ନବୀନ ନିବାସ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ, କିରୋସିନ୍ ପିଇ ଦେହରେ ଢ଼ାଳି ନିଆଁ ଲଗାଇବା ବେଳେ ଧରିଲା ପୁଲିସ

ସହିଦନଗର ଥାନା ପୁଲିସ ନ୍ୟାୟ ଦେଉ ନ ଥିବା ଅଭିଯୋଗ

ଭୁବନେଶ୍ବର : ସମୟ ମଧ୍ୟାହ୍ନ ସାଢ଼େ ୧୨ଟା। ନବୀନ ନିବାସ ସାମ୍ନା ରାସ୍ତା ଚଳଚଞ୍ଚଳ ଥାଏ। ହଠାତ୍ ଜଣେ ବ୍ୟକ୍ତି ଦୌଡ଼ି ଦୌଡ଼ି ନବୀନ ନିବାସ ସାମ୍ନାକୁ ଚାଲି ଯାଇଥିଲେ। କେହି କିଛି ବୁଝିବା ପୂର୍ବରୁ ହାତରେ ଧରିଥିବା କିରୋସିନ୍ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏୟାରପୋର୍ଟ ପୁଲିସ ଓ ସୁରକ୍ଷାକର୍ମୀ କାବୁ କରି ନେଇଥିଲେ। ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲେ ବ୍ୟକ୍ତି। ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ସେ ହେଲେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ପ୍ରମୋଦ କୁମାର ନାୟକ। ସହିଦନଗର ବିଶ୍ବେଶ୍ବରୀ ବସ୍ତିରେ ରହୁଛନ୍ତି। କୋର୍ଟଚାଲାଣ ପରେ ତାଙ୍କୁ ଜେଲ୍ ପଠାଇ ଦିଆ ଯାଇଥିବା ଜଣାପଡ଼ିଛି।

ଏୟାରପୋର୍ଟ ଥାନା ପୁଲିସ ସୂଚନା ଅନୁସାରେ, ପ୍ରମୋଦଙ୍କ ସହ ତାଙ୍କ ପତ୍ନୀ ଓ ଶ୍ବଶୁର ଘର ଲୋକଙ୍କର ବହୁ ବର୍ଷ ହେଲା ବିବାଦ ରହିଛି। ପତ୍ନୀଙ୍କୁ ନିର୍ଯାତନା ମାମଲାରେ ସହିଦନଗର ପୁଲିସ କିଛିମାସ ତଳେ ପ୍ରମୋଦଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପ୍ରମୋଦଙ୍କୁ ତାଙ୍କ ପତ୍ନୀ ଓ ଶାଳକମାନେ ମାଡ଼ ମାରିଥିବା ନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଶୁଣି ନ ଥିଲା। ନ୍ୟାୟ ପାଇଁ ବାରମ୍ବାର ଦୌଡ଼ି ନିରାଶ ହୋଇଥିଲେ ପ୍ରମୋଦ। ଆତ୍ମହତ୍ୟା କରିବା ପାଇଁ ଶେଷ ନିଷ୍ପତ୍ତି ନେଇ ସାରିଥିଲେ।

ସୋମବାର ମଧ୍ୟାହ୍ନରେ ଏକ କିରୋସିନ୍ ବୋତଲ ଓ ଡିଆସିଲି ଧରି ନବୀନ ନିବାସ ନିକଟରେ ପହଞ୍ଚିଥିଲେ। ପ୍ରଥମେ ବୋତଲ ଖୋଲି କିଛି କିରୋସିନ୍ ପିଇଥିଲେ। ଏହା ପରେ ଦେହରେ ଢାଳି ହୋଇ ଡିଆସିଲି ମାରୁଥିବା ସମୟରେ ପାଟ୍ରୋଲିଂ କରୁଥିବା ଏୟାରପୋର୍ଟ ଥାନା ପୁଲିସ ଓ ସୁରକ୍ଷାକର୍ମୀ କାବୁ କରି ନେଇଥିଲେ। ଏ ସଂକ୍ରାନ୍ତରେ ଥାନାରେ ଆଇପିସି ଦଫା-୩୦୯ ଓ ୩୩୨ରେ ମାମଲା ରୁଜୁ ହୋଇଛି। ପ୍ରମୋଦ କାହିଁକି ଏଭଳି ନିଷ୍ପତ୍ତି ନେଲେ? ପୁଲିସ ବ୍ୟବହାରରେ ଅତିଷ୍ଠ ହୋଇଯାଇଥିଲେ କି? ଏଭଳି ଦିଗକୁ ନେଇ ପୁଲିସ ଭୂମିକା ଉପରେ ପ୍ରଶ୍ନବାଚୀ ଛିଡ଼ା ହୋଇଛି।

ସମ୍ବନ୍ଧିତ ଖବର