ଚନ୍ଦ୍ରଶେଖରପୁର : ବିଶ୍ୱରେ ବଢ଼ି ଚାଲିଛି ଆତ୍ମହତ୍ୟା। ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି। ପ୍ରତିବର୍ଷ ବିଶ୍ୱରେ ୮ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି, ଯାହାକି ଏକ ସତର୍କ ଘଣ୍ଟି। ଏହାକୁ ରୋକିବା ପାଇଁ ଏକାଠି ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଇଂରାଜୀ ସମ୍ବାଦପତ୍ର ‘ଦି ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ ପକ୍ଷରୁ ଆଜି ରେଳ ପ୍ରେକ୍ଷାଳୟରେ ‘ଆତ୍ମହତ୍ୟା ଦୂର ନେଇ ଅନୁଷ୍ଠିତ ସଚେତନତା’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

Advertisment

ଶ୍ରୀ ଶର୍ମା କହିଥିଲେ ଯୁବପିଢ଼ିମାନେ ଅଧିକ ସଂଖ୍ୟାରେ ଆତ୍ମହତ୍ୟାର ଶିକାର ହେଉଛନ୍ତି। ବିଶେଷକରି ୧୫ରୁ ୩୦ ବର୍ଷ ବୟସର ଯୁବକ ଯୁବତୀମାନେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ପନ୍ଥା ଆପଣାଉଛନ୍ତି। ନିୟମିତ ଭାବେ ଯୌତୁକ ନିର୍ଯାତନା, ଏକୁଟିଆ ଅନୁଭବ କରିବା, ମନ ଭାଙ୍ଗିଯିବା, ସମ୍ପତ୍ତି କ୍ଷତି ପରି କାରଣ ପାଇଁ ଯୁବପିଢ଼ି ଆତ୍ମହତ୍ୟା କରିଥାନ୍ତି। ଏବେ ବିଭିନ୍ନ ପ୍ରକାର ଗେମ୍‌ ଦ୍ୱାରା ଛାତ୍ରଛାତ୍ରୀ, ଯୁବକ ଯୁବତୀ ଆତ୍ମହତ୍ୟା କରୁଛନ୍ତି। ତାହାକୁ ରୋକିବା ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଏମ୍‌ସର ଆସୋସିଏଟ୍‌ ପ୍ରଫେସର ବି.ଆର. ମିଶ୍ର, ନାଇଜର ଡିନ୍‌ ଡ. ପ୍ରଣୟ ସ୍ୱାଇଁ, ‘ଦି ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ର ଆବାସିକ ସମ୍ପାଦକ ଶିବ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଆତ୍ମହତ୍ୟା ରୋକିବା ଦିଗରେ ମିଳିତ ପ୍ରୟାସ ଆବଶ୍ୟକ ବୋଲି କହିଥିଲେ। ପରେ ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।