ସୁନନ୍ଦା ସ୍ମୃତି ଓ ସଂଗୀତ ସନ୍ଧ୍ୟା : ସବୁକାଳେ ମନେ ରହିବେ

ଭୁବନେଶ୍ବର : ‘ତରାନା’କୁ ବିଶ୍ବ ପ୍ରସିଦ୍ଧ କରାଇବାରେ କାଳଜୟୀ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ଅବଦାନ ସବୁକାଳେ ମନେ ରହିବ। ମାତ୍ର ପଦ୍ମଶ୍ରୀଟିଏ ମଧ୍ୟ ତାଙ୍କୁ ଦିଆଯାଇପାରିଲା ନାହିଁ। ଯଦି ସେ ସୁନନ୍ଦା ପଟ୍ଟନାୟକ ବଦଳରେ ସୁନନ୍ଦ ଚାଟାର୍ଜୀ କି ବାନାର୍ଜୀ ହୋଇଥାନ୍ତେ ତେବେ ତାଙ୍କୁ ହୁଏତ ‘ଭାରତରତ୍ନ’ ମିଳିଯାଇଥାଆନ୍ତା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେମି ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ବାରା ‘ଉତ୍କଳ ରଙ୍ଗମଞ୍ଚ’ରେ ଆୟୋଜିତ ‘ସୁନନ୍ଦା ସ୍ମୃତି ଓ ସଂଗୀତ ସନ୍ଧ୍ୟା’ରେ ଅତିଥିମାନେ ସୁନନ୍ଦାଙ୍କ ସ୍ମୃତଚାରଣ କରି ଏହା କହିବା ସହ ଆହୁରି ସୁନନ୍ଦାମାନଙ୍କୁ ସୃଷ୍ଟି ପାଇଁ ଏହି ସ୍ମୃତିସଭା ପ୍ରେରଣା ଯୋଗାଇବ ବୋଲି କହିଛନ୍ତି।

ଏହି ଅବସରରେ ସୁନନ୍ଦାଙ୍କ ସଂଗୀତମୟ ଜୀବନ ସମ୍ପର୍କରେ ମଧୁର ସ୍ମୃତି ଶୁଣିବାର ଅବକାଶ ମିଳିଥିଲା। ଏଥିସହ ସୁନନ୍ଦାଙ୍କ କଣ୍ଠ ନିଃସୃତ ଗୀତଗୁଡ଼ିକୁ ଗାଇ ଶୁଣାଇଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀବୃନ୍ଦ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ବକ୍ତବ୍ୟ ରଖିଥିବା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ଡ.ଶ୍ୟାମାମଣି ଦେବୀ, ଖ୍ୟାତନାମା ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ କୁମ୍‌କୁମ୍‌ ମହାନ୍ତି, ବିଶିଷ୍ଟ କଥାକାର ଗୌରହରି ଦାସ, ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ରାମହରି ଦାସ, ଲାର୍କ ବୁକ୍ସର ପ୍ରତିଷ୍ଠାତା ତଥା ସଂଗୀତ ସଂଗଠକ ମହେନ୍ଦ୍ର ମିଶ୍ର, ‘କାଦମ୍ବିନୀ’ର ସମ୍ପାଦିକା ଡ.ଇତି ସାମନ୍ତ ସୁନନ୍ଦା ସମ୍ପର୍କିତ ସ୍ମୃତି ଓ କୃତିତ୍ବ ସମ୍ପର୍କରେ କହିଥିଲେ।

ଶ୍ୟାମାମଣି ଦେବୀ ‘ହରି ଭଜନ କୋ ମାନୋରେ.., ଗୁରୁ ରାମହରି ଦାସଙ୍କ କଣ୍ଠରେ ‘ଜୀବନ ପାତ୍ର ଭରିଛ କେତେମତେ.., ଡ.ବିଜୟ ଜେନାଙ୍କ କଣ୍ଠରେ ‘ଆଜି ଦେବ ବୋଲି କେଉଁ ଭିକ୍ଷା.., ମହାପାତ୍ର ମିନତି ଭଂଜଙ୍କ କଣ୍ଠରେ ‘ଜୀବନ ବିନ୍ଦୁ… ଭଳି ସଂଗୀତ ଶୁଣିବାକୁ ମିଳିଥିଲା। ପରେ ସ୍ବର୍ଗତ ଦିଲ୍ଲୀପ ପଟ୍ଟନାୟକଙ୍କ ନିର୍ଦେଶିତ ସୁନନ୍ଦା ପଟ୍ଟନାୟକଙ୍କ ସଂଗୀତ ଜୀବନୀ ଆଧାରିତ ପ୍ରାମାଣିକ ଚିତ୍ର ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ନିର୍ଦେଶକ କୃପାସିନ୍ଧୁ ମିଶ୍ରଙ୍କ ସମେତ ସଂଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସଂଗୀତ ପ୍ରେମୀ ଉପସ୍ଥିତ ଥିଲେ। ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ.ସଂଗୀତା ଗୋସାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର