ଭୁବନେଶ୍ୱର: କି ରଙ୍ଗ ଲାଗିଲା କେଜାଣି, ଆକାଶଟା ରଙ୍ଗିନ ଦିଶିଲା। ରଙ୍ଗିନ ଆକାଶ ତଳେ ପ୍ରଥମ ପ୍ରେମର ପ୍ରଥମ ଚିଠି ବି ଲେଖା ହେଲା। ବାଦଲ ତଳେ ଚାନ୍ଦ ଲୁଚିଗଲା, ସାମ୍ନାସାମ୍ନି ପ୍ରେମ ହେଲା। କିଛି ନ କହିଲେ ବି ସମସ୍ତେ ଶୁଣିନେଲେ ତାଙ୍କ ମନର କଥା। ଲାହୋର କିମ୍ବା ଅମୃତସର ନୁହେଁ, ବରଂ ଭୁବନେଶ୍ବରରେ ସେ ତାଙ୍କ ହୃଦୟ ଛାଡ଼ିଗଲେ। ଡଟ୍ଫେଷ୍ଟ ମଞ୍ଚର ‘ସୁହାନା ସଫର୍’ରେ ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟକ ଉଦିତ ନାରାୟଣ ଆଜି ଗୀତରେ ଗୀତରେ ଏଭଳି ରୋମାଣ୍ଟିକ୍ ପରିବେଶ ସୃଷ୍ଟି କରିଥିଲେ।
ପାପା କେହେତେ ହେଁ..ଗୀତ ଗାଇ ଗାଇ ସେ ମଞ୍ଚରେ ପ୍ରବେଶ କରିଥିଲେ। ଏହା ପରେ ତେରେ ନାମ୍(ଟାଇଟଲ୍ ସଙ୍ଗ୍), ତୁ ହେ ମେରି କିରନ୍, ଅକେଲେ ହେଁ ତୋ କ୍ୟା ଗମ୍ ହେ, ଜୋ ମେରି ରୁହ୍କୋ ଚୈନ୍ ଦେ ପ୍ୟାର୍ ଦେ, ନାଜାନେ ମେରେ ଦିଲ୍କୋ କ୍ୟା ହୋଗୟା, କିସି ଡିସ୍କୋ ମେ ଯାଏଁ, ମେ ନିକ୍ଲା ଗାଡ଼ି ଲେକେ.. ଆଦି ବଲିଉଡ୍ ହିଟ୍ସ୍ ଗାଇ ଦର୍ଶକଙ୍କୁ ୯୦ ଦଶକକୁ ଫେରାଇ ନେଇଥିଲେ। ମଞ୍ଚରେ ତାଙ୍କ ସହ ଯୋଗଦେଇଥିଲେ ପତ୍ନୀ ଦୀପା ନାରାୟଣ। ‘ତୁ ମେରେ ସାମ୍ନେ ମେଁ ତେରେ ସାମ୍ନେ’ ଓ ‘ପେହଲା ନସା ପେହଲା ଖୁମାର୍’ ଦ୍ବୈତ କଣ୍ଠ ସଙ୍ଗୀତ ଦର୍ଶକଙ୍କ ମନକୁ ଛୁଇଁଥିଲା। ଏହା ପରେ ସେ ଆରମ୍ଭ କରିଥିଲେ ଓଡ଼ିଆ ଗୀତ। ମ୍ୟୁଜିକ୍ ଆରମ୍ଭରୁ ହିଁ ଦର୍ଶକ ତାଳି ମାରିବା ଆରମ୍ଭ କରିଥିଲେ। ‘ପ୍ରଥମ ପ୍ରେମର ପ୍ରଥମ ଚିଠି’ ଗୀତରୁ ଆରମ୍ଭ କରିଥିଲେ। ପରେ ‘ଆଜି ଆକାଶେ କି ରଙ୍ଗ ଲାଗିଲା’ ଓ ‘ତୋ ପାଇଁ ଗଲିରେ ଗଲି ମରି ମରି ମରି..’ ଗୀତ ଶେଷ ଯାଏଁ ତାଳି ଥମି ନଥିଲା।
କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସତ୍ୟଜିତ୍ ଜେନାଙ୍କ ଓଡ଼ିଆ ଗୀତରୁ। ହସ୍ତା ରେହତା ହୁଁ, କୈସେ ହୁଅା ତୁ ଇତନା ଜରୁରୀ, କେଶରିୟା ତେରା ଆଦି ହିନ୍ଦୀ ଗୀତ ସହ ତୁ ଧୀରେ ଧୀରେ ଚାଲ୍ ସମୟ, କେମିତି କହିବି ତତେ ତୁ ସେଇ ..ଓଡ଼ିଆ ଗୀତକୁ ଦର୍ଶକ ପସନ୍ଦ କରିଥିଲେ। ତେବେ ‘ଚାହୁଙ୍ଗା ମେଁ ତୁଝେ ହର୍ଦମ୍’ ଗୀତରେ ପ୍ରଦର୍ଶନୀ ପଡ଼ିଆ ତାଳିରେ ଫାଟି ପଡ଼ିଥିଲା। ଶେଷରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ କୁମାର ରାଉତ ଓ ମେୟର ସୁଲୋଚନା ଦାସ ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୁନ୍ମୁନ୍ ସିଂ ଓ ରୀତା ବାଜପେୟୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
‘ଓଡ଼ିଶା ଆସିଲେ ମୁଁ ଯୁବକ ବୋଲି ଅନୁଭବ କରେ’
୪୦ ବର୍ଷ ଧରି ମୁଁ ଗୀତ ଗାଉଛି। ଓଡ଼ିଆ ହିନ୍ଦୀ ସହ ଅନେକ ଭାଷାରେ ଗୀତ ଗାଇଛି। କିନ୍ତୁ ଓଡ଼ିଶା ଆସିଲେ ମୁଁ ଯୁବକ ଅନୁଭବ କରେ। ମୋତେ ଏବେ ୨୫ବର୍ଷ ଭଳି ଅନୁଭବ ହେଉଛି। ଦ୍ବିତୀୟ ଜନ୍ମରେ ମୁଁ ଓଡ଼ିଆ ହେଇ ଜନ୍ମ ହେବାକୁ ଚାହିବି। ଏହାର ଭାଷା, ଉଚ୍ଚାରଣ, ଶବ୍ଦ ସଂଯୋଜନାରେ ମିଠାପଣ ରହିଛି। ଓଡ଼ିଆଙ୍କୁ ମୋର ପ୍ରଣାମ ବୋଲି କହିଛନ୍ତି ଉଦିତ।
ପ୍ରଚ୍ଛଦପଟ୍ଟ ଗାୟିକା ଅଲ୍କା ୟାଗ୍ନିକ୍ ମଧ୍ୟ କିଛି କମ୍ ମନୋରଞ୍ଜନ କରିନଥିଲେ। ଟିପ୍ ଟିପ୍ ବରଷା ପାନି... ଓ ଏକ୍ ଦୋ ତିନ୍ ଗୀତରେ ମଞ୍ଚ ତଳକୁ ଓହ୍ଲାଇ ଆସି ଦର୍ଶକଙ୍କ ସହ ନାଚିଥିଲେ। କୁଛ୍ କୁଛ୍ ହୋତା ହୈ’ର ଟାଇଟଲ ଗୀତ ଗାଇ ଗାଇ ସେ ମଞ୍ଚ ପ୍ରବେଶ କରିବା ପରେ ଗଜବ କା ହୈ ଦିନ, ଅଜିବ୍ ଦାସ୍ତାଁ ହୈ ୟେ, ମେରେ ଅଙ୍ଗ୍ନେ ମେ ତୁମ୍ହାରା କ୍ୟା କାମ ହୈ, ପାଲ୍କି ମେ ହୋକେ ସବାର ଚଲିରେ, ଦେଖା ହେ ପେହଲି ବାର, ଦିଲବର ଦିଲବର, ତାଲ ସେ ତାଲ ମିଲା, ଛମା ଛମା ବାଜେରେ ମେରି, ଅଗର ତୁମ ସାଥ ହୋ, କିସ ଡିସ୍କୋ ମେ ଯାଏଁ, ସୂରଜ ହୁଆ ମଥ୍ଥମ, ବୋଲେ କଂଗନା ବୋଲେ ଚୁଡ଼ିୟାଁ ଓ ଦିଲ ଲେଜା ଲେଜା ପ୍ରଭୃତି ଲୋକପ୍ରିୟ ଗୀତ ଭେଟି ଦେଇଥିଲେ। ଶେଷରେ ୯୦ ଦଶକର ସେଇ ହିଟ୍ ଯୋଡ଼ି ଉଦିତ୍-ଅଲ୍କା ‘ଚାନ୍ଦ ଛୁପା ବାଦଲ୍ ମେଁ’, କହୋନା ପ୍ୟାର୍ ହୈ, ମେରେ ମେହେବୁବ୍ ମେରେ ସନମ୍ ପ୍ରଭୃତି ଗୀତକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ।
ପମ୍ପ ଖୋଲି ଦେଲା ପୁଲିସ
ଆଜି ପ୍ରଦର୍ଶନୀ ପଡ଼ିଆ ଭର୍ତ୍ତି ହୋଇ ଯାଇଥିଲା। ଡଟ୍ଫେଷ୍ଟରେ ଯେତିକି, ଫୁଡ୍ ଫେଷ୍ଟିଭାଲ୍ରେ ବି ସେତିକି। ପାର୍କିଂ ଜାଗାରେ ଗାଡ଼ି ଯେତିକି ରାସ୍ତା କଡ଼ରେ ବି ସେତିକି। ପ୍ରଦର୍ଶନୀ ପଡ଼ିଆ ପ୍ରବେଶ ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ଗଦା ହୋଇଯିବାରୁ କମିସନରେଟ୍ ପୁଲିସ ପ୍ରାୟ ଶହେ ଗାଡ଼ିରେ ପ୍ରେସର ଖୋଲି ଦେଇଥିଲା। ଫଳରେ ଡଟ୍ଫେଷ୍ଟ ଓ ଖାଦ୍ୟ ମେଳାରୁ ବାହାରିବା ପରେ ଶହ ଶହ ଗାଡ଼ି ମାଲିକ ହଟହଟା ହୋଇଥିଲେ।
ଭିଡ଼ ଭିତରେ କୁକୁର
ଭୁବନେଶ୍ବର ଲାଇଭ୍ କାର୍ଯ୍ୟକ୍ରମକୁ ଯେଭଳି କେହି ଅଯୋଗ୍ୟ ଲୋକ ପଶିଯିବ ନାହିଁ, ସେନେଇ କଡ଼ା ବ୍ୟବସ୍ଥା ହୋଇଛି। ମୁଖ୍ୟ ଫାଟକରୁ ସିଟ୍ରେ ପହଞ୍ଚିବା ଯାଏଁ ୩ ଜାଗାରେ ଚେକିଂ ହେଉଛି। ହେଲେ ଆଜି ଏହି ଭିଡ଼ ଭିତରେ ପଶି ଯାଇଥିଲେ ତିନିଟି କୁକୁର। ସବୁ ସୁରକ୍ଷା ବ୍ୟବସ୍ଥାକୁ ଅତିକ୍ରମ କରି ସିଧା ଦର୍ଶକଙ୍କ ଗ୍ୟାଲେରିରେ ପହଞ୍ଚିଥିଲେ। ରବିବାର ଯୋଗୁଁ ପ୍ରବଳ ଭିଡ଼ ହୋଇଥିବାରୁ ଡଗ୍ସ୍କ୍ବାଡ୍ ଜାଲି ଧରି କୁକୁରଙ୍କ ପିଛାରେ ଦଉଡ଼ି ନୟାନ୍ତ ହୋଇଥିଲେ।