ଭୁବନେଶ୍ୱର: ସୃଜନଶୀଳ ଅନୁଷ୍ଠାନ ‘ତିତିଲି’ ପକ୍ଷରୁ ଗତ ମେ ୧ ତାରିଖରୁ ସ୍କୁଲ ପିଲାମାନଙ୍କ ପାଇଁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଶିବିର ଆଜି ପ୍ଲଟ ନଂ. ୨୭୬୮, ବିବେକାନନ୍ଦ ମାର୍ଗଠାରେ ଉଦଯାପିତ ହୋଇଯାଇଛି । ଏହି କ୍ୟାମ୍ପ ମହାବାତ୍ୟା ଫନି ପାଇଁ ମଝିରେ କିଛି ସମୟ ପାଇଁ ବନ୍ଦ ଥିଲେ ମଧ୍ୟ ଗତ ୧୩ ତାରିଖରୁ ପୁଣି ଆରମ୍ଭ ହୋଇଥିଲା । ଏହି ଶିବିରରେ ୭ରୁ ୧୪ ବର୍ଷ ବୟସ ବର୍ଗର ୫୦ରୁ ଅଧିକ ପିଲା ଭାଗ ନେଇଥିଲେ । ଏହାକୁ ତିତିଲିର ପ୍ରତିଷ୍ଠାତା ଅର୍ପିତା ନନ୍ଦ ପରିଚାଳନା କରିଥିଲେ ।
ଖରାଛୁଟି ସମୟରେ ସ୍କୁଲ ପିଲାମାନଙ୍କର ଛୁଟି ଥିବାବେଳେ ସେମାନେ ଏହି ଅବସରରେ କିପରି ନିଜ ପାଠକ୍ରମ ବାହାରେ ଥିବା ବିଭିନ୍ନ କାର୍ଯ୍ୟକଳପ ସଂପର୍କରେ ଜାଣିପାରିବେ, ସେହି ଲକ୍ଷ୍ୟ ନେଇ ଏହି ଶିବିର ଆରମ୍ଭ କରାଯାଇଥିଲା । ପିଲାମାନେ କିପରି ନିଜ ପାଖରେ ଥିବା ବିଭିନ୍ନ କଳାକୁ ଚିହ୍ନି ପାରିବେ ସେଥିପାଇଁ ଏହିଶିବିର ଏକ ଉତ୍ତମ ସୁଯୋଗ ଥିଲା । ସେହିପରି ଭବିଷ୍ୟତରେ ଜୀବନର ବିଭିନ୍ନ ଆହ୍ଵାନର ମୁକାବିଲା ପାଇଁ ପିଲାମାନଙ୍କ ବ୍ୟକ୍ତିତ୍ୱର କିପରି ବିକାଶ ହୋଇପାରିବ ସେଥିପାଇଁ ଏହି ଅବସରରେ ଶିକ୍ଷା ଦିଆଯାଇଥିଲା । ଏହି ଅବସରରେ ନୃତ୍ୟ, ଚିତ୍ର କଳା ଓ ଭାସ୍କର୍ଯ୍ୟ, ସାଣ୍ଡ ଆନିମେସନ, ଯୋଗ ଓ ଧ୍ୟାନ ଓ ରେନଡ୍ୟାନ୍ସ ଆଦି ପିଲାମାନଙ୍କୁ ଶିକ୍ଷା ଦିଆଯାଇଥିଲା ।