ବଢ଼ୁଛି ଆତ୍ମହତ୍ୟା ପ୍ରବଣତା

ଭୁବନେଶ୍ବର: ବଢ଼ୁଛି ଆତ୍ମହତ୍ୟାପ୍ରବଣତା। କ୍ଷଣିକ ଉତ୍ତେଜନାରେ ବଶୀଭୂତ ହୋଇ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ଗତ ୫ ବର୍ଷର ତଥ୍ୟ ଉପରେ ନଜର ପକାଇଲେ, ରାଜ୍ୟରେ ଏହି ହାର ଉଦ୍‌ବେଗଜନକ ରହିଥିବା ବେଳେ ତାଲିକାରେ ଭୁବନେଶ୍ବର‌ ବହୁ ଆଗରେ ରହିଛି। ଏହାଠୁ ଅଧିକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୭୦ ପ୍ରତିଶତ ଯୁବପିଢ଼ି। ପ୍ରେମରେ ବିଫଳତା, ପାଠପଢ଼଼ା, କାମ ଚାପ, ପରିବାରରେ ଅଶାନ୍ତି ଆଦି କାରଣ‌ ପାଇଁ ଧୈର୍ଯ୍ୟହରା ହୋଇ ସେମାନେ ଏତେ ବଡ଼ ଭୁଲ୍‌ କରି ବସୁଛନ୍ତି। ସାଧାରଣରେ ଆଲୋଡ଼ନ ସୃଷ୍ଟି କରୁଥିବା ଏହି ଘଟଣା ବୁଦ୍ଧିଜୀବୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ଡିଜେ ଅକ୍ଷୟ ମହାରଣା ଓରଫ୍‌ ଆଜେକ୍ସଙ୍କ ଆତ୍ମହତ୍ୟାକୁ ଦିନ କେଇଟା ପୂରି ନଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ହୋଟେଲ‌ରେ ଆଜି ଆଉ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ପ୍ରେମ ପାଇଁ ସେ ହୋଟେଲ ରୁମ୍‌ରେ ଫ୍ୟାନ୍‌ରେ ଝୁଲି ନିଜ ଜୀବନ ହାରିଥିବା କୁହାଯାଉଛି। ସେହିପରି ରାଜଧାନୀ ଉପକଣ୍ଠ ଅଙ୍ଗାରପଡ଼ାର ଏକ ଜଙ୍ଗଲରୁ ମଧ୍ୟ ସୁରେଶ ମହାପାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଦିନକରେ ଦୁଇ ଦୁଇଟି ମୃତଦେହ ଜବତ ହେବା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।

ରାଜଧାନୀରେ ଉଦ୍‌ବେଗଜନକ
ଦିନକରେ ଦୁଇ ମୃତଦେହ ଉଦ୍ଧାର

ଜାତୀୟ ଅପରାଧ ରିପୋର୍ଟ ବ୍ୟୁରୋର ତଥ୍ୟ ଅନୁସାରେ, ୨୦୨୦ ମସିହାରେ ରାଜ୍ୟରେ ୫୪୮୨ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୧ରେ ୫୬୪୨ ଜଣ ମୃତ୍ୟୁବରଣ କରିଛନ୍ତି। ତଥ୍ୟ ଅନୁସାରେ ୨୦୧୬ରୁ ୨୦୨୧ ମଧ୍ୟରେ ଓଡ଼ିଶାରେ ସମୁଦାୟ ୨୮,୩୪୯ଜଣ ଆତ୍ମହତ୍ୟା କରିଛନ୍ତି। ସେହିଭଳି କେବଳ ରାଜଧାନୀ ଭୁବନେଶ୍ବରରେ ୨୦୧୭ରେ ୨୩୧ଜଣ, ୨୦୧୮ରୁ ୨୨୪ଜଣ, ୨୦୧୯ରେ ୨୨୦ଜଣ, ୨୦୨୦ରେ ୩୧୦ଜଣ, ୨୦୨୧ରେ ୨୮୨ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୨ରେ ୪୮ପ୍ରତିଶତ ବୃଦ୍ଧି ପାଇ ୪୧୭ରେ ପହଞ୍ଚିଛି। ୨୦୨୩ରେ ଏହି ସଂଖ୍ୟା‌ରେ ବୃଦ୍ଧି ଘଟିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।
କଟକ ବଡ଼ ଡାକ୍ତରଖାନାର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ ମହାପାତ୍ର କହିଛନ୍ତି ଯେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମହତ୍ୟାପ୍ରବଣତା ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ପ୍ରେମ ବିଫଳତା, ବିଭିନ୍ନ ପରୀକ୍ଷାରେ ବିଫଳତା, ଉଚ୍ଚ ଅଭିଳାଷା, ନିଶା ସେବନ, ଇଣ୍ଟରନେଟ୍ ପ୍ରତି ମାତ୍ରାଧିକ ମୋହ। ଯୁବକମାନଙ୍କ ମଧ୍ୟରେ ଏକୁଟିଆପଣ ମଧ୍ୟ ଆତ୍ମହତ୍ୟାର କାରଣ ହେଉଛି।

ଏଥିରୁ ନିବୃତ୍ତ ପାଇଁ ପରିବାରଲୋକଙ୍କ ସହ ସମୟ ବିତାଇବ‌‌ା ସହ ସମୟେ ସମୟେ ମାନସିକ ବିଶେଷଜ୍ଞଙ୍କ ପରାମର୍ଶ ନେବା କଥା। ଆଜିକାଲି ଡିପ୍ରେସନ୍‌ ନିରାକରଣ ପାଇଁ ବିଭିନ୍ନ ହେଲ୍ପଲାଇନ, ଅନଲାଇନରେ ମଧ୍ୟ ମାନସିକ ରୋଗ ବିଶେଷଜ୍ଞମାନେ କାଉନସେଲିଂ କରୁଛନ୍ତି। ସେମାନଙ୍କ କାଉନସେଲିଂ ଆବଶ୍ୟକ। ବିଫଳତା ପରେ ଏହାର କାଉନସେଲିଂର ଆବଶ୍ୟକ ରହିଛି। ସେହି କିଛି ଦିନ ବିତିଗଲା ପରେ ଆଉ ଆତ୍ମହତ୍ୟା କରିବାକୁ ମନକୁ ଆସି ନଥାଏ।

ସମ୍ବନ୍ଧିତ ଖବର