦୯ (ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ବା ଅସଦାଚରଣ) ଓ ଆଇଟି ଆକ୍ଟ ୬୭ (ମିଛ ଖବର କରି ସୋସିଆଲ ମିଡିଆରେ ପୋଷ୍ଟ କରିବା) ଭଳି ସଙ୍ଗୀନ ଦଫା ଲାଗିଛି। ସାମାଜିକ ଗଣମାଧ୍ୟମ ଜରିଆରେ ବାରମ୍ବାର କନକ ନ୍ୟୁଜ୍ ଏବଂ ଏହାର ସଂପାଦକଙ୍କ ବିରୋଧରେ ମିଛ ଖବର ପ୍ରସାରଣ କରୁଥିଲେ ସୁଧାଂଶୁ । ଏନେଇ ସହିଦ ନଗର ଥାନାରେ ଅଭିଯୋଗ କରାଯାଇଥଲା।

ସୂଚନାଯୋଗ୍ୟ, ପୂର୍ବରୁ ସୁଧାଂଶୁ ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ବିରୋଧରେ ଏଭଳି ମିଛ ଖବର ପ୍ରସାରଣ ସହ ଅଶାଳୀନ ବ୍ୟବହାର କରି ଗିରଫ ହୋଇଥିଲେ। ସେଥିପାଇଁ ପ୍ରାୟ ୩ ମାସ ଝାରପଡା ଜେଲରେ ରହିଥିଲେ। ପୂର୍ବରୁ ତାଙ୍କ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନରେ ଏକାଧିକ ଅପରାଧିକ ମାମଲା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର