ମିଳୁନି ସରକାରୀ ସହାୟତା : ସମୂହ ଆତ୍ମହତ୍ୟା ପାଇଁ ପରିବାର ଲୋକଙ୍କ ଧମକ

ବାଲିଅନ୍ତା : ସରକାରଙ୍କ ଲକ୍‌ଡାଉନ୍‌ ସହାୟତା (୩ମାସ ପାଇଁ ରାସନ୍‌ ସାମଗ୍ରୀ ଓ ୧୦୦୦ଟଙ୍କା) ପାଇବାରୁ ବାଦ୍‌ ପଡ଼ିଥିବା ଏକ ପରିବାର ସମୂହ ଆତ୍ମହତ୍ୟା କରିବାକୁ ଜିଲ୍ଲାପାଳଙ୍କୁ ଚେତାବନୀ ଦେଇଛନ୍ତି। ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ପଞ୍ଚାୟତ ଅଧୀନ କୂଳସାହି ଗ୍ରାମର ନାରାୟଣ ପଣ୍ଡା ଡାକ ଯୋଗେ ଏ ସଂପର୍କିତ ଏକ ପତ୍ର ଖୋର୍ଧା ଜିଲ୍ଲାପାଳଙ୍କୁ ପଠାଇବା ସହ ସ୍ଥାନୀୟ ସରପଞ୍ଚ ବାମନ ଚରଣ ଭୋଇଙ୍କୁ ଏହାର ନକଲ ପ୍ରଦାନ କରିଛନ୍ତି।

ଚା’ ଦୋକାନ କରି ନାରାୟଣ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଲକ୍‌ଡାଉନ୍‌ ପରଠାରୁ ତାଙ୍କ ଦୋକାନରେ ତାଲା ଝୁଲୁଛି। ଘରଡିହ ଖଣ୍ଡକ ଛାଡ଼ିଦେଲେ ଅନ୍ୟ କିଛି ସମ୍ବଳ ନଥିବାରୁ ସେ ଓ ତାଙ୍କର ୧୪ବର୍ଷର ନାବାଳକ ପୁଅ ଗ୍ରାମରେ ବୁଲି ପରିବା ବେପାର କରୁଥିଲେ। ତେବେ କିଛି ଦିନ ହେବ ନାରାୟଣ ଅସୁସ୍ଥ ହୋଇ ପଡ଼ିଥିବାରୁ ସମସ୍ୟା ବଢ଼ି ଯାଇଛି। ବାପା ବେଣୁଧର ପଣ୍ଡାଙ୍କ ମୃତ୍ୟୁ ପରେ ଅନ୍ତ୍ୟୋଦୟ କାର୍ଡରୁ ନାଁ କଟି ଯାଇଥିବାରୁ ୩୫କିଲୋ ଚାଉଳ ବି ମିଳୁନାହିଁ। ମଆଙ୍କ ନାମ ଅନ୍ତ୍ୟୋଦୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ। ଫଳରେ ୫ପ୍ରାଣୀ କୁଟୁମ୍ବ ବଞ୍ଚିବା କଷ୍ଟକର ହୋଇପଡ଼ିଛି। ଏଭଳି ସ୍ଥିତିରେ ଲକ୍‌ଡାଉନ୍‌ ପାଇଁ ସରକାରଙ୍କ ପକ୍ଷରୁ ୩ମାସ ପାଇଁ ଯୋଗାଣ ହୋଇଥିବା ରାସନ୍‌ ସାମଗ୍ରୀ ଓ ୧୦୦୦ ଟଙ୍କାର ସହାୟତା ବି ତାଙ୍କ ନିକଟରେ ପହଞ୍ଚି ପାରିନାହିଁ। ଦାୟିତ୍ବରେ ଥିବା କର୍ମକର୍ତାଙ୍କ ତ୍ରୁଟି ଯୋଗୁଁ ତାଙ୍କ ପରିବାର ଏଥିରୁ ବାଦ୍‌ ପଡ଼ି ଯାଇଛନ୍ତି। ଏ ସଂପର୍କରେ ନାରାୟଣ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନି। ଶେଷରେ ନିରାଶ ହୋଇ ନାରୂାୟଣ ସପରିବାରେ ଆତ୍ମହତ୍ୟା କରିବାକୁ ଜିଲ୍ଲାପାଳଙ୍କୁ ଚେତାବନୀ ଦେଇଛନ୍ତି। ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

ଅନ୍ୟପକ୍ଷରେ ଏ ସଂପର୍କରେ ସରପଞ୍ଚ ଶ୍ରୀ ଭୋଇଙ୍କୁ ପଚାରିବାରୁ ସେ କହିଛନ୍ତି, ନାରାୟଣ ରାସନ୍‌ କାର୍ଡ ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ବାଦ୍‌ ପଡ଼ି ଯାଇଛନ୍ତି। ସେ ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର