ଭୁବନେଶ୍ବର/ମେଣ୍ଢାଶାଳ: ରାଜଧାନୀ ଉପକଣ୍ଠ ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମର ଅନ୍ତେବାସୀ ବିପିନ ବିହାରୀ ଦେହୁରୀଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାକୁ ନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ନଥିବା ଅଭିଯୋଗ ହେଉଛି। ଜଣେ ଶାନ୍ତ, ସରଳ, ନିରୀହ ଆଦିବାସୀ ଅନ୍ତେବାସୀ ଜେଲ୍ ଭିତରେ କ’ଣ ପାଇଁ ନିଜର ଗଳାକାଟି ଆତ୍ମହତ୍ୟା ଉଦ୍ୟମ କଲେ, ସେନେଇ ତଦନ୍ତ ଆରମ୍ଭ ହୋଇନାହିଁ। ଜେଲ୍ ଏଡିଜିଙ୍କ ନିର୍ଦ୍ଦେଶ ସତ୍ତ୍ବେ ଡିଆଇଜି ତଦନ୍ତ ଆରମ୍ଭ କରି ନଥିବା ଜଣାପଡ଼ିଛି। ଏହି ଅଘଟଣର ୨ଦିନ ପୂର୍ବରୁ ଅନ୍ତେବାସୀ ମକମନ ମୁଣ୍ଡା ଉଭାନ ହୋଇଯାଇଥିଲେ। ସେ ଏବେ ବି ନିଖୋଜ ଅଛନ୍ତି। ଏଣେ ବିପିନଙ୍କ ମାମଲାରେ ତଦନ୍ତ ଆରମ୍ଭ ହୋଇନାହିଁ। ତେଣୁ ଜେଲ୍ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ଆଶ୍ରମ ବା ଜେଲ୍ ପରିଚାଳନାରେ ବ୍ୟାପକ ଅବହେଳା ଲାଗିରହିଥିବା ଆଲୋଚନା ହେଉଛି।
ଏହି ଜେଲ୍ର ଅଧୀକ୍ଷକ ସମୀର ସାହୁ କେବଳ ନାଁକୁ ଦାୟିତ୍ବରେ ଅଛନ୍ତି। ସେ ବହୁ ସମୟରେ ଜେଲ୍ ବିଭାଗର ନଅ ତାଲାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ କାମ କରୁଛନ୍ତି। ଜେଲର୍ ଓ ଅନ୍ୟ ତଳିଆ କର୍ମଚାରୀଙ୍କ ହାତରେ ରହିଛି ପରିଚାଳନା ଭାର। ତେଣୁ ଏହି ଆଶ୍ରମ ଏବେ ମୁରବିହୀନ ହୋଇପଡ଼ିଛି ବୋଲି ଅଭିଯୋଗ ହେଉଛି। ଏଥିପାଇଁ ବିଭିନ୍ନ ସମୟରେ ଅନ୍ତେବାସୀମାନେ ଅବହେଳାର ଶିକାର ହେଉଛନ୍ତି। ବଡ଼ କଥା ହେଉଛି, ଅନ୍ତେବାସୀମାନଙ୍କୁ ମିଳୁଥିବା ଖାଦ୍ୟ ନିମ୍ନମାନର ବୋଲି ସଂଗିନ ଅଭିଯୋଗ ହୋଇଛି। କିଛି ଦିନ ପୂର୍ବେ ଅନ୍ତେବାସୀମାନେ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଏନେଇ ଅଭିଯୋଗ କରିଥିଲେ। ଏକଦା ଏଠାରେ ୧୧୦ ଅନ୍ତେବାସୀ ରହୁଥିଲେ। ଏବେ ମାତ୍ର ୩୮ଜଣ ଅଛନ୍ତି। ଅଥଚ ଏତିକି ସଂଖ୍ୟକ ଅନ୍ତେବାସୀଙ୍କୁ ଭଲରେ ରଖିବା ସମ୍ଭବ ହେଉନାହିଁ। ସେମାନେ ଆଶ୍ରମ ପରିସରରେ ପରିବା ଚାଷ କରୁଛନ୍ତି, ଗାଈ ରଖି ଦୁଧ ଉତ୍ପାଦନ କରୁଛନ୍ତି, ମାତ୍ର ଭଲରେ ମୁଠାଏ ଖାଇବାକୁ ପାଉନାହାନ୍ତି। ଏନେଇ ଅଭିଯୋଗ କରିବାକୁ ସେମାନଙ୍କର ଜୁ ନାହିଁ। କାରଣ ଆଜୀବନ କାରାବାସ ଭୋଗୁଥିବା ଏହି ଅନ୍ତେବାସୀମାନଙ୍କ ସ୍ବଭାବ ବଦଳିଛି ବୋଲି ମୁକ୍ତକାଶ ଆଶ୍ରମକୁ ଅଣାଯାଇଛି। ସେମାନେ କୌଣସି ପ୍ରକାର ବିଶୃଙ୍ଖଳା କଲେ, ସେମାନଙ୍କ ଚରିତ୍ର ପଞ୍ଜିକାରେ ନାଲି ଦାଗ ପଡ଼ିଯିବାର ଭୟ ରହିଛି। ସେମାନଙ୍କୁ ପୁଣି ଅନ୍ୟ ଜେଲ୍କୁ ଫେରାଇଦିଆଯିବ ଏବଂ ମୁକ୍ତି ବିଳମ୍ବିତ ହେବ ବୋଲି ପରୋକ୍ଷ ଧମକ ମିଳିଥାଏ। ବିପିନ ମାମଲାର ତଦନ୍ତ ବାବଦରେ ଯୋଗାଯୋଗ କରାଯିବା ପରେ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାରଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ।