ଭୁବନେଶ୍ବର : ହେତୁ ହେବା ଦିନ ଠାରୁ ଦୁନିଆ ଦେଖିନାହାନ୍ତି। ଶତ ପ୍ରତିଶତ ଦୃଷ୍ଟିହୀନ ବୋଲି ଡାକ୍ତର କହିବା ପରେ ଯେମିତି ତାଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡିପଡ଼ିଛି। ପେଟ ପୋଷିବା ପାଇଁ ପିଲାଟି ଦିନରୁ ସଂଘର୍ଷ କରି କରି ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସାମ୍ନାରେ ଉଠା ଦୋକାନ କରିଥିଲେ। ୧୦ ବର୍ଷ ଧରି ପତି-ପତ୍ନୀ ଦୁଇ ପ୍ରାଣୀଙ୍କ କୁଟୁମ୍ବ ଏଇଥିରୁ ଚଳିଯାଉଥିଲା। ହେଲେ ହକି ନାଁରେ ସହରକୁ ସୁନ୍ଦର କରିବାକୁ ଯାଇ ବିଏମ୍‌ସି ବୁଲ୍‌ଡୋଜର ବଞ୍ଚିବାର ଏହି ରାହା ଟିକକ ଛିଣ୍ଡାଇ ନେଇଛି। ଥରେ ନୁହେଁ, ଦୁଇ ଦୁଇ ଥର ଠେଲା ଗାଡ଼ିଟିକୁ କଚାଡ଼ି ଭାଙ୍ଗିଦେଇଛି। ଆଖି ନାହିଁ, ହେଲେ ସ୍ବାଭିମାନ ମରିଯାଇନି। ଏଣୁ ଭିକ୍ଷା ବୃତ୍ତି ନ କରି ସ୍ବାଭିମାନରେ ବଞ୍ଚିବାକୁ ଚାହୁଥିଲେ ମଧ୍ୟ ବିଏମ୍‌ସି କରାଇ ଦେଇନି। ଏଣୁ ଆଜି ସେ ଜୀବନ ହାରିଦେବାକୁ ଯୋଜନା କରି ବିଏମ୍‌ସି ଅଫିସ୍‌ରେ ପେଟ୍ରୋଲ ଧରି ପହଞ୍ଚିଥିଲେ। ସେଠାରେ ଅଧିକାରୀମାନେ ଥଇଥାନ କରିବା ପାଇଁ ବୁଝାସୁଝା କରି ଫେରାଇ ଦେଇଥିଲେ। ସେଠାରୁ ସେ ନବୀନ ନିବା‌ସ ଯାଇଥିଲେ। ସେଠା‌ରେ ଏୟାରପୋର୍ଟ ଥାନା ପୁଲିସ ପେଟ୍ରୋଲ ଜବତ କରି ତାଙ୍କୁ ଥାନାକୁ ଉଠାଇ ଆଣିଥିଲା। ରାତି ପ୍ରାୟ ସାଢ଼ ୧୦ଟା ବେଳେ ଛାଡ଼ିଥିଲା। ବିଏମ୍‌ସି ଅବହେଳାର ଶିକାର ହୋଇଥିବା ଏଭଳି ଜଣେ ଦିବ୍ୟାଙ୍ଗ ହେଉଛନ୍ତି ଗଞ୍ଜାମ ପୋଲସରାର ପରୀକ୍ଷିତ ସାହୁ।

Advertisment

୨୦୧୧ ମସିହାରେ ସେ ଓ ତାଙ୍କ ପତ୍ନୀ ସୁନିତା ଭୁବନେଶ୍ବରରେ ପହଞ୍ଚିଥିଲେ। ବରମୁଣ୍ଡାରେ ଏକ ଠେଲାଗାଡ଼ିରେ ଜଳଖିଆ ଦୋକାନ କରିଥିଲେ। ସୁନିତା ଛଣାଛଣି କରିବା ସହ ଅନ୍ୟାନ୍ୟ କାମ କରୁଥିବା ବେଳେ ପରିକ୍ଷୀତ ବାସନକୁସନ ମାଜୁଥିଲେ। ଯେମିତି ହେଉ ଦୁଇ ପ୍ରାଣୀ କୁଟୁମ୍ବ ଚଳି ଯାଉଥିଲେ। କେତେବେ‌ଳେ ମନ୍ଦିର ବାରଣ୍ଡା ତ ଆଉ କେତେବେଳେ ବସ୍‌ଷ୍ଟାଣ୍ଡ ପିଣ୍ଡିରେ ରାତି ବିତୁଥିଲା। ଗତ ୫ ବର୍ଷ ହେବ ବେପାର ବଢ଼ିବାରୁ ସେମାନେ ବସ୍ତିରେ ଘର ଭଡ଼ା ନେଇଥିଲେ। ପୋଲସରାରେ ଥିବା ବାପା ମା’ଙ୍କ ପାଖକୁ କିଛି ଟଙ୍କା ନିଜ ପେଟରୁ କାଟି ପଠାଉଥିଲେ। ଏହା ଭିତରେ ବହୁବାର ବିଏମ୍‌ସି ଥଇଥାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ଥଇଥାନ କରିନଥିଲା। ଏବେ ଖୋଦ୍‌ ବିଏମ୍‌ସି ବେପାର ଉଜାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ପରୀକ୍ଷିତ। କେମିତି ଚଳିବେ ବୁଦ୍ଧିବାଟ ଦିଶୁନଥିବା କହିଛନ୍ତି ପତ୍ନୀ ସୁନିତା। ୧୦ ବର୍ଷ କାଳ ଯିଏ ପ୍ରତିଶ୍ରୁତି ରଖିନି ଆଜି କଣ ରଖିବ(?) ବୋଲି ପ୍ରଶ୍ନ କରିଛନ୍ତି ଦମ୍ପତି।