ସୁଗାର ଫ୍ରି ମିଠାରେ ଚିନି! ରାଜଧାନୀରେ ଲୋକଙ୍କୁ ଠକୁଛନ୍ତି ଅସାଧୁ ମିଠା ବ୍ୟବସାୟୀ

ଭୁବନେଶ୍ବର: ସୁଗାର ଫ୍ରି ମିଠା ନାଁରେ ଲୋକଙ୍କୁ ଠକୁଛନ୍ତି ମିଠା ବ୍ୟବସାୟୀ। ମଧୁମେହ ରୋଗରେ ଆକ୍ରାନ୍ତ ଲୋକମାନେ ସୁଗାର ଫ୍ରି ମିଠା ଖାଇବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ମାତ୍ର ରାଜଧାନୀର କିଛି ମିଠା ଦୋକାନୀ ସୁଗାର ଫ୍ରି ମିଠା ନାଁରେ ଲୋକଙ୍କ ମଧୁମେହ ରୋଗ ବଢ଼ାଉଛନ୍ତି। ରାଜଧାନୀରେ ଥିବା ସରକାରୀ ଖାଦ୍ୟ ପରୀକ୍ଷାଗାରରେ ମିଠା ଦୋକାନୀଙ୍କ ଏଭଳି ମିଛ ଧରା ପଡ଼ିଛି। ଯାହାକୁ ନେଇ ଲୋକମାନଙ୍କ ମନରେ ଛନକା ପଶିଛି।

ଏକ ଅନୁସନ୍ଧାନମୂଳକ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରାଜଧାନୀର ଏକ ମିଠା ଦୋକାନରୁ ସୁଗାର ଫ୍ରି ଛେନାପୋଡ଼ କିଣିବା ପରେ ତାହାକୁ ଖାଦ୍ୟ ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିଲା। ସଂପୃକ୍ତ ମିଠାରେ ସୁଗାର ବା ଚିନି ପଜିଟିଭ୍ ରହିଥିବା ସ୍ପଷ୍ଟ ହୋଇଛି। ସୁଗାରର ଉପସ୍ଥିତି କାରଣରୁ ସଂପୃକ୍ତ ଛେନାପୋଡ଼ ନିମ୍ନମାନର ଥିବା ରିପୋର୍ଟରେ କୁହାଯାଇଛି। ତେବେ ସଂପୃକ୍ତ ଛେନାପୋଡ଼ରେ କୌଣସି ପ୍ରକାର ମିନେରାଲ ଅଏଲ ନ ଥିବା ବେଳେ କୃତ୍ରିମ ରଙ୍ଗ ମିଶିଥିବା ନେଇ କୌଣସି ସ୍ପଷ୍ଟ ଉତ୍ତର ଦିଆଯାଇ ନାହିଁ।

ମିଠା ଦୋକାନରେ ସୁଗାର ଫ୍ରି ମିଠା ଅନ୍ୟ ସାଧାରଣ ମିଠା ତୁଳନାରୁ ଅଧିକ ଦରରେ ବିକ୍ରି ହୋଇଥାଏ। ସାଧାରଣ ଲୋକମାନେ ବିଶ୍ବାସର ସହିତ ସଂପୃକ୍ତ ମିଠା କିଣୁଥିବା ବେଳେ ଦୋକାନୀମାନେ ଲୋକଙ୍କୁ ମିଥ୍ୟା ପ୍ରିତଶ୍ରୁତି ଦେଇ ଭକୁଆ ବନାଉଛନ୍ତି। ଏ ଦୃଷ୍ଟିରୁ ଏଭଳି ସୁଗାର ଫ୍ରି ମିଠା ବିକ୍ରି କରୁଥିବା ଦୋକାନୀମାନଙ୍କ ମିଠା ପରୀକ୍ଷା କରାଯିବାକୁ ସାଧାରଣରେ ଦାବି ହୋଇଛି। ନିୟମିତ ବ୍ୟବଧାନରେ ଚଢ଼ାଉ କରାଗଲେ ଦୋକାନୀମାନେ ଏଭଳି ମିଥ୍ୟା ପ୍ରଲୋଭନରୁ ନିବୃତ୍ତ ରହିବେ ବୋଲି ଲୋକମାନେ ଦାବି କରିଛନ୍ତି।

ଅପରପକ୍ଷରେ ରାଜ୍ୟ ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀ କହିଛନ୍ତି, ପରୀକ୍ଷାଗାରରେ ଯେଉଁ ମିଠା ପରୀକ୍ଷା କରାଯାଇଛି ତହିଁରେ ସୁଗାର ରହିଥିବା ରିପୋର୍ଟ ପଜିଟିଭ୍ ଆସିଛି। ତେବେ ସୁଗାର ଶ୍ରେଣୀରେ ଗ୍ଲୁକୋଜ, ଫ୍ରୁକ୍ଟୋଜ୍ ଓ ସୁକ୍ରୋଜ୍ ଭଳି ଅନ୍ୟ ଉପାଦାନ ଆସୁଥିବାରୁ ଏଥିରେ ଗ୍ଲୁକୋଜ୍ ରହିଛି କି ନାହିଁ ତାହା ସ୍ପଷ୍ଟ ଭାବେ କହିବା ସମ୍ଭବ ନୁହେଁ। କାରଣ ସୁଗାର ଫ୍ରି ମିଠାରେ କ୍ୟାଲୋରି ପରିମାଣ ଯଥେଷ୍ଟ କମ୍ ରହିଥାଏ। ତେଣୁ ଏଭଳି ମିଥ୍ୟା ପ୍ରଲୋଭନ ଦେଖାଉଥିବା ଦୋକାନୀମାନଙ୍କ ବିରୋଧରେ ଉପଭୋକ୍ତା ସୁରକ୍ଷା ଆଇନ ବା ସିସିପିଏ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର