‘ସମ୍ମମ’ରେ ନୂଆ ପଦ୍ଧିତରେ କଢ଼ାଗଲା ଶରୀରରୁ ଚର୍ବି

ଭୁବନେଶ୍ବର : ଶରୀରରେ ଥିବା ଅଧିକ ଚର୍ବି କଢ଼ାଯିବାର ନୂତନ ପଦ୍ଧତି ସମ୍ ଅଲଟିମେଟ୍ ମେଡିକେୟାର (ସମ୍ମମ)ରେ ଆରମ୍ଭ ହୋଇଛି। ଆଜି ସମ୍ମମ୍‌ର ପ୍ଲାଷ୍ଟିକ୍ ସର୍ଜରି ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ ଥର ଲାଗି ନୂତନ ପଦ୍ଧତିରେ ପାୱାର ଆସିଷ୍ଟେଡ୍‌ ଲିପୋସକ୍ସନ୍ ସର୍ଜରି ଆରମ୍ଭ ହୋଇଛି। ପ୍ଲାଷ୍ଟିକ୍ ସର୍ଜରି ବିଭାଗର ବରିଷ୍ଠ କନସଲଟାଣ୍ଟ ଡା. ଜୟନ୍ତ କୁମାର ଦାସ ଏହି ନୂତନ ପଦ୍ଧତିରେ ସର୍ଜରି କରିଛନ୍ତି।

ପୁରୀ ଅଞ୍ଚଳର ଜଣେ ଯୁବକଙ୍କ ଏହି ଅସ୍ତ୍ରୋପଚାର ଜରିଆରେ ତାଙ୍କ ଶରୀରରେ ଥିବା ୧ଲିଟର ଅତ୍ୟଧିକ ଚର୍ବି କଢ଼ାଯାଇଛି। ଦୀଘ ଦେଢ଼ ଘଣ୍ଟାର ଧରି ଏହି ସର୍ଜରି କରାଯାଇଥିବା ବେ‌ଳେ ଯୁବକ ଜଣକ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଅତ୍ୟାଧୁନିକ ପଦ୍ଧତି ପ୍ରୟୋଗ କରାଯାଇ ଖୁବ୍‌ କମ୍ ମୂଲ୍ୟରେ ଏହା ସଫଳ ହୋଇପାରୁଛି। ଶରୀରର ହାତ, ଛାତି, ତଳିପେଟ, ଜଙ୍ଘ ଓ ପଛ ଭାଗରେ ଅଧିକ ଚର୍ବି ରହିଥାଏ। ଯାହାକି ମଣିଷ ଶରୀରକୁ ଅସୁନ୍ଦର କରିଥାଏ। ନୂତନ ପଦ୍ଧତିରେ ଚର୍ମ ତଳେ ଅସ୍ତ୍ରୋପଚାର କରାଯାଇ ଅତ୍ୟଧିକ ଚର୍ବିକୁ କଢ଼ାଯାଇଥାଏ। ଯାହାଫଳରେ ମଣିଷ ଶରୀରର ଆକାରରେ ପରିବର୍ତନ ହୋଇଥାଏ। ଏହାଦ୍ବାରା ଓଜନ କମିଯାଏ ବୋଲି ଯେଉଁ ଧାରଣା ରହିଛି ତାହା ଭୁଲ ବୋଲି ଡା.ଦାସ କହିଛନ୍ତି।

ପୁରୁଷମାନଙ୍କ କ୍ଷେତ୍ରରେ ଗାଏନାକୋମାଷ୍ଟିଆ ଲକ୍ଷଣ ଦେଖାଯାଇଥାଏ। ପୁରୁଷଙ୍କ ବକ୍ଷସ୍ଥଳରେ ଅଧିକ ଚର୍ବି ହେବା ଫଳରେ ପୁରୁଷମାନେ ସଂକୋଚ ଅନୁଭବ କରିଥାନ୍ତି। ତେଣୁ ଏହି ଅତ୍ୟାଧୁନିକ ପଦ୍ଧତି ପୁରୁଷମାନଙ୍କ ପାଇଁ ଲାଭପ୍ରଦ ହୋଇପାରେ। ଏହି ପଦ୍ଧତିରେ ଶରୀରରେ କୌଣସି ଦାଗ ରହେ ନାହିଁ। ୧୮ବର୍ଷରୁ ୫୦ବର୍ଷର ପୁରୁଷମାନେ ଏହି ସର୍ଜରି କରିପାରିବେ। ଜଣେ ବ୍ୟକ୍ତିର ଶରୀରରୁ ସର୍ବାଧିକ ୧୦ଲିଟର ଚର୍ବି କଢ଼ାଯାଇ ପାରିବ ବୋଲି ଡା.ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର