ସମ୍‌ ହସ୍ପିଟାଲ୍‌ରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ବର: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍ ଆଣ୍ଡ୍ ସମ୍‌ ହସ୍ପିଟାଲ୍‌ରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇ ମସ୍ତିଷ୍କରେ ହୋଇଥିବା ଟ୍ୟୁମର୍‌କୁ ବାହାର କରାଯାଇ। ମସ୍ତିଷ୍କକୁ ନ ଖୋଲି ନାକର ରନ୍ଧ୍ର ବାଟ ଦେଇ ଏହି ସଫଳ ଅସ୍ତ୍ରୋପଚାର କରାଯାଇଛି। ହସ୍ପିଟାଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଅଞ୍ଚଳର ୩୧ ବର୍ଷୀୟ ସିଲୁ ଜେନା ମୁଣ୍ଡର ଡାହାଣ ପାର୍ଶ୍ବରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବା ସହ ଡାହାଣ ଆଖିରେ ସବୁ ଜିନିଷ ଦୁଇ ଦୁଇଟି ଦେଖାଯିବାର ସମସ୍ୟା ‌ସୃଷ୍ଟି ହୋଇଥିଲା। ଅନେକ ଜାଗାରେ ପରାମର୍ଶ କଲା ପରେ ସମ୍‌ ହସ୍ପିଟାଲ୍‌କୁ ଆସିଥିଲେ। ଇଏନ୍‌ଟି ଓ ଏଣ୍ଡୋସ୍କୋପିକ୍‌ ସ୍କୁଲ୍‌ ବେସ୍ ସର୍ଜରିରେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ସିନିୟର୍‌ କନ୍ସଲ୍‌ଣ୍ଟାଣ୍ଟ୍‌ ଡାକ୍ତର ରାଧାମାଧବ ସାହୁଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିଲା ଯେ ଚକ୍ଷୁର ପଛ ପାଖ ଦେଇ ମସ୍ତିଷ୍କ ମଧ୍ୟକୁ ଯାଇଥିବା ସ୍ନାୟୁର ମଧ୍ୟ ଭାଗରେ ଏକ ଟ୍ୟୁମର୍ ସୃଷ୍ଟି ହୋଇଛି। ଏହି ପ୍ରକାର ଜଟିଳ ରୋଗରୁ ମୁକ୍ତି ନିମନ୍ତେ ଅଧିକାଂଶ ସମୟରେ ପୂରା ମସ୍ତିଷ୍କକୁ ଖୋଲି ଓପନ୍‌ ବ୍ରେନ୍‌ ସର୍ଜରି କରାଯାଇଥାଏ। କିନ୍ତୁ ଡାକ୍ତର ସାହୁ ଓ ଡାକ୍ତର ଏସ୍‌ ପାଣିଗ୍ରାହୀ ଓପନ୍‌ ବ୍ରେନ୍ ସର୍ଜରି ନ କରି ନାକ ବାଟ ଦେଇ ଆଡ୍‌ଭାନ୍ସ ଏଣ୍ଡୋସ୍କୋପିକ୍ ସ୍କୁଲ୍‌ ବେସ୍ ସର୍ଜରି ଦ୍ବାରା ଟ୍ୟୁମର୍‌ଟିକୁ ସଫଳତାର ସହ କାଢ଼ିପାରିଛନ୍ତି। ଅପରେସନ୍‌ର ୫ ଦିନ ପରେ ରୋଗୀ ଘରକୁ ଫେରି ଯାଇଛନ୍ତି। ଆଗାମୀ ଦିନରେ ଏପରି ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍‌ ସ୍କୁଲ୍‌ବେସ୍‌ ସର୍ଜରି ପ୍ରକ୍ରିୟାକୁ ଆହୁରି ବ୍ୟାପକ କରାଯିବ ବୋଲି ରୋଗୀ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର