ଚନ୍ଦ୍ରଶେଖରପୁର: ଗ୍ରୀଷ୍ମ ଛୁଟି ସମୟରେ ରେଳ କର୍ମଚାରୀଙ୍କ ପିଲାମାନଙ୍କୁ ବିଭିନ୍ନ ଅବକାଶମୂଳକ କାର୍ଯ୍ୟରେ ନିୟୋଜିତ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ(ଇକୋରୋ) ପକ୍ଷରୁ ରେଳ ବିହାରଠାରେ ଏକ ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ ହୋଇଛି। ଇକୋରୋ ସଭାପତି ଦିବ୍ୟା ଶର୍ମା ଆଜି ଏହି ଶିବିରକୁ ଉଦଘାଟନ କରିବା ସହ ପିଲାମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ଗୁଣ ପ୍ରକାଶ କରିବାକୁ ଉତ୍ସାହିତ କରିଥିଲେ। ଶିବିରରେ ପିଲାମାନେ କାଦୁଅ, ବାଲି, କାଗଜପତ୍ର ଓ ରଙ୍ଗରେ ଖେଳିବାକୁ ସମୟ ପାଇବେ ଏବଂ ସେମାନଙ୍କ ଭାବନାକୁ ପରିପ୍ରକାଶ କରିପାରିବେ। ଏହାବ୍ୟତୀତ ସେମାନେ ଅନ୍ୟ ସାଥୀମାନଙ୍କଠାରୁ ଶିଖିପାରିବେ। ନିଜ ଭିତରେ ଲୁକ୍କାୟିତ ପ୍ରତିଭାଗୁଡ଼ିକୁ ଅନୁସନ୍ଧାନ କରିବା ସହ ବିକଶିତ କରିପାରିବେ।

Advertisment

ଏହି ଶିବିରରେ ପିଲାମାନେ ପୃଥକ ଭାବେ ଯୋଗ ଏବଂ ଧ୍ୟାନ, ଏରୋବିକ୍ସ, ଅନ୍ୟାନ୍ୟ ସୃଜନଶୀଳ କାର୍ଯ୍ୟ ଯେପରିକି ଚିତ୍ର, କଳା ଓ ହସ୍ତଶିଳ୍ପ, ସଙ୍ଗୀତ, ନୃତ୍ୟ ମାଧ୍ୟମରେ ସେମାନଙ୍କ ଅନ୍ତର୍ନିହିତ ଗୁଣଗୁଡ଼ିକ ପ୍ରକାଶ କରିବାକୁ ଶିକ୍ଷା ଦିଆଯିବ। ଆତ୍ମରକ୍ଷା କୌଶଳ ଓ ଫାୟାରଲେସ୍ ରନ୍ଧନ ଶିଖିପାରିବେ। ଏହି ଶିବିରରେ ରେଳ କର୍ମଚାରୀଙ୍କ ୫୨ଜଣ ପିଲା ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞ ପ୍ରଶିକ୍ଷକମାନେ ସେମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ସଙ୍ଗଠନର ସମ୍ପାଦିକା ମନମିତା ମଣ୍ଡଳ, ସହ ସମ୍ପାଦିକା ସଞ୍ଚିତା ନସ୍କର, କୋଷାଧ୍ୟକ୍ଷ ଭାରତୀ ନିନାୱେଙ୍କ ସମେତ ଅନ୍ୟ ସଦସ୍ୟମାନେ ଗ୍ରୀଷ୍ମକାଳୀନ ଶିବିରରେ ସକ୍ରିୟ ଭାବରେ ସମନ୍ୱୟ କରୁଛନ୍ତି।