ବାରଙ୍ଗ/ତ୍ରିଶୁଳିଆ: ବାରଙ୍ଗ ଥାନାରେ କାର୍ଯ୍ୟରତ ପୁଲିସ ଏଏସ୍ଆଇ ଅଶୋକ କୁମାର ପ୍ରଧାନ(୪୭) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଗତ ଶନିବାର ବାରଙ୍ଗ ଥାନାରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଗତକାଲି ବିଳମ୍ବିତ ରାତିରେ ସେ ନନ୍ଦନକାନନ ଥାନା ଅଧୀନ ପଦାସାହି ଗ୍ରାମସ୍ଥିତ ବାସଭବନକୁ ଆସିଥିଲେ। ହେଲେ ସକାଳ ହେବା ବେଳକୁ ସେ ଘର ଭିତରେ ବେକରେ ରଶି ଲଗାଇ ଫ୍ୟାନ୍ରେ ଝୁଲି ପଡ଼ିଥିବା ଜଣାପଡ଼ିଥିଲା। ପରିବାରଲୋକ ତାଙ୍କୁ ତଳକୁ ଓହ୍ଲାଇ ବାରଙ୍ଗ ଥାନାକୁ ସୂଚନା ଦେଇଥିଲେ।
ପୁଲିସ ଅଶୋକଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଏନେଇ ମଙ୍ଗଳାବାଗ ଥାନାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପାରିବାରିକ ଅଶାନ୍ତି କାରଣରୁ ଅଶୋକ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରୁଛି। ତେବେ ଜଣେ କାର୍ଯ୍ୟରତ ପୁଲିସ ଏଏସଆଇଙ୍କର ଏଭଳି ମୃତ୍ୟୁକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଅଶୋକଙ୍କର ପତ୍ନୀ, କନ୍ୟା ଓ ପୁତ୍ର ଅଛନ୍ତି।