ଶବଦାହ ପୂର୍ବରୁ ଶୁଦ୍ଧିକ୍ରିୟା ମାମଲା: ଗାଁରେ ଏକାଦଶାହ, ସତ୍ୟନଗରରେ ଶବଦାହ

ବାଲିପାଟଣା : ଶବଦାହ ପୂର୍ବରୁ ଘରେ ଶୁଦ୍ଧିକ୍ରିୟା ଚାଲିଥିବା ମାମଲା ଶେଷରେ ଏକ କରୁଣ ସ୍ଥିତିରେ ଅନ୍ତ ହୋଇଛି। ଗାଁରେ ଏକାଦଶାହ କ୍ରିୟାକର୍ମ ଚାଲୁ ରହିଥିବା ବେଳେ ସମାନ ସମୟରେ ସତ୍ୟନଗର ଶ୍ମଶାନରେ ପରିବାର ଲୋକ ବା କୌଣସି ଆତ୍ମୀୟଙ୍କ ବିନା ଉପସ୍ଥିତିରେ ମୃତକଙ୍କ ଶବଦାହ କରାଯାଇଛି। ଗାଁରେ ସମ୍ପର୍କୀୟମାନେ ଏକାଦଶାହ କ୍ରିୟାକର୍ମ କରୁଥିବା ବେଳେ ବିଏମ୍‌ସି କର୍ତ୍ତୃପକ୍ଷ ମୃତକଙ୍କ ଶବଦାହ କରିଛନ୍ତି। ତେବେ ମୃତକଙ୍କ ବହୁ ସମ୍ପର୍କୀୟ ଏକାଦଶାହ କାର୍ଯ୍ୟରେ ଯୋଗ ନଦେବାରୁ ଶୁଦ୍ଧିକ୍ରିୟା ଭୋଜନ ପାଇଁ ଅଣାଯାଇଥିବା ବହୁ ପରିମାଣର ଅବଢ଼ା ଅନ୍ନକୁ ବିସର୍ଜନ କରିବାକୁ ପଡ଼ିଛି। କରୋନା ମୃତ୍ୟୁକୁ ନେଇ ପୂର୍ବରୁ ବହୁ ଅଭାବନୀୟ ଘଟଣା ନଜରକୁ ଆସିଥିବା ବେଳେ ବାଲିପାଟଣାରେ ଘଟିଥିବା ଏହି ଦୁଃଖଦ ଘଟଣା ବହୁ ଲୋକଙ୍କ ବ୍ୟଥିତ କରିଛି। ଭୁଲ୍‌ ଯାହାର ଓ ଯୋଉଠି ବି ଥାଉ, ଜଣେ ଗରିବ ଲୋକ କରୋନାରେ ମରିବା ପରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ବିଧିରେ ଏଭଳି ଅଘଟଣ ସାଧାରଣରେ ଦୁଃଖର କାରଣ ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

ସୂଚନାନୁସାରେ ବାଲିପାଟଣା ଥାନା ତୁରିନ୍ତିରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଓଝା(୫୬) ଗତ ମାସ ୨୮ ରେ କୋଭିଡ୍‌ ଆକ୍ରାନ୍ତ ହୋଇ ସମ୍‌ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ସେହିଦିନ ସନ୍ଧ୍ୟାରେ ହିଁ ହସ୍ପିଟାଲରେ ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ପତ୍ନୀ ରୀନା ଜଣେ ସମ୍ପର୍କୀୟଙ୍କୁ ନେଇ ମେଡିକାଲ ଗଲେ ଓ ଶବଦାହ ପାଇଁ ଆବଶ୍ୟକ କାଗଜପତ୍ର ଦେଇଥିଲେ। ରୀନାଙ୍କ କହିବା କଥା ଏକୁଟିଆ ସ୍ତ୍ରୀ ଲୋକ ହୋଇଥିବାରୁ ଓ ଘ‌ରେ ଛୋଟ ପୁଅକୁ ଛାଡ଼ି ଯାଇଥିବାରୁ ସେ ଶବ ସତ୍କାର ପାଇଁ ଅନୁମତି ଦେଇ ଘରକୁ ଫେରି ଆସିଥିଲେ। ଏହା ପରେ ସେ ନିଜ କିଛି ସମ୍ପର୍କୀୟଙ୍କ ସହାୟତାରେ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଲାଗିପଡ଼ିଥିଲେ। ବିଧି ଅନୁସାରେ ଦଶାହ ଅବସରରେ ତୁଠ କାମ ହୋଇଥିଲା ଓ ଶନିବାର ଏକାଦଶାହ କର୍ମରେ ବ୍ରାହ୍ମଣ ଭୋଜନ ଆୟୋଜନ ହେଉଥିଲା। ଏତିକିବେଳେ ଗାଁରେ ବାଲିପାଟଣା ଥାନା ପୁଲିସ ପହଁଞ୍ଚି ପୂର୍ଣ୍ଣଚନ୍ଦ୍ରଙ୍କ ଶବଦାହ ହୋଇନଥିବା ଖବର ଦେଇଥିଲା। ଶବଦାହ ହୋଇନଥିବା ଖବର ପ୍ରଚାରିତ ହେବା ପରେ ଲୋକେ ରୀନାଙ୍କୁ ଭିନ୍ନ ନଜରରେ ଦେଖିବା ଆରମ୍ଭ କରିଥିଲେ। ଏମିତିକି ଅବଢ଼ା ଭୋଜନ ପାଇଁ ଲୋକେ ଆସିନଥିଲେ। ଶେଷରେ ରୀନାଙ୍କ ଠାରୁ ପୁଲିସ ଶବଦାହ ସ୍ବୀକୃତିପତ୍ର ନେଇଥିଲା ଓ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଦେବା ପରେ ରାତିରେ ସତ୍ୟନଗର ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ସତ୍ୟନଗରରେ ଶବଦାହ ଚାଲିଥିବା ବେଳେ ଗାଁରେ କିଛି ସମ୍ପର୍କୀୟଙ୍କୁ ଧରି ପତ୍ନୀ ରୀନା ଏକାଦଶାହ ବିଧି ସମ୍ପନ୍ନ କରାଇଥିଲେ। ଏହି ଅଭାବନୀୟ ଘଟଣା ପାଇଁ ରୀନା ବିଏମ୍‌ସି ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଶବଦାହ ପାଇଁ ସ୍ବୀକୃତି ଦେଇଥିଲେ ମଧ୍ୟ ତାଙ୍କ ସ୍ବାମୀଙ୍କ ଶବକୁ ଅଯଥାରେ ସେମିତି ପକାଇ ରଖାଯାଇଥିଲା ବୋଲି ସେ ଦୁଃଖରେ କହିଛନ୍ତି।

ସମ୍ବନ୍ଧିତ ଖବର