କରୋନା ବୁଡ଼ାଇ ଦେଲା ଜୀବିକା, ବେକରେ ରଶି ଦେଇ ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା

ବାଲିଅନ୍ତା: କରୋନାରେ ଜୀବିକା ଉଜୁଡ଼ି ଯାଇଥିବାରୁ ମାନସିକ ଭାରସାମ୍ୟ ହରାଇ ଆଜି ଜଣେ ଯୁବ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ, ବାଲିଅନ୍ତା ଥାନା ବଇଁଚୁଆ ବିଲସାହି ଗ୍ରାମର ଯୁଧିଷ୍ଠିର ସାହୁଙ୍କ ବଡ଼ ପୁଅ ଶତ୍ରୁଘ୍ନ ସାହୁ(୩୫)। ଶତ୍ରୁଘ୍ନଙ୍କ ଶବ ନଦୀପଠା ଆମ୍ବତୋଟାରେ ଝୁଲୁଥିବା ଦେଖି ସକାଳେ ମର୍ଣ୍ଣିଂୱାକ୍‌ କରୁଥିବା କିଛି ଲୋକ ଥାନାକୁ ଜଣାଇଥିଲେ। ବାଲିଅନ୍ତା ଥାନା ପୁଲିସ୍‌ ଶତ୍ରୁଘ୍ନଙ୍କ ଶବକୁ ତଳକୁ ଓହ୍ଲାଇ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ଅପରାହ୍‌ଣରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆର୍ଥିକ ଅନଟନରୁ ମାନସିକ ଭାରସାମ୍ୟ ହରାଇ ଶତ୍ରୁଘ୍ନ ଏଭଳି ଚରମ ପଦକ୍ଷେପ ନେଇଥିବା ତାଙ୍କ ସାନଭାଇ ସୁନାକର ସାହୁ ଏତଲାରେ ଦର୍ଶାଇଛନ୍ତି। ପରିବାରଲୋକଙ୍କ ଅଭିଯୋଗ ଆଧାରରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଶତ୍ରୁଘ୍ନ ୪ ବର୍ଷ ତଳେ ବିବାହ କରିଥିଲେ। କଂସାବାସନ ଓ ଜରିବ୍ୟାଗ୍‌ ବ୍ୟବସାୟ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ କରୋନା ମହାମାରୀ ପାଇଁ ତାଙ୍କ ବ୍ୟବସାୟ ବନ୍ଦ ହୋଇଯିବାରୁ ସେ ବିଭିନ୍ନ ଲୋକଙ୍କଠାରୁ ହାତ ଉଧାରି କରିଥି‌ଲେ। ତେବେ ଗତକାଲି କୌଣସି କଥାକୁ କେନ୍ଦ୍ର କରି ପରିବାରରେ ଝଗଡ଼ା ହୋଇଥିଲା। ଏହା ପରଠାରୁ ସେ ନିଖୋଜ ହୋଇଯାଇଥିଲେ। ପରିବାରଲୋକ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର ପତ୍ତା ମିଳି ନଥିଲା। ଆଜି ଭୋର୍‌ରେ ନଦୀପଠା ଆମ୍ବତୋଟା ଭିତରେ ଶବ ଝୁଲୁଥିବା ଲୋକେ ଦେଖି ବାଲିଅନ୍ତା ଥାନାକୁ ଫୋନ କରି ଜଣାଇଥିଲେ।

ସମ୍ବନ୍ଧିତ ଖବର