ଭୁବନେଶ୍ବର: ଡଟ୍ଫେଷ୍ଟର ପ୍ରମୁଖ ଅଂଶ ଭାବରେ ପ୍ରଦର୍ଶନୀ ପଡ଼ିଆରେ ୧୦ ଦିନ ଧରି ଚାଲିଥିବା ଭୁବନେଶ୍ବର ଲାଇଭ୍ ଆଜି ଏକ ଦମ୍ଦାର ପ୍ରଦର୍ଶନରେ ଶେଷ ହୋଇଛି। ଗୀତ, ନାଚ ଆଉ ମସ୍ତିରେ ଝୁମିଛନ୍ତି ଭୁବନେଶ୍ବରବାସୀ। ସୁଖ୍ୱିନ୍ଦର ସିଂହଙ୍କର ଧମାକାଦାର ପ୍ରଦର୍ଶନ ଦର୍ଶକଙ୍କ ମନ ମୋହିଛି। ତାଙ୍କର ପ୍ରତିଟି ଗୀତକୁ ମନଭରି ଉପଭୋଗ କରିଛନ୍ତି ଦର୍ଶକ। ରମ୍ତାଯୋଗୀ..ରୁ ଗୀତ ଆରମ୍ଭ ହୋଇଥିଲା। ଏହା ପରେ ପରେ ଚଲ୍ ଛୈୟାଁ ଛୈୟାଁ, ହୋଲେ ହୋଲେ ହୋ ଜାଏଗା ପ୍ୟାର, ଆଜା ଆଜା ଦିଲ୍ ନିଚୋଡ଼େ, ବିଡି ଜଲେଇଲେ, ହାଲୋ ହାଲୋ, ଜୟ ହୋ, ଉଡ଼ି ଉଡ଼ି ଯାଏ ଦିଲ୍ କି ପତଙ୍ଗ, କର ହର୍ ମୈଦାନ୍ ଫତେ, ଧନ୍ ଟାନା, ଜୟ ହୋ... ଆଦି ଗୀତରେ ଦର୍ଶକ ସିଟ୍ରେ ବସି ନଥିଲେ। ସବୁ ନାଚିବାରେ ବ୍ୟସ୍ତ ଥିଲେ। ‘ଜୟ ହୋ’ ଗୀତରେ ଜାତୀୟ ପତାକା ସହ ସେ ମଞ୍ଚକୁ ଆସିଥିଲେ। ଏଥିରେ ଦର୍ଶକଙ୍କୁ ମଧ୍ୟ ସାମିଲ କରିଥିଲେ। ନିଜେ ଦର୍ଶକଙ୍କ ପାଖକୁ ଚାଲି ଆସିଥିଲେ। ଦର୍ଶକ ତାଙ୍କ ସହ ତାଳ ମିଳାଇ ଗାଇଥିଲେ। ‘ଜୟ ହୋ, ଜୟ ହୋ’ ନାଦରେ ପ୍ରଦର୍ଶନୀ ପଡ଼ିଆ ପ୍ରକମ୍ପିତ ହୋଇଥିଲା। ସେହିଭଳି ଚକ ଦେ ଇଣ୍ଡିଆ ଗୀତରେ ମଧ୍ୟ ଦର୍ଶକ ତାଙ୍କ ସହ ଗାଇଥିଲେ।
ଶେଷରେ ପୁରୁଣା ଗୀତକୁ ନେଇ ଏକ ମେଡ୍ଲି ପ୍ରସ୍ତୁତ କରିଥିଲେ। ଏଥିରେ ବି ଡାନ୍ସ ଧମାକା ରହିଥିଲା। ଗୁଞ୍ଜ ସା ହୈ କୋଇ ଇକ୍ତାରା, ଆପ୍ କା କ୍ୟା ହୋଗା ଜନାବ୍-ଏ-ଅଲୀ, କଭି ଆର୍ କଭି ପାର୍ ଲଗେ ତୀର-ଏ-ନଜର, ମେରା ମନ ଡୋଲେ ମେରା ତନ ଡୋଲେ, ହୋନି ମେ ୟାର ମନାନା ନି, ଜୋ ୱାଦା କିୟା ୱ ନିଭାନା ପଡ଼େଗା ଆଦି ଗୀତ ମଧ୍ୟ ବେଶ୍ ଝୁମାଇଥିଲା ଦର୍ଶକଙ୍କୁ। ତାଙ୍କ ସହ ମାଧୁରୀ ଶ୍ରୀବାସ୍ତବ ଦ୍ବୈତକଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ।
ଶେଷ ସନ୍ଧ୍ୟା ଆରମ୍ଭ ହୋଇଥିଲା ‘ଡିଆଇଡି ଚାମ୍ପିଅନ୍’ ସଲମନ୍ ୟୁସୁଫ୍ ଖାନ୍ଙ୍କ ଡାନ୍ସ ଧମାକାରୁ। ତୁ ମେରା କୋଇ ଭି, ତୁ ମେରି ଦୁନିଆ ପ୍ରଭୃତି ଗୀତରେ ନାଚି ନାଚି ସେ ଦର୍ଶକଙ୍କ ଭିଡ଼କୁ ଚାଲି ଆସିଥିଲେ। ଦର୍ଶକଙ୍କ ସହ ନାଚି ନାଚି ଶୀତୁଆ ମାହୋଲ୍ରେ ଉଷ୍ମତା ଭରି ଦେଇଥିଲେ। ଭୁବନେଶ୍ବରରେ ନାଚିବା ପାଇଁ ୧୫ଦିନ ହେବ ଡାଏଟିଂ କରୁଥିଲେ। ଆଶା ପୂରଣ ହେଲା। ଏବେ ଭୁବନେଶ୍ବର ଖାଦ୍ୟ ଖାଇବି। କୁହ ଏଠି କ’ଣ ଫେମସ୍? ଏଭଳି ଲୋକଙ୍କ ସହ ମସ୍ଗୁଲ୍ ହୋଇଥିଲେ। ତେବେ ତାଙ୍କର ସବୁଠାରୁ ଆକର୍ଷଣୀୟ ପ୍ରଦର୍ଶନ ଥିଲା ଓଡ଼ିଆ ଗୀତରେ ନାଚ। ପ୍ରତ୍ୟେକ ଓଡ଼ିଆଙ୍କୁ ସମର୍ପିତ ‘ତୁ ମୋରି ଦୁନିଆ, ତୁ ଥରେ ବୁଝିଯା ପ୍ରିୟା’ ଗୀତରେ ତାଙ୍କ ନାଚକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ତାଳି ଓ ହ୍ବିସିଲ୍ରେ ଫାଟି ପଡ଼ିଥିଲା ପ୍ରଦର୍ଶନୀ ପଡ଼ିଆ।
ଇଣ୍ଡିଆନ୍ ଆଇଡଲ୍ ଫେମ୍ ପୱନଦୀପ ଓ ଅରୁଣିତା ହିଟ୍ ଗୀତ ଗାଇ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଅଗର୍ ତୁମ୍ ମିଲ୍ ଯାଓ, ତୁହିରେ ତୁହିରେ, ଲଗ୍ ଯା ଗଲେକୁ ଦର୍ଶକ ପସନ୍ଦ କରିଥିଲେ। ଏହା ପରେ ପରେ ‘କୈସେ ହୁଆ ତୁ ଇତନା ଜରୁରି’ ଗୀତ ଗାଇ ମଞ୍ଚକୁ ପ୍ରବେଶ କରିଥିଲେ ପୱନଦୀପ ରାଜନ୍। ଏହାପରେ ଜୋ ତୁମ ନା ହୋ, କୈସେ ହୁଆ, ଲେ ଯାଏ କାହାଁ ହୱାଏଁ, ତୁ ଜୋ ମିଲା, ଏ ମେରି ଜମିନରେ ଦର୍ଶକ ଝୁମିଥିଲେ। ତେବେ ଏହି ହିଟ୍ ଯୋଡ଼ିଙ୍କଠାରୁ ଆହୁରି ଅଧିକ ଗୀତ ଶୁଣିବା ପାଇଁ ଦର୍ଶକ ଆଶା କରିଥିଲେ ମଧ୍ୟ ସେମାନେ ହତାଶ କରିଥିଲେ।
ଶେଷରେ ସଲ୍ମାନ ୟୁସୁଫ ଖାନ, ସୁଖୱିନ୍ଦର ସିଂ, ଅରୁଣିତା କାଞ୍ଜିଲାଲ୍ ଓ ପୱନଦୀପ୍ ରାଜନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମେୟର ସୁଲୋଚନା ଦାସ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ସେମାନଙ୍କୁ ଉପଢ଼ୌକନ ପ୍ରଦାନ କରିଥିଲେ।
ସୁଖୱିନ୍ଦରଙ୍କ ଫ୍ୟାନ୍
ଆଜି ଦର୍ଶକଙ୍କ ଭିଡ଼ରେ ସୁଖୱିନ୍ଦର ସିଂଙ୍କ ଫ୍ୟାନ୍ଙ୍କ ଭିଡ଼ ରହିଥିଲା। ରାୟଗଡ଼ାରୁ ଆସିଥିବା ରମାକାନ୍ତ ନାୟକ ନିଜ ପ୍ରିୟ କଣ୍ଠଶିଳ୍ପୀ ସୁଖୱିନ୍ଦରଙ୍କ ପ୍ରୋଟ୍ରେଟ୍ ଆଙ୍କି ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିଥିଲେ। ଫଟୋ ଧରି ଭିଡ଼ ଭିତରେ ସେ ସୁଖୱିନ୍ଦରଙ୍କୁ ଦେଖାଇଥିଲେ।
ମନ ମୋହିଲେ ପ୍ରତ୍ୟୁଷ
ଭୁବନେଶ୍ୱର: ଏକାମ୍ର ହାଟରେ ଚାଲୁଥିବା ଡଟ୍ ଫେଷ୍ଟ ‘ଷ୍ଟେଜ୍ ଏ’ରେ ନିଜ କଣ୍ଠ ଧ୍ୱନିରେ ଦର୍ଶକଙ୍କ ମନ ଜିଣି ନେଇଛନ୍ତି ପ୍ରତ୍ୟୁଷ ମିଶ୍ର। ତାଙ୍କ ଗୀତ ସରିଲା ବେଳକୁ ଵାନସ୍ ମୋର୍.. ଵାନସ୍ ମୋର୍... କହି ଉତ୍ସାହିତ କରୁଥିଲେ ଦର୍ଶକ। ପ୍ରତ୍ୟୁଷ ମଧ୍ୟ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଭେଟି ଦେଉଥିଲେ। ପେସାରେ ଓକିଲ ପ୍ରତ୍ୟୁଷଙ୍କ ଗୀତ ପାଇଁ ପ୍ରବଳ ରୁଚି ରହିଛି। ତାଙ୍କ କହିବା ଅନୁଯାୟୀ, ପିଲାବେଳୁ ସେ ନିଜ ମା’ଙ୍କ ପ୍ରେରଣାରେ ଅନୁପ୍ରେରିତ ହୋଇ ଗୀତ ଗାଇବା ଆରମ୍ଭ କରିଥିଲେ। ମାତ୍ର ୩ ବର୍ଷ ବୟସରୁ ହିଁ ସେ ଭଜନ ସଂଧ୍ୟାର ମଞ୍ଚଗୁଡ଼ିକରେ ନିଜର କଳା ପ୍ରଦର୍ଶନ କରିବା ଆରମ୍ଭ କରିଦେଇଥିଲେ। ପ୍ରତ୍ୟୁଷଙ୍କ ମା’ ପ୍ରତିମା ମିଶ୍ର ଜଣେ କଣ୍ଠଶିଳ୍ପୀ ଏବଂ ପିତା ପ୍ରଫୁଲ୍ଲ ମିଶ୍ର ଜଣେ ସରକାରୀ କର୍ମଚାରୀ। କିଟ୍ ଆଇନ ମହାବିଦ୍ୟାଳୟରୁ ପାଠପଢ଼ା ସାରିବା ପରେ ପ୍ରତ୍ୟୁଷ ସଙ୍ଗୀତ କ୍ଷେତ୍ରରେ ଅଧିକ ଧ୍ୟାନ ଦେଉଥିବା କହିଛନ୍ତି। ଏଥିସହ ସେ ଜୀବନରେ ମାତାପିତାଙ୍କ ପ୍ରତି ଭକ୍ତିଭାବ ଏବଂ ଭଗବାନଙ୍କ ଉପରେ ବିଶ୍ୱାସକୁ ସଫଳତାର ଚାବିକାଠି ଭାବି ଚାଲୁଥିବା କହିଛନ୍ତି।