କରୋନା ଛଡ଼ାଇନେଲା ସମରକ୍ୟାମ୍ପ ମଜା, ଦକ୍ଷତା ବିକାଶ କରୁଛି ଏବେ ଅନ୍‌ଲାଇନ୍‌ କ୍ଲାସ

ଭୁବନେଶ୍ୱର: ଖରାଦିନ ଆସିଲେ ପିଲାଙ୍କ ମନ ଉତ୍ସାହିତ ହୋଇପଡ଼େ। ଖରା ଛୁଟି ହେବ ଓ କିଏ ମାମୁ ଘର ଯିବ, ପୁଣି ‘ସମର କ୍ୟାମ୍ପ’ ଆରମ୍ଭ ହେବ। ସମର କ୍ୟାମ୍ପରେ ପାଠ ବାହାରେ କେତେ କ’ଣ କୌତୁକିଆ କଥା ଶିଖିବାକୁ ମିଳିବ ପୁଣି ନିଜ ଦକ୍ଷତା ବିକାଶର ଅବକାଶ ମିଳିବ। କିନ୍ତୁ ଏ କାରୋନା ମହାମାରୀ ଯେମିତି ଚଳିତ ବର୍ଷ ସବୁ କିଛିରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି। ନା ଛୁଟିରେ ମାମୁ ଘର ବୁଲି ହେବ ନା ନୂଆ ନୂଆ ସାଙ୍ଗମାନଙ୍କ ସହ ସମରକ୍ୟାମ୍ପର ମଜା ଉଠେଇ ହେବ। ଖରା ଦିନର ଗରମ ଓ ବିରକ୍ତିକର ଦିନଗୁଡ଼ିକୁ କାଟିବାରେ ବି ସମରକ୍ୟାମ୍ପର ଏକ ବଡ଼ ଭୂମିକା ରହୁଥିଲା। କିନ୍ତୁ ସ୍କୁଲଗୁଡ଼ିକ ବନ୍ଦ ରହିବା ସହ ଚଳିତ ବର୍ଷ ସମରକ୍ୟାମ୍ପରେ ବି ଅଘୋଷିତ ତାଲାବନ୍ଦ ହୋଇଛି। ଏପ୍ରିଲ ଶେଷ ସପ୍ତାହ ଓ ମେ’ ପ୍ରଥମ ସପ୍ତାହ ଆଡ଼କୁ ବିଭିନ୍ନ ସ୍କୁଲରେ ପ୍ରାୟ ସମରକ୍ୟାମ୍ପ ଆରମ୍ଭ ହୋଇଯାଏ। ସାଙ୍ଗମାନଙ୍କ ସହ ନାଚ, ଗୀତ, ପର୍ଯ୍ୟଟନ ସ୍ଥାନ ଭ୍ରମଣଠାରୁ ଆରମ୍ଭ କରି ସୁଇମିଂର ମଜା ନେଇ ହେଉଥିଲା ଏହି କ୍ୟାମ୍ପରେ। ଏନେଇ ଅଭିଭାବକସ୍ତରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁଥିଲା। ପୂର୍ବରୁ ଅବସର ବିନୋଦନ ପାଇଁ ଛାତ୍ରଛାତ୍ରୀମାନେ ସମ୍ପର୍କୀୟଙ୍କ ଘରକୁ ବୁଲି ଯାଉଥିବା ବେଳେ ବର୍ତ୍ତମାନର କାର୍ଯ୍ୟବ୍ୟସ୍ତତା ଜୀବନଶୈଳୀ ଯୋଗୁଁ ଗତ କିଛି ବର୍ଷ ହେଲା ରାଜଧାନୀରେ ‘ସମରକ୍ୟାମ୍ପ୍‌’ର କେଜ୍‌ ଲୋକଙ୍କୁ ଘାରିଥିଲା। ଏହା ପିଲାମାନଙ୍କ ମଧ୍ୟରେ କହିବା କୌଶଳ ବଢ଼ାଇବା ସହ ପିଲାମାନଙ୍କ ଅଧିକ ସ୍ମାର୍ଟ ହେବାରେ ସାହାଯ୍ୟ କରୁଥିଲା। କିନ୍ତୁ ଚଳିତବର୍ଷ ଏ ସବୁ ହୋଇପାରିବ ନାହିଁ। କିଛି କିଛି ସ୍କୁଲରେ ବିଜ୍ଞାନ ଓ କାରିଗରୀ କୌଶଳର ବ୍ୟବହାର କରି ପିଲାମାନଙ୍କ ଖରା ଛୁଟିକୁ ଗଠନମୂଳକ କରିବା ପାଇଁ ଅନ୍‌ଲାଇନ୍‌ କ୍ଲାସ ଆରମ୍ଭ ହୋଇଛି। ଏଥିରେ ପିଲାମାନଙ୍କ ପାଠ୍ୟକ୍ରମ ବ‌ାଦ୍‌ ଅନ୍‌ଲାଇନ୍‌ ଷ୍ଟୋରି ଟେଲିଂ, ଆର୍ଟ ଶିଖାଯାଉଛି।

ପିଲାଙ୍କୁ ଅଧିକ ସ୍ମାର୍ଟ କରିବାରେ ସମରକ୍ଲାସ୍‌ ଗୁରୁତ୍ବ ବହନ କରୁଥିଲା
ଅଙ୍କୁର ପ୍ଲେ’ ସ୍କୁଲର ଅଧ୍ୟକ୍ଷା ଚିନ୍ମୟୀ ପଣ୍ଡା କୁହନ୍ତି, ପିଲାମାନଙ୍କୁ ନିଜ ପାଠ୍ୟକ୍ରମରୁ ବାହାରକୁ ନେଇ ସେମାନଙ୍କ ଦକ୍ଷତା ବିକାଶ ପାଇଁ ୨୦୦୦ ମସିହାରେ ମୁଁ ଅଙ୍କୁର ପ୍ଲେ’ ସ୍କୁଲରେ ପ୍ରଥମଥର ପାଇଁ ଆରମ୍ଭ କରିଥିଲି ସମର କ୍ୟାମ୍ପ। ନାଚ, ଗୀତ, ସ୍କେଟିଂ, କ୍ଲେ ଆର୍ଟ, ନାଟକ ଓ ସାଧାରଣ ତଥା ବର୍ଜ୍ୟବସ୍ତୁରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ଆଦି ବିଭିନ୍ନ କାର୍ଯ୍ୟରେ ପିଲାମାନେ ଅଂଶଗ୍ରହଣ କରୁଥିଲେ। ଫଳରେ ପିଲାମାନଙ୍କ ଭିତରୁ ଭୟ ଦୂରେଇବା ସହ ସେମାନଙ୍କ ଅଧିକ ସ୍ମାର୍ଟ କରିବାରେ ସମରକ୍ୟାମ୍ପ ବହୁତ ସାହାଯ୍ୟ କରୁଥିଲା। ସମର କ୍ୟାମ୍ପର ଶେଷ ଦିନରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦିଆଯାଉଥିଲା। ଏହି ଅବସରରେ ବଚ୍ଚା ପାର୍ଟିର ଆୟୋଜନ କରାଯିବା ସହ ସେମାନଙ୍କୁ ଅଂଶଗ୍ରହଣ ସାର୍ଟିଫିକେଟ୍‌ ମଧ୍ୟ ଦିଆଯାଉଥିଲା। ଫଳରେ ପିଲାମାନେ ଅଧିକ ଉତ୍ସାହିତ ହେଉଥିଲେ। କିନ୍ତୁ ଚଳିତ ବର୍ଷ ଏସବୁ ହୋଇପାରିବ ନାହିଁ।

ଏକ ସୁସ୍ଥ ଜୀବନଶୈଳୀ ସହ ପିଲାଙ୍କ ମନୋବଳ ବଢ଼ାଏ
ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଜେନେରାଲ ମ୍ୟାନେଜର୍‌ (କମ୍ୟୁନିକେସନ୍‌) ଶରତ କର କହିଛନ୍ତି, ଖରା ଛୁଟିରେ ପିଲାମାନଙ୍କ ପ୍ରାୟ ଫାଙ୍କା ଥା’ନ୍ତି। ଏହି ସମୟର ସଦୁପଯୋଗ କରିବା ତଥା ଏକ ସୁସ୍ଥ ଜୀବନୀ ଯୋଗାଇଦେବା ଓ ସେମାନଙ୍କ ମନୋବଳ ବଢ଼ାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ସମରକ୍ୟା‌ମ୍ପ। ଏଥିରେ ସୁଇମିଂଠାରୁ ଆରମ୍ଭ କରି ଚିତ୍ରକଳା, ସଙ୍ଗୀତ ଓ କ୍ଲେ ଆର୍ଟ ଆଦି ବହୁ ଦକ୍ଷତାବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ବାହାରୁ ବିଶେଷଜ୍ଞମାନେ ଆସି ପିଲାମାନଙ୍କୁ ଏହି ସବୁ ଶିକ୍ଷା ଦେଉଥିଲେ। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ରହିବା ସହ ଏହି ସବୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିଛି।

ଚାଲିଛି ଅନ୍‌ଲାଇନ୍‌ ସମରକ୍ୟାମ୍ପ
କରୋନା ଲକ୍‌ଡାଉନ୍‌ ଯୋଗୁଁ ଶାରୀରିକ ଦୂରତା ବାଧ୍ୟତାମୂଳକ ହୋଇଥିବା ବେଳେ ଏହା କିନ୍ତୁ ପିଲାଙ୍କ ଦକ୍ଷତା ବିକାଶରେ ଅନ୍ତରାଳ ସାଜି ପାରିନି। ବିଭିନ୍ନ ବିଦ୍ୟାଳୟରେ ସମରକ୍ୟାମ୍ପ ଆୟୋଜିତ ହୋଇପାରି ନଥିଲେ ବି ଅନ୍‌ଲାଇନ୍‌ ଏହି କ୍ୟାମ୍ପ ଖୋଲିଛି। ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀ ତଥା ବି‌ଶେଷଜ୍ଞମାନେ ଅନ୍‌ଲାଇନ୍‌ରେ ପିଲାମାନଙ୍କ ଗୀତ, ନୃତ୍ୟ, ଆର୍ଟ ଓ ଅଭିନୟ ଆଦି ଶିଖାଉଛନ୍ତି। ଏଥିସହ ପିଲାମାନଙ୍କୁ ଏସବୁ କରୁଥିବା ଭିଡିଓ ପଠାଇବାକୁ ମଧ୍ୟ କୁହାଯାଇଛି।

ସାଇ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲର ଶ୍ରୀ କର କହିଛନ୍ତି, ଖରା ଛୁଟିରେ ପିଲାମାନଙ୍କୁ ଏମିତି ଖାଲିରେ ବସିବାକୁ ଛଡ଼ା ଯାଇ ପାରିବ ନାହିଁ। ଏଣୁ ଗତ ଏକ ମାସ ହେଲା ପିଲାମାନଙ୍କ ପାଇଁ ଅନ୍‌ଲାଇନ୍‌ ସମରକ୍ୟାମ୍ପର ବ୍ୟବସ୍ଥା କରାଯାଇଛି। ଏଥିରେ ପିଲାମାନଙ୍କୁ ଅନ୍‌ଲାଇନ୍‌ ସଙ୍ଗୀତ, ଯୋଗ, ଚିତ୍ରକଳା, ବିଭିନ୍ନ ବାଦ୍ୟଯନ୍ତ୍ର ବାଦନ, ଏକକ ଅଭିନୟ ଆଦି ପ୍ରଶିକ୍ଷଣ ଦିଆଯାଉଛି। ବିଭିନ୍ନ ଭିଡିଓ ମାଧ୍ୟମରେ ପିଲାମାନେ ମଧ୍ୟ ଏସବୁ କରି ଆମକୁ ପଠାଇଥା’ନ୍ତି। ଏଥିସହ ପିଲାମାନଙ୍କ ସକ୍ରିୟ ଅଂଶଗ୍ରହଣ ତଥା ପ୍ରୋତ୍ସାହନ ପାଇଁ ଅନ୍‌ଲାଇନ୍‌ ପ୍ରତିଯୋଗିତା ବି ରଖାଯାଇଛି। ଏଥିରେ ବିଜେତାମାନେ ସ୍କୁଲ ଖୋଲିଲେ ପୁରସ୍କୃତ ହେବେ ବୋଲି ଶ୍ରୀ କର କହିଛନ୍ତି। ଅଙ୍କୁର ପ୍ଲେ’ ସ୍କୁଲର ଅଧ୍ୟକ୍ଷା‌ ଶ୍ରୀମତୀ ପଣ୍ଡା କହିଛନ୍ତି, ପିଲାମାନେ ଶିଖିଥିବା ଜିନିଷ ନିୟମିତ ଅଭ୍ୟାସ ନ କଲେ ସେଗୁଡ଼ିକ ସେମାନେ ଭୁଲି ଯିବାର ଅଧିକ ସମ୍ଭାବନା ରହିଛି। ଏଣୁ ବିଦ୍ୟାଳୟ ପକ୍ଷରୁ ସେମାନଙ୍କ ଅନ୍‌ଲାଇନ୍‌ରେ ପାଠ ପଢ଼ାଯିବା ସହ ଷ୍ଟୋରି ଟେଲିଂ, ଆର୍ଟ, ବିଭିନ୍ନ ସାମଗ୍ରୀର ବ୍ୟବହାର କରି ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତି ଓ ବିଭିନ୍ନ କୌତୁକିଆ ଖେଳ ଶିଖାଯାଉଛି। ଏଥିସହ ପିଲାମାନଙ୍କୁ ଏସବୁର ବିଭିନ୍ନ ଭିଡିଓ କରି ହ୍ବାଟ୍ସ୍‌ ଆପ୍‌ରେ ଆମ ପାଖକୁ ଛାଡ଼ିବାକୁ କୁହାଯାଇଛି। ଫଳରେ ସ୍କୁଲ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଉତ୍ତମ ଯୋଗାଯୋଗ ସ୍ଥାପନ ହେବା ସହ ପିଲାମାନଙ୍କ ଦକ୍ଷତା ବିକାଶ ହୋଇପାରୁଛି।

ସମ୍ବନ୍ଧିତ ଖବର