ପୁଅ ଦୁର୍ଘଟଣାରେ, ବାପା-ମା ପକ୍ଷାଘାତ‌ରେ ପୂରା ପରିବାର ଅଚଳ

ବାଲିଅନ୍ତା: ଏକମାତ୍ର ରୋଜଗାରିଆ ପୁଅ ଦୁର୍ଘଟଣାରେ ଗୁରୁତର ଆହତ ହେଲା। ଘରଡିହରୁ କିଛି ଅଂଶ ବିକି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରେ ପୁଅକୁ ବଞ୍ଚାଇବାକୁ ସକ୍ଷମ ହେଲେ ଗରିବ ବାପା ମା’। କିନ୍ତୁ ଅକର୍ମଣ୍ୟ ହୋଇପଡ଼ିବାରୁ ରୋଜଗାର ବନ୍ଦ। ତେବେ ଦୁଃଖ ଏତିକିରେ ସରିଲା ନାହିଁ। ପୁଅ ଘରେ ପଡ଼ି ରହିଥିବା ବେଳେ ଉଭୟ ବାପା ମା’ ଆଗପଛ ହୋଇ ପକ୍ଷାଘାତ ରୋଗର ଶିକାର ହେଲେ। ପୂରା ପରିବାର ଉପରେ ଲଦି ହୋଇ ପଡ଼ିଲା ଦୁଃଖର ପାହାଡ଼। ଧାର କରଜ ଓ ମାଗି ଯାଚି ଚିକିତ୍ସାରେ ବହୁ ଅର୍ଥ ଖର୍ଚ୍ଚ କରିବା ପରେ ବାପା ମା’ ଧୀରେ ଧୀରେ ସୁସ୍ଥ ହେଲେ ସିନା ଅଚଳ ହୋଇଗଲେ। ରୋଜଗାର ନଥିବାରୁ ଏବେ ପୂରା ପରିବାର ଭୋକ ଉପାସରେ ଦିନ କାଟିବା ଅବସ୍ଥା। ଓଳିଏ ଖାଇ‌ଲେ ଆର ଓଳି ଉପାସରେ କଟୁଛି। ପୁଅ ଗୋଡ଼ରୁ ରଡ୍‌ ବାହାର ହେଲେ, ହୁଏତ ସେ କିଛି କରିପାରନ୍ତା, ମାତ୍ର ଅର୍ଥାଭାବ ବାଧକ ସାଜିଛି। ଏମିତି ଦୁରବସ୍ଥାରେ କାଳ କାଟୁଛନ୍ତି ସ୍ଥାନୀୟ ମହୁଖଣ୍ଡା ଗ୍ରାମର ପ୍ରାଣକୃଷ୍ଣ ସାହୁଙ୍କ ପରିବାର।

ପ୍ରାଣକୃଷ୍ଣ, ତାଙ୍କ ସ୍ତ୍ରୀ ସ୍ବର୍ଣ୍ଣଲତା ଓ ଏକମାତ୍ର ପୁଅ ହେଲେ ପ୍ରସନ୍ନ(୪୩ )। ପ୍ରସନ୍ନ ଫୁଲନଖରାଠାରେ ଥିବା ଏକ କୋରିୟର ସଂସ୍ଥାରେ ଚାକିରି କରିଥିଲେ। ଗତ ଡିସେମ୍ବର ୭ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ହାତ, ଗୋଡ଼ ଓ ଅଣ୍ଟା ଭାଙ୍ଗି ଯାଇଗଲା। କଟକ ବଡ଼ ହସ୍ପିଟାଲରେ ଅସ୍ତ୍ରୋପଚାର କରାଇ ପୁଅକୁ ଅକର୍ମଣ୍ୟ ଅବସ୍ଥାରେ ବାପା ମା’ ଘରକୁ ଆଣିଲେ। ପୁଅ ଜୀବନ ନେଇ ଘରକୁ ଫେରିଲା ସତ, ହେଲେ ପୁଅର ଏପରି ଅବସ୍ଥା ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିବା ବାପା ମା’ ଦୁଇଜଣ ଯାକ ପକ୍ଷାଘାତ ରୋଗର ଶିକାର ହେଲେ। ପୁଅ ଘରକୁ ଆସିବାର ଅଳ୍ପ କିଛି ଦିନ ପରେ ମା’ ସ୍ବର୍ଣ୍ଣଲତାଙ୍କର ବ୍ରେନ୍‌ଷ୍ଟ୍ରୋକ୍‌ ହେଲା। ପୁଅ ଏବଂ ପତ୍ନୀ ଚିନ୍ତାରେ ପ୍ରାଣକୃଷ୍ଣ ମଧ୍ୟ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହେଲେ। ଏବେ ପ୍ରାଣକୃଷ୍ଣ ଭଲ ଭାବେ ଚାଲିପାରୁ ନଥିବା ବେଳେ ପତ୍ନୀ ସ୍ବର୍ଣ୍ଣଲତା କଥା କହିପାରୁ ନାହାନ୍ତି। ପ୍ରସନ୍ନଙ୍କ ହାତ ଓ ଗୋଡ଼ରୁ ଲୁହା ପ୍ଲେଟ୍‌ ବାହାରି ନଥିବାରୁ ସେ କାମ କରିପାରୁନାହାନ୍ତି। ଏଥିପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ କରିବା ତାଙ୍କ ପ‌କ୍ଷେ ଅସମ୍ଭବ ହୋଇପଡ଼ିଛି। ଯଦି କୌଣସି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ସହାୟତା ଯୋଗାଇ ଦିଅନ୍ତେ ତା’ ହେଲେ ପ୍ରସନ୍ନଙ୍କ ଅପରେସନ୍‌ ହୋଇପାରନ୍ତା ଓ ସେ ପୂର୍ବ ଭଳି ରୋଜଗାର କରିବାରେ ସମର୍ଥ ହୋଇପାରନ୍ତେ। ତେଣୁ ଆର୍ଥିକ ସହାୟତା ଆଶାରେ ପୂରା ପରିବାର ଅପେକ୍ଷା କରିଛନ୍ତି। କୌଣସି ବଦାନ୍ୟ ବ୍ୟକ୍ତି ବା ଅନୁଷ୍ଠାନ ସହଯୋଗ କରିବାକୁ ଇଚ୍ଛା କରୁଥିଲେ, ତାଙ୍କ ମୋବାଇଲ୍‌ ନମ୍ବର ୯୯୩୮୬୧୪୩୯୭ରେ ଯୋଗାଯୋଗ କରିବାକୁ ପ୍ରାଣକୃଷ୍ଣଙ୍କ ପରିବାର ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର