ଇଂଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼: ଯୁବତୀଙ୍କୁ ଦାୟୀ କଲେ ପରିବାରଲୋକ

ଭୁବନେଶ୍ବର: ଚନ୍ଦକା ଥାନା ଅଧୀନରେ ଘଟିଥିବା ଇଂଜିନିୟରିଂ ଛାତ୍ର ରତିକାନ୍ତ ଦାସଙ୍କ ମୃତ୍ୟୁ ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। ନମିତା ନାମକ ଜଣେ ଯୁବତୀଙ୍କ ପାଇଁ ରତିକାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ମା’ ଓ ଭାଇ ଅଭିଯୋଗ କରିଛନ୍ତି। ବାଣପୁର ଅଞ୍ଚଳର ରତିକାନ୍ତ, ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରେ ପାଠ ପଢ଼ୁଥିଲେ। ଗତକାଲି ତାଙ୍କ ଭାଇଙ୍କୁ ଜଣେ ଯୁବତୀ ଫୋନ୍ କରି କହିଥିଲେ ଯେ ଆପଣଙ୍କ ଭାଇ ବିଷ ପିଇ ଦେଇଛନ୍ତି। ତେଣୁ ତୁରନ୍ତ ଭୁବନେଶ୍ୱର ଆସିବାକୁ କହିଥିଲେ। ଘରଲୋକ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲା ବେଳକୁ ରତିକାନ୍ତଙ୍କ ମୃତ୍ୟୁ ହୋଇସାରିଥିଲା।

ଏନେଇ ଚନ୍ଦକା ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି। ସେଥିରେ ନମିତାଙ୍କ ନାମରେ ଅଭିଯୋଗ କରାଯାଇଛି। ନମିତାଙ୍କ ସହ ରତିକାନ୍ତ ଫୋନ୍‌ରେ କଥା ହେଉଥିଲେ ଏବଂ ଯୁବତୀଜଣଙ୍କ ସେଇ ବାଣପୁରର ବୋଲି ପରିବାରଲୋକ କହିଛନ୍ତି। ଏହି ମୃତ୍ୟୁ ପାଇଁ ନମିତା ଏବଂ ତାଙ୍କ ସହ ହସ୍ପିଟାଲ ଆସିଥିବା ଦୁଇ ସହଯୋଗୀ ଦାୟୀ ବୋଲି ପରିବାରଲୋକ କହିଛନ୍ତି। ତେବେ ଯୁବତୀଙ୍କ ସହ ରତିକାନ୍ତଙ୍କ ପ୍ରେମ ସମ୍ପର୍କ ଥିଲା କି ନାହିଁ, ତାହା ସ୍ପଷ୍ଟ ହୋଇନଥିଲେ ବି ତାଙ୍କ ସହ ଦୁହେଁ ବାରମ୍ବାର ଫୋନ୍‌ରେ କଥା ହେଉଥିବା ପରିବାରଲୋକ କହିଛନ୍ତି। ସେହିପରି ଟଙ୍କା ପଇସା କାରଣରୁ ମୃତ୍ୟୁ ହୋଇଥାଇପାରେ ବୋଲି ଏତଲାରେ ଲେଖାଯାଇଛି। ବଡ଼ କଥା ହେଉଛି, ରତିକାନ୍ତ ବିଷ ପିଇବା ପଛରେ ଏହି ଯୁବତୀଙ୍କ ଭୂମିକା ଓ କ’ଣ ସମ୍ପର୍କ ଥିଲା, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର