ପ୍ରେମ ବିଚ୍ଛେଦରୁ ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ଭୁବନେଶ୍ୱର ଭରତପୁର ଥାନା ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ପ୍ରେମ ବିଚ୍ଛେଦରୁ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଶକ୍ତିପ୍ରସାଦ ଶତପଥୀ(୨୮)। ଶକ୍ତିପ୍ରସାଦ ଥିଲେ ଜଣେ ଗାଡି ବ୍ୟବସାୟୀ । ସେ ନୟାପଲ୍ଲୀ ଅଞ୍ଚଳର ଜଣେ ଝିଅଙ୍କୁ ଗତ ୬ ବର୍ଷ ହେବ ପ୍ରେମ କରୁଥିଲେ। କିଛିଦିନ ତଳେ ଯୁବକ ଜଣଙ୍କର ପ୍ରେମ ବିଚ୍ଛେଦ ହୋଇଥିଲା। ଏହାକୁ ସହ୍ୟ ନକରିପାରି ସୋମବାର ସେ ଆତ୍ମହତ୍ୟା କରିଥିଲେ।

ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଭରତପୁର ପୁଲିସ ଉଦ୍ଧାର କରିଛି। କିନ୍ତୁ ମୃତଦେହ ନିକଟରୁ ଏକ ଚିଠି ଜବତ କରିଛି ପୁଲିସ। ଏହି ଚିଠିରେ ଯୁବତୀ ଜଣଙ୍କ ଲେଖିଛନ୍ତି ଯେ ସେ କିଛି ବ୍ୟକ୍ତିଗତ କାରଣକୁ ନେଇ ଶକ୍ତିଙ୍କୁ ବିବାହ କରିବାକୁ ମନା କରିଥିଲେ। ଫଳରେ ଶକ୍ତି ବାରମ୍ବାର ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର କରୁଥିଲେ। ଯାହା ଅସହ୍ୟ ହୋଇଥିଲା ବୋଲି ଚିଠିରେ ଉଲ୍ଲେଖ ରହିଛି। ତେବେ ଶକ୍ତିଙ୍କ ଆତ୍ମହତ୍ୟା ପଛରେ ଚିଠିର କ’ଣ ସମ୍ପର୍କ ରହିଛି , ଚିଠିରେ ଉଲ୍ଲେଖ ଥିବା ଯୁବତୀ ଜଣକ କିଏ , ତାକୁ ନେଇ ପୁଲିସ ତଦନ୍ତ କରୁଛି। ଅନ୍ୟପଟେ ଉଭୟଙ୍କ ସମ୍ପର୍କରେ ତିକ୍ତତା କାରଣରୁ ଶକ୍ତି ଆତ୍ମହତ୍ୟା କରିଥିବା କହିଛନ୍ତି ତାଙ୍କ ବନ୍ଧୁ। ଯୁବକଙ୍କ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୁଲିସ। ଏହାସହ ମୃତ ଯୁବକଙ୍କ ପରିବାରକୁ ଅବଗତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର