ସରିଲା ଖରା ଛୁଟି ବାଜିଲା ସ୍କୁଲ୍‌ ଘଣ୍ଟି

ଭୁବନେଶ୍ୱର: ସରିଲା ଖରା ଛୁଟି। ବାଜିଲା ସ୍କୁଲ୍‌ ଘଣ୍ଟି। ଆଉ ଘଣ୍ଟିର ଶବ୍ଦ ଶୁଣିବା କ୍ଷଣି ବିଦ୍ୟାଳୟ କ୍ୟାମ୍ପସ ପରିସର ହୋଇଉଠିଲା ଚଳଚଞ୍ଚଳ। କିଏ କାନ୍ଧରେ ବ୍ୟାଗ୍‌ ପକାଇ ସ୍କୁଲ୍‌କୁ ପ୍ରବେଶ କରିଥିଲେ ତ ଆଉ କିଏ ହାତରେ ବହି ଧରି ଶ୍ରେଣୀଗୃହକୁ ଧାଇଁ ଯାଇଥିଲେ। ସମସ୍ତଙ୍କ ମୁହଁରେ ଥିଲା ଆନନ୍ଦ। ଦୁଇ ମାସ ପରେ ପୁଣିଥରେ ସାଙ୍ଗମାନଙ୍କ ସହ ମିଶିବେ, ବୁଲିବେ, ଖେଳିବେ, ମଜା ଉଠାଇବେ। ସେଥିପାଇଁ ସବୁ ପିଲାଙ୍କ ଆନନ୍ଦ କାହିଁରେ କ’ଣ। ରାଜଧାନୀର ସମସ୍ତ ସ୍କୁଲ୍‌ରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ସବୁ ସମୟ ଗପି ଗପି ସାରି ଦେବି
ଏତେ ଦିନ ପରେ ସ୍କୁଲ ଖୋଲିଲା। ଦୁଇ ମାସ ହେବ ଘରେ ରହି ବିରକ୍ତ ହୋଇଯାଇଥିଲି। ଆଜି ସାଙ୍ଗମାନଙ୍କ ସହ ଦେଖା ହେଇ ବହୁତ ଖୁସି ଲାଗୁଛି। ବହୁତ ଦିନ ହେଲା ସାଙ୍ଗମାନଙ୍କ ସହ ଦେଖା ହୋଇ ନଥିଲା। ଆଜି ଦେଖା କରି ଛୁଟି ସମୟରେ ଘଟିଥିବା ସମସ୍ତ ଘଟଣା ମୋ ସାଙ୍ଗମାନଙ୍କୁ କହିବି।

ଶୁଭଲକ୍ଷ୍ମୀ ସାହୁ (ଦଶମ ଶ୍ରେଣୀ)
ସରକାରୀ ନୋଡାଲ ଉଚ୍ଚ ବିଦ୍ୟାାଳୟ, ପାଓ୍ଵାର ହାଉସ କଲୋନି

ମୁଣ୍ଡ ଉପରେ ପରୀକ୍ଷା ଚିନ୍ତା
ଘରେ ରହି ରହି ଆଉ ସାଙ୍ଗମାନଙ୍କ ସହ ମଜାମସ୍ତି କରିହେଉ ନ ଥିଲା। ଯାହା ହେଉ ଏତେ ଦିନ ପରେ ସ୍କୁଲ ଖୋଲିଲା। ସାଙ୍ଗମାନେ ମିଶି କ୍ରିକେଟ ଖେଳିବୁ, ବୁଲିବୁ ଆଉ ମଜାମସ୍ତି କରିବୁ। ତା’ସହିତ ଦଶମ ଶ୍ରେଣୀ ପରୀକ୍ଷା ମୁଣ୍ଡ ଉପରେ ଥିବାରୁ ପାଠପଢ଼ାରେ ସଂପୂର୍ଣ୍ଣ ଧ୍ୟାନ ଦେବୁ।
ସୁଶାନ୍ତ ବେହେରା (ଦଶମ ଶ୍ରେଣୀ)
ସରକାରୀ ନୋଡାଲ ଉଚ୍ଚ ବିଦ୍ୟାାଳୟ, ପାଓ୍ଵାର ହାଉସ କଲୋନି

ଆସୁ ଆସୁ ସ୍କୁଲରେ ପରୀକ୍ଷା
ଛୁଟି ସରୁ ସରୁ ସ୍କୁଲରେ ବେସ୍‌ ଲେବୁଲ ପରୀକ୍ଷା ହେଉଛି। ଆଗରୁ ଏ ସଂପର୍କରେ କିଛି ଜାଣି ନଥିଲୁ, କିନ୍ତୁ ଭାବୁଛି ସବୁ ପ୍ରଶ୍ନର ଉତ୍ତର ଲେଖି ଭଲ ମାର୍କ ରଖିବି। ପରୀକ୍ଷା ଥିବାରୁ ସାଙ୍ଗମାନଙ୍କ ସହ ଏପର୍ଯ୍ୟନ୍ତ ମନ ଖୋଲି ଗପସପ କରିପାରିନୁ।
ସୋନାଲି ସ୍ୱାଇଁ (ଅଷ୍ଟମ ଶ୍ରେଣୀ)
ସରକାରୀ ନୋଡାଲ ଉଚ୍ଚ ବିଦ୍ୟାାଳୟ, ପାଓ୍ଵାର ହାଉସ କଲୋନି

କୋର୍ସ ପଛେଇ ଗଲାଣି
ଏତେ ଦିନ ପରେ ସ୍କୁଲ ଆସିଲୁ, ବହୁତ ଭଲ ଲାଗୁଛି। ଆଜି ବର୍ଷା ହେଉଥିବାରୁ ବହୁ ସାଙ୍ଗ ଆସିନାହାନ୍ତି। କିନ୍ତୁ ଯେତିକି ସାଙ୍ଗ ଆସଛନ୍ତି ଖୁସି ଲାଗୁଛି। ତାସହିତ ସ୍କୁଲ ବହୁତ ଦିନ ଛୁଟି ରହିଯିବାରୁ ପାଠପଢ଼ା ବହୁତ ପଛେଇ ଯାଇଛି। ଏବେ ମନ ଦେଇ ପାଠ ପଢିବୁ, ଆଗକୁ ପରୀକ୍ଷା ଅଛି।
ରୋହିତ ବାରିକ(ଦଶମ ଶ୍ରେଣୀ)

କ୍ୟାପିଟାଲ ହାଇସ୍କୁଲ
ପ୍ରି-ଟେଷ୍ଟ ପରୀକ୍ଷା ପାଇଁ ସବୁ ପଢ଼ି ଦେଇଛି
ସ୍କୁଲ ସମୟର ମସ୍ତି ଘରେ ନାହିଁ। ସାଙ୍ଗମାନଙ୍କ ସହ ବିତାଉଥିବା ସବୁ ସମୟ ଆନନ୍ଦଦାୟକ। ମୁଁ ସବୁ ଦିନ ଭାବୁଥିଲି କେବେ ସ୍କୁଲ ଖୋଲିବ। ମୁଁ ଘରେ ରହି ରହି ପ୍ରି-ଟେଷ୍ଟ ପରୀକ୍ଷା ପାଇଁ ସବୁ ପାଠ ପଢ଼ି ସାରିଛି। ଏବେ ଖାଲି ରିଭିଜନ୍‌ କରିବି।
ବିବେକ ପ୍ରସାଦ ନାୟକ( ଦଶମ ଶ୍ରେଣୀ)

କ୍ୟାପିଟାଲ ହାଇସ୍କୁଲ
ଘର ଲୋକଙ୍କ ସହ ଫିଲ୍ମ ଦେଖିବାକୁ ଯାଇଥିଲି
ସ୍କୁଲ ଖୋଲୁ ଖୋଲୁ ବର୍ଷା ହେଉଥିବାରୁ ଦୁଃଖ ଲାଗୁଛି। କାରଣ ଘର ପାଖ ସାଙ୍ଗ ଛଡ଼ା ଦୂର ସାଙ୍ଗମାନଙ୍କ ସହ ଭେଟ ହୋଇପାରିଲା ନାହିଁ। ଏହି ଛୁଟିରେ ମୁଁ ମୋ ପରିବାର ଲୋକଙ୍କ ସହ ଅନେକ ସମୟ ବିତାଇଛି। ଘର ଲୋକଙ୍କ ସହ ମିଶି ଫିଲ୍ମ ଦେଖିବାକୁ ଯାଇଥିଲି। ଆଉ ବହୁତ ମସ୍ତି କରିଛି।
ଗୌରବ କୁମାର ପଣ୍ଡା

କ୍ୟାପିଟାଲ ହାଇସ୍କୁଲ
ପରୀକ୍ଷା ପ୍ରଶ୍ନପତ୍ରର ପରିବର୍ତ୍ତନ ହେବ ବୋଲି ଡର ଲାଗୁଛି
ଖରା ଛୁଟି ମୋର ବହୁତ ଭଲରେ କଟିଲା। କିନ୍ତୁ ଛୁଟିରେ ସାଙ୍ଗମାନଙ୍କ ସହ ଦେଖା ନହେବାରୁ ତାଙ୍କୁ ମିସ୍‌ କରୁଥିଲି। ଆଜି ସବୁ ସାଙ୍ଗଙ୍କୁ ଦେଖା କରି ବହୁତ ଗପି ସାରିଲିଣି। ଏବେ ପରୀକ୍ଷା ପାଇଁ ଚିନ୍ତା ହେଉଛି। କାରଣ ଶୁଣିବାକୁ ମିଳୁଛି ପରୀକ୍ଷାର ପ୍ରଶ୍ନ ପତ୍ର ପରିବର୍ତ୍ତନ ହେବାକୁ ଯାଉଛି।
ଆହ୍ଵାନ ସାହୁ
କ୍ୟାପିଟାଲ ହାଇସ୍କୁଲ

ସମ୍ବନ୍ଧିତ ଖବର