ସରିଲା ସୁଫି ଓ କୱାଲି ସଂଗୀତ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭୁବନେଶ୍ବର ମ୍ୟୁଜିକ ସର୍କଲ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ୩ ଦିନିଆ ଅଷ୍ଟମ ବାର୍ଷିକ ସୁଫି ଓ କୱାଲି ସଂଗୀତ କାର୍ଯ୍ୟକ୍ରମର ଆଜି ଥିଲା ଉଦ୍‌ଯାପନୀ ସନ୍ଧ୍ୟା। ନୂଆଦିଲ୍ଲୀରୁ ଆସିଥିବା କଣ୍ଠଶିଳ୍ପୀ ସୁରେଶ କୁମାର ସେଠୀ ଓ ସାଥୀଙ୍କ କଣ୍ଠରେ ସୁଫି ସଂଗୀତ ଦିଲ ଲେକେ… ଏବଂ ଅନ୍ୟ ସଂଗୀତଗୁଡ଼ିକ ଶ୍ରୋତାଙ୍କୁ ବାନ୍ଧି ରଖିଥିଲା। ଏଥିସହ ଉତ୍ତରପ୍ରଦେଶରୁ ଆସିଥିବା ଶିଳ୍ପୀଙ୍କ କଣ୍ଠରେ ଭକ୍ତିରସାତ୍ମକ ସୁଫି ଓ କୱାଲି ସଙ୍ଗୀତ ମନଛୁଆଁ ହୋଇଥିଲା। ପ୍ରଥମ ପ୍ରସ୍ତୁତିରେ ଦିଲ୍ଲୀରେ ସୁରମଣି ସୁରେଶ କୁମାର ସେଠୀ ସୁଫି ସଙ୍ଗୀତ ପରିବେଷଣ କରିଥିବା ବେଳେ ତାଙ୍କୁ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ନରେନ୍ଦ୍ର, ସୁରେଶ, ବିରଞ୍ଚି, ବସନ୍ତ, ପ୍ରେମ ଶଙ୍କର ଓ ବସନ୍ତ। ପରେ ଉତ୍ତରପ୍ରଦେଶର ଶିଳ୍ପୀ ସଲିମ୍‌ ହାସନ ଚିସ୍ତି ସଂଗୀତ ପରିବେଷଣ କରିଥିଲେ। ତାଙ୍କ କଣ୍ଠ ନିଃସୃତ କୱାଲି ହୃଦୟସ୍ପର୍ଶୀ ହୋଇଥିଲା। ତାଙ୍କୁ ସହଯୋଗ କରିଥିଲେ ଶାମା ଖାନ୍‌, ମହମ୍ମଦ ସାକିର, ମହମ୍ମଦ ସଲିମ୍‌, ସୁହେଲ, ଦାନିଶ ଓ ସର୍ଫରାଜ। ସନ୍ଧ୍ୟାରେ ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦୀ, ଆଇସିସିଆର ନିର୍ଦେଶିକା ମୀନାକ୍ଷୀ ମିଶ୍ର, ଏସ.ଏସ୍‌ ନନ୍ଦୁଲରିକାର ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲ ସଭାପତି ଅରବିନ୍ଦ ବେହେରା, ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ ଉପସ୍ଥିତ ଥିଲେ। ସଂଯୋଜନା କରିଥିଲେ ଡ. ସଙ୍ଗୀତା ଗୋସାଇଁ।

ସମ୍ବନ୍ଧିତ ଖବର