ଭୁବନେଶ୍ବର: ବାଜୁଥିଲା ଘଣ୍ଟ ଘଣ୍ଟା। ଭେରି, ତୁରି ଓ ମୃଦଙ୍ଗରେ ଚାଲିଥିଲା ମହାପ୍ରଭୁଙ୍କ ନାମ ସଂକୀର୍ତ୍ତନ। ହରିବୋଲ, ହୁଳହୁଳିରେ ଉଛୁଳି ପଡ଼ୁଥିଲା ରଥଦାଣ୍ଡ। ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଥିଲା ମନ୍ଦିରମାଳିନୀ ସହର। ନଅ ଦିନ ପରେ ପୁଣି ମହାପ୍ରଭୁଙ୍କୁ କୋଳେଇ ନେବାକୁ ଚାତକ ପରି ଚାହିଁ ରହିଥିଲେ ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନ ରଥ। ଶେଷରେ ଅପେକ୍ଷାର ଅନ୍ତ ଘଟିଲା।  କୋଟି ଓଡ଼ିଆଙ୍କ ମଉଡ଼ମଣି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ସାଙ୍ଗରେ ବଡ଼ଠାକୁର ଶ୍ରୀବଳଦେବ, ମା’ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ଧରି ଜନ୍ମବେଦିରୁ ରତ୍ନବେଦି ଅଭିମୁଖେ ବାହାରିଲେ।  ରଥାରୂଢ଼ ହେବାପରେ ରଥରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ପରେ ଭକ୍ତିମୟ ପରିବେଶରେ ଆଗକୁ ଆଗକୁ ଗଡ଼ିଥିଲା ରଥ। ଶ୍ରଦ୍ଧାଳୁମାନେ ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ କରି ଦୁଇ ହାତ ଟେକି ଭକ୍ତିରେ ଡାକୁଥିଲେ ଜୟ ଶ୍ରୀଜଗନ୍ନାଥ।  ବିଭିନ୍ନ ମନ୍ଦିରରେ ରଥ ଆଜି ସନ୍ଧ୍ୟାରେ ପହଞ୍ଚିଥିବା ବେଳେ ଆସନ୍ତାକାଲି ରଥ ଉପରେ ଶ୍ରୀଜିଉମାନଙ୍କର ସୁନାବେଶ ଅନୁଷ୍ଠିତ ହେବ।

Advertisment

ଆଜି ବାହୁଡ଼ା ପାଇଁ ରାଜଧାନୀରେ ଥିବା ସମସ୍ତ ଗୁଣ୍ଡିଚା ମନ୍ଦିରରେ ସଅଳ ନୀତି ଆରମ୍ଭ ହୋଇଥିଲା। ଭୋର୍‌ରୁ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଶେଷ ପରେ ଗୋପାଳବଲ୍ଲଭ ଓ ସକାଳ ଧୂପରେ ଖେଚୁଡ଼ି ଭୋଗ ହୋଇଥିଲା। ପ୍ରାୟ ସମସ୍ତ ମନ୍ଦିରରେ ମଧ୍ୟାହ୍ନରୁ ଅପରାହ୍ଣ ଭିତରେ ପହଣ୍ଡି ଆରମ୍ଭ ହୋଇଥିଲା। ଛେରାପହଁରା ସରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ଇସ୍କନ, କିସ୍‌, ଜାଗମରା, ପୁରୁଣା ଭୁବନେଶ୍ବର, ୟୁନିଟ୍‌-୮, ଖଣ୍ଡଗିରି ପ୍ରମୁଖ ଅଞ୍ଚଳରେ ୬୦ରୁ ଅଧିକ ସ୍ଥାନରେ ବାହୁଡ଼ାଯାତ୍ରା ହୋଇଥିଲା। ବାହୁଡ଼ାଯାତ୍ରା ପାଇଁ ସାରା ସହରରେ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସହରରେ ୧୭ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। ଏଥିସହ ଡିସିପିଙ୍କ ନେତୃତ୍ବରେ ୬ ଜଣ ଏଡିସିପି, ୧୨ ଜଣ ଏସିପିଙ୍କ ସମେତ ୧୦୦ ଜଣ ଅଫିସର ଦାୟିତ୍ବ ନିର୍ବାହ କରିଥିଲେ। ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ହାଇଟେକ୍‌ ଛକ, ସାଇମନ୍ଦିର ଛକ, ଲିଙ୍ଗରାଜ ଛକ, କଳ୍ପନା ଛକରେ ୫ଟି କଣ୍ଟ୍ରୋଲ ରୁମ୍‌ କରାଯାଇ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରାଯାଇଥିଲା। ବାହୁଡ଼ାଯାତ୍ରା ସମୟରେ ସହରର ସମସ୍ତ ସିସିଟିଭି ଉପରେ ଅଧିକାରୀମାନେ ନଜର ରଖିଥିଲେ। ଅଗ୍ନିଶମ ବିଭାଗ ମଧ୍ୟ ବିଭିନ୍ନ ସ୍ଥାନରେ ସଜାଗ ରହିଥିଲା।

fshfshsf

ଇସ୍କନ୍‌ ମନ୍ଦିର 
ଇସ୍କନ୍‌ ମନ୍ଦିରକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଘଣ୍ଟଘଣ୍ଟା, ହୁଳହୁଳି ଓ ସଂକୀର୍ତ୍ତନ ସହ ହଜାର ହଜାର ଭକ୍ତଙ୍କ ଗହଣରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ, ୟୁନିଟ-୪ ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଛନ୍ତି। ଭୋର ୪ଟା ୩୦ରେ ଠାକୁରଙ୍କ ମଙ୍ଗଳ ଆଳତି, ସକାଳ ସାଢେ଼ ୭ରେ ଦର୍ଶନ ଆଳତି ହୋଇଥିଲା। ମଧ୍ୟାହ୍ନ ସାଢ଼େ ୧୨ଟାରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଅପରାହ୍ଣ ୨ଟାରେ ଭକ୍ତ ଗୌରବ ନାରାୟଣ ସ୍ବାମୀ ଛେରାପହଁରା କରିଥିଲେ। ଅପରାହ୍ଣ ସାଢ଼େ ୩ଟା ପରେ ରଥଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ପ୍ରାୟ ସାଢେ଼ ୫ ଟାରେ ରଥ ଇସ୍କନ ମନ୍ଦିରରେ ପହଞ୍ଚିଥିଲା। ଆସନ୍ତାକାଲି ୫ଟାରେ ଠାକୁରଙ୍କ ସୁନାବେଶ ହେବ।

ଜାଗମରା ଧର୍ମବିହାର 
ଗଣ୍ଡମୁଣ୍ଡା ଲକ୍ଷ୍ମୀ ନାରାୟଣ ମନ୍ଦିରରୁ ବାହୁଡ଼ା ରଥ ବାହାରି ଧର୍ମବିହାର ଜଗନ୍ନାଥ ମନ୍ଦିରରେ ପହଞ୍ଚିଛି। ସକାଳେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସରିବା ପରେ ପୂର୍ବାହ୍ନ ୧୧ଟା ୩୦ରେ ପହଣ୍ଡି ଆରମ୍ଭ ହୋଇଥିଲା। ଅପରାହ୍ନ ୨ଟାରେ ରଘୁନାଥ ମହାନ୍ତି ଛେରାପହଁରା କରିବା ପରେ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା‌ ୬ଟାରେ ରଥ ଆସି ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା। ସନ୍ଧ୍ୟାରେ ଭଜନ ସମାରୋହ ଓ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିବାବେଳେ ରବିବାର ଠାକୁରଙ୍କ ସୁନାବେଶ ହେବ।

ୟୁନିଟ୍‌-୫ ଜଗନ୍ନାଥ ମନ୍ଦିର
ନବଦିନାତ୍ମକ ଯାତ୍ରା ଶେଷ କରି ୟୁନିଟ୍‌-୬ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ୟୁନିଟ-୫ ଜଗନ୍ନାଥ ମନ୍ଦିରକୁ ଚତୁର୍ଦ୍ଧା ମୂର୍ତ୍ତି ଫେରିଛନ୍ତି। ଭୋର୍‌ରୁ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ଶୃଙ୍ଗାର ହୋଇଥିଲା। ଏହାପରେ ବଲ୍ଲଭ, ଖେଚୁଡ଼ି ଭୋଗ, ମଙ୍ଗଳାର୍ପଣ କରାଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ସୁଶାନ୍ତ କୁମାର ପଣ୍ଡା ଛେରାପହଁରା କରିଥିଲେ। ଅପରାହ୍ନ ସାଢ଼େ ୨ଟାରେ ରଥଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ସାଢ଼େ ୫ଟାରେ ଜଗନ୍ନାଥ ମନ୍ଦିରରେ ରଥ ପହଞ୍ଚିଥିଲା।

ଶ୍ରୀବାଣୀକ୍ଷେତ୍ର
ଚନ୍ଦ୍ରଶେଖରପୁର: ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ଶ୍ରୀବାଣୀ କ୍ଷେତ୍ରକୁ ବାହୁଡ଼ିଛନ୍ତି। ପୂର୍ବାହ୍ନରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ରଥପୂଜା ଓ ପହଣ୍ଡି ଆଦି ନୀତିକାନ୍ତି ସଂପନ୍ନ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅପରାହ୍ନ ୩ଟାରେ ଛେରାପହଁରା କରିଥିଲେ। ଅପରାହ୍ନ ୪ଟାରେ ଭକ୍ତମାନେ ରଥାରୂଢ଼ ଶ୍ରୀଜିଉଙ୍କ ରଥ ଟାଣିଥିଲେ। ମହିଳାମାନେ ମା’ ସୁଭଦ୍ରାଙ୍କ ରଥ ଟାଣିଥିଲେ। ବାହୁଡ଼ା ଯାତ୍ରା ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ଘଣ୍ଟଘଣ୍ଟା, ମର୍ଦ୍ଦଳ ଧ୍ୱନି ଓ ହୁଳହୁଳିରେ ରଥଦାଣ୍ଡ କମ୍ପିଥିଲା। ଆସନ୍ତାକାଲି ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ।