ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ

ପୁରୁଣା ଭୁବନେଶ୍ୱର: ଅପହୃତ ହୋଇଥିବା ବାପାଙ୍କୁ ଖୋଜିବାରେ ପୁଲିସର ଅବହେଳାକୁ ବିରୋଧ କରି ଆଜି ପୁଅ ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ସେଠାରେ ଉପସ୍ଥିତ ପୁଲିସ ତାଙ୍କୁ ବୁଝାସୁଝା କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକାରୀ ଏଥିରେ ହସ୍ତକ୍ଷେପ କରିଥିଲେ। ପ୍ରକାଶ ଯେ, ନୂଆପଲ୍ଲୀ ଥାନା ଅଧୀନ ଜୟଦେବ ବିହାର ନିକଟରେ ପ୍ରାତଃ ଭ୍ରମଣ ବେଳେ ଜଣେ ବରିଷ୍ଠ ନାଗରିକ ଫଣୀନ୍ଦ୍ର ଭୂଷଣ ବାଗ(୬୮)ଗତ ମାସ ୭ତାରିଖରୁ ନିଖୋଜ ଅଛନ୍ତି। ତାଙ୍କୁ ଅପହରଣ କରାଯାଇଛି ବୋଲି ଫଣୀନ୍ଦ୍ରଙ୍କ ପୁଅ ପ୍ରକାଶ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ତଦନ୍ତ କରି ପୁଲିସ ଅନୁଗୁଳରୁ ଫଣୀନ୍ଦ୍ରଙ୍କ ମୋବାଇଲ୍‌ ଜଣେ ଯୁବକଙ୍କଠାର ଜବତ କରିଛି। ଏହି ଘଟଣାରେ ପୁଲିସ ଜଣେ ଯୁବକକୁ ଅଟକ ରଖିଛି। ତେବେ ନିଖୋଜ ବାପାଙ୍କୁ ପୁଲିସ ଉଦ୍ଧାର କରିପାରୁ ନାହିଁ ବୋଲି ପ୍ରକାଶ କହିଛନ୍ତି। ଦୀର୍ଘ ମାସେ ହେଲା ନ୍ୟାୟ ନପାଇବାରୁ ଆଜି ସେ ପୂର୍ବାହ୍ନ ୧୧ଟାରେ ନବୀନ ନିବାସ ଆଗରେ ଆମରଣ ଅନଶନ କରିବା ସହ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ। ଡିସିପି ଘଟଣାର ତଦନ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତିଶ୍ରୁତି ଦେବା ପରେ ସେ ଏଥିରୁ ଓହରିଥିଲେ। ଏହାପରେ ପ୍ରକାଶ ଡିସିପିଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ କହିଥିଲା। ଏନେଇ ପଦକ୍ଷେପ ନିଆଯିବ ବୋଲି ଡିସିପି କହିଛନ୍ତି।

ସମ୍ବନ୍ଧିତ ଖବର