ଭୁବନେଶ୍ୱରେ : ବେଢ଼ାରେ ହେଲା ବାହୁଡ଼ା ନୀତି, ଆଜି ସୁନାବେଶ

ଭୁବନେଶ୍ବର : ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ କରୋନା କଟକଣା ପାଇଁ ରାଜଧାନୀ ଭୁବନେଶ୍ବରେ ଏହି ଦୁଇ ଯାତ୍ରା ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ଠାକୁରଙ୍କ ରଥ ଦାଣ୍ଡକୁ(ରାଜରାସ୍ତା) ଆସିପାରିନଥିଲେ ସିନା ସମସ୍ତ ନୀତିକାନ୍ତି କିନ୍ତୁ ମନ୍ଦିର ବେଢ଼ାରେ ସମ୍ପନ୍ନ କରାଯାଇଛି। ବେଢ଼ାରେ ରଥ ଯାତ୍ରା ଓ ବେଢ଼ାରେ ବାହୁଡ଼ା ନୀତି( ବେଢ଼ା ବାହୁଡ଼ା) ଅନୁଷ୍ଠିତ ହୋଇଯାଇଛି। ଆଜି ମହାପ୍ରଭୁଙ୍କୁ ମନ୍ଦିର ବେଢ଼ା ଚାରିପଟେ ପରିକ୍ରମା କରାଇ ଅଧରପଣା ମଣ୍ଡପରେ ବିଜେ କରାଯାଇଛି। କିଛି ମନ୍ଦିରରେ ଅଧରପଣା ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ସୁନାବେଶ ସମାହିତ ହେବ ଓ ମହାପ୍ରଭୁ ରତ୍ନବେଦିରେ ବିରାଜମାନ କରିବେ।

ଇସ୍କନ୍‌ରେ ହେଲା ଅଧରପଣା
ନୂଆପଲ୍ଲୀସ୍ଥିତ ଇସ୍କନ୍ ମନ୍ଦିର ପରିସର‌ରେ ବାହୁଡ଼ା ଯାତ୍ରା ସଂପନ୍ନ ହୋଇଯାଇଛି। ଦିନ ୩ଟାରେ ସୁଦ୍ଧା ସମସ୍ତ ନୀତି ସଂପନ୍ନ ହୋଇଥିଲା ଓ ଗୁଣ୍ଡିଚା ମନ୍ଦିର ପାଲଟିଥିବା ପ୍ରସାଦାଳୟରୁ ମହାପ୍ରଭୁଙ୍କ ପହଣ୍ଡି ବିଜେ କରାଯାଇଥିଲା। ପ୍ରଥମେ ବଳଭଦ୍ରଙ୍କୁ ଭୋଗ ଲାଗି, ଆଳତି ଓ ଅନ୍ୟାନ୍ୟ ନୀତି ସଂପନ୍ନ କରାଯିବା ପରେ ଅଧରପଣା ଲାଗି କରା ଯାଇଥିଲା। ସେହିଭଳି ପରେ ସୁଭଦ୍ରା ଓ ଶେଷକୁ ଜଗନ୍ନାଥ ପହଣ୍ଡି କରାଯାଇ ଅଧରପଣା ଲାଗି କରାଯାଇଥିଲା। କରୋନା କଟକଣା ପାଇଁ ପ୍ରଥମ ଥର ଇସ୍କନରେ ବାହୁଡ଼ା ଦିନ ଅଧରପଣା ଲାଗି ହୋଇଥିଲା। ଅଧରପଣା ପରେ ମହାପ୍ରଭୁଙ୍କୁ ରଥରୁ ଅଣାଯାଇ ମନ୍ଦିର ଭିତରେ ଥିବା ବହି ଷ୍ଟଲ୍ ନିକଟସ୍ଥ ଅସ୍ଥାୟୀ ବେଦିରେ ସ୍ଥାନିତ କରାଯାଇଛି। ଆସନ୍ତାକାଲି ଏହି ଅସ୍ଥାୟୀ ବେଦିରେ ମହାପ୍ରଭୁଙ୍କ ସୁନାବେଶ କରାଯିବ ଓ ପରେ ଠାକୁରଙ୍କୁ ରତ୍ନ ସିଂହାସନରେ ବିଜେ କରାଯିବ।

ଜାଗମରାରେ ବେଢ଼ାରେ ରଥ ଗଡ଼ିଲା
ଜାଗମରାସ୍ଥିତ ଧର୍ମବିହାର ଜଗନ୍ନାଥ ମନ୍ଦିରରେ ଆଜି ଭୋର୍‌ରୁ ହୋମ ଓ ସୂର୍ଯ୍ୟପୂଜା ସହ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଅପରାହ୍ନ ୩ଟା ୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା ଓ ଠାକୁରଙ୍କୁ ଏକ ଛୋଟ ରଥରେ ବସାଇ ମନ୍ଦିର ପରିକ୍ରମା କରାଯାଇଥିଲା। ରଥାରୂଢ଼ ଅବସ୍ଥାରେ ତିନି ଠାକୁରଙ୍କୁ ଅବସ୍ଥାନ କରାଯାଇଛି। ଆସନ୍ତାକାଲି ଉକ୍ତ ରଥରେ ଅଧରପଣା ଓ ପରେ ସୁନାବେଶ କରାଯାଇ ମହାପ୍ରଭୁଙ୍କୁ ରତ୍ନବେଦିକୁ ନିଆଯିବ।
ବାଣୀବିହାର ବାଲିରଥରେ ବାହୁଡ଼ା
ବାଣୀବିହାର ଜଗନ୍ନାଥ ମନ୍ଦିରରେ ଚଳିତ ବର୍ଷ ବାଲିରଥ ଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ। କରୋନା କଟକଣା ପାଇଁ ରଥଟଣା ନୀତି ବନ୍ଦ ହୋଇଥିଲେ ହେଁ ମନ୍ଦିର ଭିତରେ ସମସ୍ତ ବିଧି ସମ୍ପନ୍ନ କରାଯାଇଥିଲା। ଆଜି ମଧ୍ୟ ବାହୁଡ଼ାରେ ସମସ୍ତ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ତେବେ ବିଗ୍ରହମାନଙ୍କୁ ବାଲିରଥରେ ପ୍ରତିଷ୍ଠା କରାଇ ପୂଜାର୍ଚ୍ଚନା‌ କରାଯାଇଥିଲା ବୋଲି ମନ୍ଦିର ପରିଚାଳନା କମିଟିର ସମ୍ପାଦକ ସନ୍ତୋଷ ତ୍ରିପାଠୀ ସୂଚନା ଦେଇଥିଲେ। +

ବିଷ୍ଣୁମନ୍ଦିରରେ ୪ ଫୁଟ ଗଡ଼ିଲା ରଥ
ଆଜି ସହିଦନଗରସ୍ଥିତ ବିଷ୍ଣୁମନ୍ଦିରରେ ସକାଳ ୯ଟା ୩୦ରେ ଶ୍ରୀଜିଉଙ୍କର ପହଣ୍ଡି କାର୍ଯ୍ୟ ଶେଷ ହୋଇଥିଲା। ପରେ ମନ୍ଦିର ବେଢ଼ାରେ ଠିଆ ହୋଇଥିବା ରଥରେ ମହାପ୍ରଭୁ ରଥାରୂଢ଼ ହୋଇଥିଲେ। ବିଧି ରକ୍ଷା ପାଇଁ ମନ୍ଦିର ବେଢ଼ାରେ ରଥକୁ ମାତ୍ର ୪ ଫୁଟ ଗଡ଼ାଇ ନିଆଯାଇଥିଲା। ତା’ପରେ ଶ୍ରୀଜିଉଙ୍କୁ ରଥରୁ ଅଣାଯାଇ ମନ୍ଦିର ମୁଖଶାଳାରେ ଅବସ୍ଥାନ କରାଯାଇଥିଲା। ଆସନ୍ତାକାଲି ଶ୍ରୀଜିଉଙ୍କୁ ଅଧରପଣା ଲାଗୁ କରାଯିବା ପରେ ସୁନାବେଶ ନୀତି ସଂପନ୍ନ ହେବ ଓ ବିଗ୍ରହମାନଙ୍କୁ ରତ୍ନବେଦିକୁ ନିଆଯିବ।

ଓୟୁଏଟିରେ ମହାପ୍ରଭୁଙ୍କୁ ଛେନାପୋଡ଼ ଲାଗି
ଓୟୁଏଟିସ୍ଥିତ ଜଗନ୍ନାଥ ମନ୍ଦିରରେ ପରିସରରେ ଥିବା ଭୋଜନ ମଣ୍ଡପରେ ନିର୍ମିତ ଅସ୍ଥାୟୀ ମଣ୍ଡପରେ ଆଜି ତିନି ଠାକୁରଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଠାକୁର ଅସ୍ଥାୟୀ ମଣ୍ଡପରୁ ଘୁଞ୍ଚିନଥିଲେ ହେଁ ବିଧିରେ ପାଳିତ ହୋଇଥିଲା ବାହୁଡ଼ା ପୂଜା। ବିଧି ଅନୁଯାୟୀ ମହାପ୍ରଭୁ ଝାଡ଼େଶ୍ବରୀ ମନ୍ଦିରକୁ ଯିବା ପରେ ସେଠାରେ ଛେନାପୋଡ଼ ଲାଗି କରାଯାଏ। କିନ୍ତୁ ଏଥର ରଥଯାତ୍ରା ହୋଇନଥିବାରୁ ମହାପ୍ରଭୁ ଝାଡ଼େଶ୍ବରୀ ମନ୍ଦିର ଯାଇପାରିନଥିଲେ। ତେଣୁ ଆଜି ଝାଡ଼େଶ୍ବରୀ ମନ୍ଦିରରୁ ସେବକମାନେ ଆସି ଠାକୁରଙ୍କ ନିକଟରେ ଛେନାପୋଡ଼ ଲାଗି କରିଥିଲେ। ଆସନ୍ତାକାଲି ମଧ୍ୟ ଭୋଜନ ମଣ୍ଡପରେ ମହାପ୍ରଭୁଙ୍କର ସୁନାବେଶ କରାଯିବ। ଅପରାହ୍ନ ୪ଟା ୩୦ରୁ ରାତି ୮ଟା ୩୦ ଯାଏ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁଯୋଗ ମିଳିବ। ଲୋକେ ମନ୍ଦିର ବାହାରେ ରହି ଠାକୁରଙ୍କୁ ଦେଖିବା ପାଇଁ ବ୍ୟବସ୍ଥା କରାଯିବ। ତେବେ ଶୁକ୍ରବାର ଅଧରପଣା ନୀତି କରାଯିବା ପରେ ଶନିବାର ଦିନ ବିଗ୍ରହମାନଙ୍କୁ ରତ୍ନ ସିଂହାସନକୁ ନିଆଯିବ ବୋଲି ମନ୍ଦିର କର୍ମକର୍ତ୍ତା ସୂଚନା ଦେଇଛନ୍ତି।

ଚନ୍ଦ୍ରଶେଖରପୁର
ଚନ୍ଦ୍ରଶେଖରପୁର : ଆଜି ଚନ୍ଦ୍ରଶେଖରପୁର, ପଟିଆ ଓ ମଞ୍ଚେଶ୍ବର ଅଞ୍ଚଳର ଶ୍ରୀଜଗନ୍ନାଥ ମନ୍ଦିର ଗୁଡ଼ିକରେ ନିରାଡ଼ମ୍ବରଭାବେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପରିସରରେ ହୋଇଥିବା ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରୁ ଠାକୁରଙ୍କୁ ପହଣ୍ଡି କରି ମନ୍ଦିର ପରିସରରେ ଥିବା ଅଧରପଣା ମଣ୍ଡପକୁ ନିଆଯାଇଥିଲା। ଆସନ୍ତାକାଲି ଅଧରପଣା ପରେ ସୁନାବେଶ ବିଧି କରାଯିବ ଓ ପରେ ଠାକୁରଙ୍କୁ ରତ୍ନବେଦିକୁ ନିଆଯିବ।

ଏହି ଅବସରରେ ମଞ୍ଚେଶ୍ବର ରେଲୱେ କଲୋନି ଶ୍ରୀଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଲକ୍ଷ୍ମୀଧର ବେହେରା ଓ ସୌଭାଗ୍ୟ କମାର ମହାପାତ୍ର ବାହୁଡ଼ା ପୂଜା ପରିଚାଳନା କରିଥିଲେ। ଆର୍.ସି.ଏମ୍ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରବୀର ପାଲ୍‌ ବାହୁଡ଼ା ପୂଜା କାର୍ଯ୍ୟକୁ ପରିଚାଳନା କରିଥିଲେ। ଶୈଳଶ୍ରୀବିହାର ରଥଯାତ୍ରା କମିଟି ପକ୍ଷରୁ ରଘୁନାଥ ମଲ୍ଲିକ୍ ଓ ଏସ୍.ଏନ୍.ପଣ୍ଡା ବାହୁଡ଼ା ଯାତ୍ରା କାର୍ଯ୍ୟ ପରିଚାଳନା ଦାୟିତ୍ବ ନେଇଥିଲେ। ପଟିଆ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବାହୁଡ଼ା ନୀତିକାନ୍ତି ଅନୁଷ୍ଠିତ ହେବା ପରେ ଠାକୁରଙ୍କୁ ସୁନାବେଶ ମଣ୍ଡପକୁ ନିଆଯାଇଥିଲା। ସେହିଭଳି କିସ୍ ‌ଶ୍ରୀବାଣୀ କ୍ଷେତ୍ରରେ ଚଳିତବର୍ଷ ନିରାଡ଼ମ୍ବର ଭାବେ ବାହୁଡ଼ା ଯାତ୍ରା ନୀତିକାନ୍ତି ହୋଇଯାଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରୁ ପହଣ୍ଡି କରାଯାଇ ଠାକୁରଙ୍କୁ ମୁଖ୍ୟ ମନ୍ଦିର ରତ୍ନ ସିଂହାସନକୁ ଅଣାଯାଇଥିଲା। କିଟ୍ ଓ କିସ୍‌ର ପ୍ରତି‌ଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସେବାୟତମାନଙ୍କୁ ନୀତିକାନ୍ତିରେ ସହଯୋଗ କରିଥିଲେ।

ବାହୁଡ଼ିଲା କୁନିପିଲାଙ୍କ ରଥ
ପୁରୁଣା ଭୁବନେଶ୍ୱର : ଏକାମ୍ର କ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସମ୍ପନ୍ନ ହୋଇପାରିନଥିବାରୁ ବାହୁଡ଼ା ଯାତ୍ରା ହୋଇନାହିଁ। କେବଳ ବିଧି ଅନୁଯାୟୀ ବଡ଼ଠାକୁର ମଣ୍ଡପରେ ପୂଜା ପାଇଲେ। ପୁରୁଣା ଭୁବନେଶ୍ବର ବଡ଼ଦାଣ୍ଡ ସାହି ଶ୍ରୀଜଗନ୍ନାଥ ଘୋଷଯାତ୍ରା କମିଟି, ଜମେଶ୍ବର ପାଟଣାସାହିସ୍ଥିତ ଶ୍ରୀଜଗନ୍ନାଥ ରଥଯାତ୍ରା କମିଟି, ଭୀମଟାଙ୍ଗି ତଳ ଫେଜ୍‌ରେ ସାଇଶ୍ରୀ କ୍ଲବ କେବଳ ଠାକୁରଙ୍କ ବାହୁଡ଼ା ରୀତିନୀତି ଅନୁସାରେ ପୂଜା କରିଥିଲେ। କିନ୍ତୁ ରଥଯାତ୍ରା ଦିନ ଏକାମ୍ର ଦାଣ୍ଡରେ କୁନିପିଲାଙ୍କ ରଥ ଗଡ଼ିଥିବାରୁ ଆଜି ବାହୁଡ଼ାରେ ମଧ୍ୟ ରଥ ଗଡ଼ିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ପରକରଣ ସାହି ଗଳିରେ ଠାକୁରଙ୍କ ରଥକୁ ଛୋଟ ପିଲାମାନେ ଟାଣି ନେଇଥିଲେ। ସେହିପରି ବଢ଼େଇବାଙ୍କଛକସ୍ଥିତ ମଠସାହିରେ ଛୋଟପିଲାମାନେ ରଥାରୂଢ଼ ତିନିଠାକୁରଙ୍କୁ ବାହୁଡ଼ା ଯାତ୍ରାରେ ନେଇଥି‌ଲେ। କରୋନା କଟକଣା ପାଇଁ ଅଧିକ ପିଲାଙ୍କୁ ଏହି ବାହୁଡ଼ା ଯାତ୍ରାରେ ସାମିଲ୍ କରାଯାଇନଥିଲା। ପିଲାମାନେ ବିଧି ଅନୁଯାୟୀ ରଥରେ ଠାକୁରଙ୍କୁ ବସାଇ ଛେରାଁ ପହରା କରି ରଥ ଟାଣିଥିଲେ।

ସମ୍ବନ୍ଧିତ ଖବର