ସୁନ୍ଦରପଦା ଅମରେଶ ନାୟକ ହତ୍ୟାକାଣ୍ଡ: ରାଜ୍ୟ ବାହାରୁ ଖାଲି ହାତରେ ଫେରିଲା ଟିମ୍‌, ୫ ଅଟକ

ଭୁବନେଶ୍ବର: ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦାର ଅମରେଶ ନାୟକ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ମାରାଥନ୍‌ ଜେରା ଚାଲିଛି। ସେମାନଙ୍କ ସୂଚନାକୁ ଆଧାର କରି ସ୍ପେଶାଲ ସ୍କ୍ବାଡ୍‌ ରାଜ୍ୟ ବାହାରକୁ ଯାଇଥିଲେ ମଧ୍ୟ ହତାଶ ହୋଇ ଫେରିଛି। ପରବର୍ତ୍ତୀ ଘଟଣାକ୍ରମେ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ଅନ୍ୟ ୫ ଜଣଙ୍କୁ ପୁଲିସ ଉଠାଇ ନେଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ସମସ୍ତଙ୍କୁ ପ୍ରଥମେ ଅଲଗା ଅଲଗା ପଚରା ଉଚରା କରାଯାଇଥିବା ବେଳେ ରାତିରେ ଏକତ୍ର ପଚରା ଉଚରା କରାଯାଇଛି। ସ୍ପେଶାଲ ସ୍କ୍ବାଡ୍‌ର ଅଧିକାରୀଙ୍କ ସହ କମିସନରେଟ୍‌ ପୁଲିସର ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ଏହି ଜେରାରେ ସାମିଲ ହୋଇଛନ୍ତି। ଏନେଇ କୌଣସି ଅଧିକାରୀ ମୁହଁ ଖୋଲୁ ନ ଥିବାରୁ ଘଟଣାଟି ଅଧିକ ରହସ୍ୟାବୃତ ହୋଇ ରହିଛି।

ଅନ୍ୟପଟେ ମୃତ ଅମରେଶଙ୍କ ସହଯୋଗୀ (ଯେଉଁମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ)ଙ୍କୁ ପୁଲିସ ସାକ୍ଷୀ ଭାବରେ ଗ୍ରହଣ କରୁ ନାହିଁ। ଏଣୁ ପୁଲିସର ଭୁମିକାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏତଲାରେ ଥିବା କେତେକ ଅଭିଯୁକ୍ତଙ୍କ ନାମକୁ ପୁଲିସ ଉଡ଼ାଇ ଦେବାକୁ ଯୋଜନା କରିଥିବା ସେମାନେ
ଅଭିଯୋଗ କରିଛନ୍ତି। ଜଣେ ପୂର୍ବତନ କର୍ପୋରେଟରଙ୍କ ସମେତ ଆଉ ଦୁଇଜଣ ଅଭିଯୁକ୍ତଙ୍କ ନାମ ଏତଲାରେ ରହିଥିଲେ ମଧ୍ୟ ପୁଲିସ ତକୁ ଗୁରୁତ୍ବର ସହ ନେଉ ନାହିଁ। ଆଉ ଜଣେ ଘଟଣାସ୍ଥଳରେ ନ ଥିଲେ ମଧ୍ୟ ତାଙ୍କ ନାମକୁ ପୁଲିସ ନିଜ ଆଡ଼ୁ ଯୋଡ଼ି ଦେଇଛି। ଘଟଣାସ୍ଥଳରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ କେବଳ ଏକ ଫୋନ୍‌ କଲ ଆସିଥିବାରୁ ପୁଲିସ ତାଙ୍କୁ ଅଭିଯୁକ୍ତ ସଜାଇଥିବା ସେମାନେ ଅଭିଯୋଗ କରିଛନ୍ତି।

ହତ୍ୟାପଛରେ ପତିଆରା: ଅମରେଶଙ୍କୁ ହତ୍ୟା କରିଥିବା ଗୋଷ୍ଠୀଙ୍କ ସହ ପୂର୍ବରୁ ଅମରେଶ ଗୋଷ୍ଠୀଙ୍କର ବିବାଦ ଲାଗି ରହିଥିଲା। ପତିଆରାକୁ ନେଇ ଲଢ଼େଇ ଚାଲିଥିଲା। ଛୋଟ ଛୋଟ କଥାରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେଉଥିଲେ। ପ୍ରତିଦିନ ଗୋଟିଏ ଗୋଷ୍ଠୀ ଏକାମ୍ର କଲେଜ୍‌ର ଗୋଟିଏ ଫାଟକରେ ଖଟି ଜମାଉଥିବା ବେଳେ ଅନ୍ୟଗୋଷ୍ଠୀ ଆଉ ଗୋଟିଏ ଫାଟକରେ ଭିଡ଼ ଜମାଉଥିଲେ। ସମ୍ପୃକ୍ତ ଅଞ୍ଚଳରେ ପତିଆରା ପାଇଁ ଉଭୟ ଗୋଷ୍ଠୀ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଥିଲା। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ପତିଆରା କମାଇବା ପାଇଁ ଉଦ୍ୟମ ଜାରି ରଖିଥିଲା। ଘଟଣାଦିନ ଅମରେଶ ଗୋଷ୍ଠୀର ବାଣ ଫୁଟାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଘଟଣାଦିନ ଅମରେଶଙ୍କ ଗୋଷ୍ଠୀ‌ରେ ଅଧିକ ସଦସ୍ୟ ରହିଥିଲେ। ପ୍ରଥମେ ଅପମାନିତ ହୋଇ ଅପରଗୋଷ୍ଠୀ ଫେରିଯିବା ସହ ଖଣ୍ଡେ ଦୂରରେ ଅପେକ୍ଷା କରି ରହିଥିଲେ। ଭୋଜି ପରେ ଅମରେଶ ଗୋଷ୍ଠୀରୁ ସଦସ୍ୟଙ୍କ ସଂଖ୍ୟା କମିବା ପରେ ଅତର୍କିତ ଆକ୍ରମଣ ହୋଇଥିଲା। ଅମରେଶ ଗୋଷ୍ଠୀ କ୍ରମଶଃ ଶକ୍ତିଶାଳୀ ହେଉଥିବାରୁ ତାଙ୍କର ପତିଆରା କମାଇବା ପାଇଁ ଜଣେ ନେତା ଏହି ଷଡ଼୍‌ଯନ୍ତ୍ର ରଚିଥିବା ନେଇ ଚର୍ଚ୍ଚା ହେଉଛି।

ମୁଣ୍ଡ ଗଡ଼ିବ!: ଅମରେଶଙ୍କ ହତ୍ୟାକୁ କେହି ସହଜରେ ବିଶ୍ବାସ କରିପାରୁ ନାହାନ୍ତି। ପରିବାର ଲୋକଙ୍କ ସମେତ ସହଯୋଗୀମାନେ ମଧ୍ୟ ସ୍ତବ୍ଧ ହୋଇ ଯାଇଛନ୍ତି। ହତ୍ୟା କରିଥିବା ଗୋଷ୍ଠୀଙ୍କ ସହ ଅନ୍ୟ ଗୋଷ୍ଠୀର ପୂର୍ବ ପରିଚିତି ଥିଲା। ଉଭୟ ଗୋଷ୍ଠୀର କେତେକ ପରସ୍ପରର ବନ୍ଧୁ ମଧ୍ୟ ରହିଛନ୍ତି। ଏଣୁ କିଏ କୁଆଡ଼େ ଯାଉଛି? କେଉଁଠି ରହୁଛି? କାହା ସହ କଥା ହେଉଛି? ଆଗକୁ ଯୋଜନା କଣ? ଏ ସବୁ ସମ୍ବନ୍ଧରେ ଉଭୟ ଗୋଷ୍ଠୀ ଜାଣି ପାରୁଛନ୍ତି। ଅମରେଶଙ୍କ ମୃତ୍ୟୁକୁ ସହଯୋଗୀମାନେ ସହଜରେ ଗ୍ରହଣ କରିପାରୁ ନ ଥିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ସନ୍ଧ୍ୟା ହେଲେ ଗାଁ ଶୂନ୍‌ଶାନ ହୋଇଯାଉଛି। ତେବେ ପୁଲିସ ଭୟରେ ନୁହେଁ, ବରଂ ଅପରଗୋଷ୍ଠୀର ଆକ୍ରମଣ ଭୟରେ ଏପରି ପରିସ୍ଥିତି ଉପୁଜୁଛି ବୋଲି ଚର୍ଚ୍ଚା ହେଉଛି। ଏହି ଛକାପଞ୍ଝାରୁ ଆହୁରି ମୁଣ୍ଡ ଗଡ଼ିବା ନେଇ ଆଶଙ୍କା ଥିବାରୁ ପୁଲିସ ସମଗ୍ର ଘଟଣା ଉପରେ ନଜର ରଖିଛି।
ସୂଚନାଯୋଗ୍ୟ ଯେ, ଦୀପାବଳି ରାତିରେ ଅମରେଶଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ହତ୍ୟାକାରୀମାନେ ତାଙ୍କ ମୁଣ୍ଡକୁ ପଥରରେ ଛେଚିବା ସହ ମୁଣ୍ଡ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ।

ସମ୍ବନ୍ଧିତ ଖବର