ସମର କ୍ୟାମ୍ପ, ଖରାଛୁଟି କାଟିବାର ନିଆରା ଅନୁଭୂତି

ଭୁବନେଶ୍ବର: ଖରା ଛୁଟି ଆସିଲେ ପିଲାଙ୍କ ମନରେ ଉଙ୍କି ମାରୁଛି ଭିନ୍ନ ଏକ ଉତ୍ସାହ ଓ ଉଦ୍ଦୀପନା। ସାଙ୍ଗମାନଙ୍କ ସହ ପାଠ୍ୟକ୍ରମ ବାହାରେ କିଛି ଶିଖିବାର ମୌକା ସାଙ୍ଗକୁ ଢେର୍‌ ସାରା ମସ୍ତି। ଏଥିପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ କର୍ତୃପକ୍ଷ ପ୍ରସ୍ତୁତ। ଗତ ୨୪ତାରିଖଠାରୁ ବିଭିନ୍ନ ସ୍କୁଲରେ ଆରମ୍ଭ ହୋଇଗଲାଣି ସମର କ୍ୟାମ୍ପ। ସାଙ୍ଗମାନଙ୍କ ସହ ନାଚ, ଗୀତ, ପର୍ଯ୍ୟଟନ ସ୍ଥାନ ଭ୍ରମଣଠାରୁ ଆରମ୍ଭ କରି ସୁଇମି˚, ଥିଏଟର୍‌, ଚିତ୍ରାଙ୍କନ ଆଦିର ମଜା ନେଇ ହେବ ଏହି କ୍ୟାମ୍ପରେ। ଏନେଇ ବିଭିନ୍ନ ସ୍କୁଲ୍‌ରେ ପ୍ରସ୍ତୁତି ସରିଥିବା ବେଳେ ଆଉ କିଛି ସ୍କୁଲ ଯୋଜନା ଚଳାଇଛନ୍ତି। ଅଭିଭାବକମାନଙ୍କ ମଧ୍ୟରେ ବି ଏନେଇ ଉତ୍ସାହ ଦେଖିବାକୁ ମିଳୁଛି। ପୂର୍ବରୁ ଅବସର ବିନୋଦନ ପାଇଁ କୁନି କୁନି ଛାତ୍ରଛାତ୍ରୀମାନେ ସମ୍ପର୍କୀୟଙ୍କ ଘରକୁ ବୁଲି ଯାଉଥିଲେ। କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ‌‌ରେ କର୍ମଜୀବୀ ବାପା’ ମା’ଙ୍କୁ ସେତିକି ସମୟ ମିଳୁନାହିଁ। ତେଣୁ ଗତ କିଛି ବର୍ଷ ହେଲା ରାଜଧାନୀରେ ସମର‌୍‌ କ୍ୟାମ୍ପ୍‌ କ୍ରେଜ୍‌ ଲୋକଙ୍କୁ ଘାରିଛି।

ଅଙ୍କୁର ପ୍ଲେ’ ସ୍କୁଲର ଅଧ୍ୟକ୍ଷା ଚିନ୍ମୟୀ ପଣ୍ଡା କୁହନ୍ତି, ସମର କ୍ୟାମ୍ପ ହେଉଛି ଏକ ୱେଷ୍ଟନ୍‌ କନ୍‌ସେପ୍ଟ। ଏହା ଭାରତକୁ ଏବେ ପ୍ରବେଶ କରିଛି। ବାପା ମା’ ଉଭୟ ଏବେ କର୍ମଜୀବୀ ହୋଇଥିବାରୁ ପୂର୍ବଭଳି ସମ୍ପର୍କୀୟଙ୍କ ଘରକୁ ଯିବା ସମ୍ଭବ ହେଉନି। ତେଣୁ ଏବେ ଅଭିଭାବକମାନେ ସମରକ୍ୟାମ୍ପ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଏଥିରେ ପିଲାମାନଙ୍କୁ ଜଳକ୍ରୀଡ଼ାଠାରୁ ଆରମ୍ଭ କରି ସ୍କେଟିଂ, ନୃତ୍ୟ, ଗୀତ, ଅଭିନୟ, ଆର୍ଟ ଆଣ୍ଡ କ୍ରାଫ୍ଟ ଆଦି ଶିକ୍ଷା ଦିଆଯାଇଥାଏ। ଏଥିସହ କ୍ୟାମ୍ପର ଶେଷ ଦିନରେ ହେଉଥିବା ବଚା ପାର୍ଟିକୁ ପିଲାମାନେ ନିଜେ ଆୟୋଜନ କରନ୍ତି। ଫଳରେ ସେମାନଙ୍କ ମଧ୍ୟରେ ଏକତା ବଢ଼ିବା ସହ ଏକ କାର୍ଯ୍ୟକ୍ରମ ଆୟୋଜନର ଦକ୍ଷତା ବୃଦ୍ଧି ପାଇଥାଏ। ସମରକ୍ୟାମ୍ପ ପିଲାମାନଙ୍କ ସୃଜନଶକ୍ତି ତଥା ଦକ୍ଷତା ବଢ଼ାଇବାରେ ସାହାଯ୍ୟ କରେ ବୋଲି ଶ୍ରୀମତି ପଣ୍ଡା କହିଛନ୍ତି। ୨୦୦୦ ମସିହାରୁ ସେ ଏହି ଆୟୋଜନ କରି ଆସୁଥିବା ଏହି କ୍ୟାମ୍ପ ପ୍ରତି ଧୀରେଧୀରେ ଅଭିଭାବକଙ୍କ ଆଗ୍ରହ ବଢ଼ୁଥିବା ସେ କହିଛନ୍ତି। ୨୫ ତାରିଖରୁ ଆରମ୍ଭ ହୋଇଥିବା ଅଙ୍କୁର ପ୍ଲେ ସ୍କୁଲର ସମରକ୍ୟାମ୍ପ ୧୦ ଦିନ ଧରି ଚାଲିବ। ଏଥିରେ ଅନ୍ୟ ବିଦ୍ୟାଳୟର ୪ରୁ ୧୪ ବର୍ଷ ବସୟର ପିଲାମାନେ ଅଂଶଗ୍ରହଣ କରିପାରିବେ। ସେହିଭଳି ଅଭିଭାବକ ଅନୁରାଧା ବିଶ୍ବାଳ କୁହନ୍ତି, ଆମେ ଉଭୟ ପତି-ପତ୍ନୀ ଚାକିରି କରିଛୁ। ଗ୍ରୀଷ୍ମ ଛୁଟିରେ ଦୀର୍ଘ ଦିନ ପାଇଁ ପିଲାକୁ ବାହାରକୁ ବୁଲାଇ ନେବା ସମ୍ଭବ ହେଉନି। ତେଣୁ ସମର‌୍‌କ୍ୟାମ୍ପ ନିହାତି ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ବାରା ପିଲାମାନେ ନିଜ ସାଙ୍ଗସାଥୀଙ୍କ ସହ ହସ ଖୁସି ଓ ମସ୍ତି କରିପାରୁଥିବା ବେଳେ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଭ୍ରମଣ ଆଦି ସେମାନଙ୍କୁ ନୂଆ ନୂଆ କଥା ଶିଖାଇବାରେ ସାହାଯ୍ୟ କରୁଛି। ସମରକ୍ୟାମ୍ପ ପାଇଁ ଅଭିଭାବକଙ୍କଠାରୁ କିଛି ଅତିରିକ୍ତ ଫି’ ଆଦାୟ କରାଯାଉଥିବାରୁ କିଛି ଶିକ୍ଷାବିତ୍‌ ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ପିଲାମାନଙ୍କ ଦକ୍ଷତା ବିକାଶ ତଥା ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ଓ ମନୋରଞ୍ଜନ ପାଇଁ ସମରକ୍ୟାମ୍ପ୍‌ ଅତ୍ୟନ୍ତ ଉପଯୋଗୀ। ଏଣୁ ଏହି ବ୍ୟବସ୍ଥାକୁ ବ୍ୟବସାୟିକ ମାନସିକତା ପ୍ରବେଶ ନ କରୁ ବୋଲି କିଛି ଶିକ୍ଷାବିତ୍‌ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର