ସୁନ୍ଦରପଦା ଅମରେଶ ନାୟକ ହତ୍ୟାକାଣ୍ଡ: ଫେଲ୍‌ ମାରିଲାଣି ସବୁ ଟେକ୍‌ନୋଲୋଜି

ପୁଲିସ ହେପାଜତରେ ଦୁଇ ଅଭିଯୁକ୍ତ

ଭୁବନେଶ୍ବର: ଏୟାରଫିଲ୍ଡ ଥାନା ଅମରେଶ ନାୟକ ହତ୍ୟାକାଣ୍ଡକୁ ସପ୍ତାହେ ହୋଇଗଲା। ଅମରେଶଙ୍କ ପରିବାରଲୋକ ଓ ସାଙ୍ଗସାଥୀ ତାଙ୍କ ମୃତ୍ୟୁକୁ ବିଶ୍ବାସ କରିପାରୁ ନାହାନ୍ତି। ସେମାନଙ୍କ ଆଖି ଆଗରୁ ଅମରେଶଙ୍କ ମୁହଁ ଲିଭି ପାରୁନାହିଁ। କିନ୍ତୁ ପୁଲିସ ଏଯାଏ ହତ୍ୟାକାରୀଙ୍କୁ ଗିରଫ କରିପାରିଲା ନାହିଁ ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କମିସନରେଟ ପୁଲିସ ଗତକାଲି ରାତିରେ ଦୁଇଜଣ ଅଭିଯୁକ୍ତଙ୍କୁ ରାଜଧାନୀ ବାହାରୁ ଉଠାଇ ଆଣିଛି। ସେମାନେ ହେଲେ ରଘୁ ଓରଫ ରଘୁ୍ଆ ବାରିକ ଓ ଜଗଦୀଶ ଗଜେନ୍ଦ୍ର। ଦୁହିଁଙ୍କୁ ପୁଲିସ ଏକ ଗୁପ୍ତ ସ୍ଥାନରେ ରଖି ଅନ୍ୟ ଅଭିଯୁକ୍ତମାନଙ୍କ ସମ୍ପର୍କରେ ପଚରାଉଚରା କରୁଛି। ସେମାନଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି। ପୁଲିସ ଅନ୍ୟମାନଙ୍କୁ ଧରିବା ଲାଗି ବୈଷୟିକ ଜ୍ଞାନକୌଶଳ ଉପରେ ଭରସା କରିଛି। ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ପୁଲିସ ଅପରାଧୀଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରୁଛି। ସେହିପରି ଅଭିଯୁକ୍ତଙ୍କ ପରିବାର ଲୋକ ଓ ସାଙ୍ଗସାଥୀଙ୍କ ଉପରେ ତୀକ୍ଷଣ ନଜର ରଖିଛି। ସେମାନେ କାହା ସହିତ କଥା ହେଉଛନ୍ତି କିମ୍ବା ଦେଖା କରୁଛନ୍ତି, ସେ ନେଇ ପୁଲିସ ଗୁପ୍ତ ଭାବେ ନଜର ରଖିଛି। ଫେରାର ଅଭିଯୁକ୍ତମାନଙ୍କ ମୋବାଇଲ ସହ ପଡ଼ୋଶୀ ଘରର ମୋବାଇଲ ନମ୍ବରକୁ ମଧ୍ୟ ପୁଲିସ ଟ୍ରାକ୍‌ କରୁଛି। ଅଭିଯୁକ୍ତମାନଙ୍କ ନାମରେ କିମ୍ବା ସମ୍ପର୍କୀୟମାନଙ୍କ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ୍‌ ବ୍ୟବହାର, ସୋସିଆଲ ମିଡିଆ ବ୍ୟବହାର ଉପରେ ମଧ୍ୟ ପୁଲିସ ନଜର ରଖିଛି। ଏଥିମଧ୍ୟରୁ ଅଭିଯୁକ୍ତମାନେ ଯାହା ବି ବ୍ୟବହାର କରିବେ, ପୁଲିସ ସେମାନଙ୍କ ଉପସ୍ଥିତି ଜାଣିପାରିବ। କିନ୍ତୁ ସପ୍ତାହେ ପରେ ମଧ୍ୟ ଅଭିଯୁକ୍ତମାନେ ଗିରଫ ହୋଇନଥିବାରୁ ପୁଲିସର ବ୍ୟବହାର କରୁଥିବା ଟେକ୍ନୋଲୋଜି ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଅପରପେକ୍ଷ ଗୋଟିଏ ଟିମ୍‌ ବୈଷୟିକ ଜ୍ଞାନକୌଶଳ ଉପରେ ନଜର ରଖିଥିବା ବେଳେ ଆଉ ଗୋଟିଏ ଟିମ ଖବରୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବିଭିନ୍ନ ସଂଦିଗ୍ଧ ସ୍ଥାନରେ ଚଢ଼ଉ ଚଳାଇଛି।

ଅପରପକ୍ଷରେ ମୃତ ଅମରେଶଙ୍କ ପରିବାର ଓ ସହଯୋଗୀମାନେ ପୁଲିସ କମିସନରଙ୍କୁ ଭେଟି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଅମରେଶଙ୍କ ହତ୍ୟାକାଣ୍ଡରେ ଜଣେ ପୂର୍ବତନ କପୋର୍ରେଟରଙ୍କ ହାତ ଥିବା ସେମାନେ ପୁଲିସକୁ ଜଣାଇଛନ୍ତି। କିନ୍ତୁ ପୁଲିସ ତାଙ୍କୁ କାହିଁକି ଗିରଫ କରୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ଶଙ୍କର ବସ୍ତିଆ ହେଉଛି ମୁଖ୍ୟ ଅଭିଯୁକ୍ତ। ସେ ହିଁ ଅମରେଶଙ୍କ ମୁଣ୍ଡ ଉପରେ ବାଇକ ଚଢ଼ାଇ ଦେଇଥିଲା। ଆମ୍ଭେମାନେ ଘଟଣାର ସାକ୍ଷୀ ଥିଲେ ମଧ୍ୟ ପୁଲିସ ଆମ୍ଭକୁ ସାକ୍ଷ୍ୟ ଭାବେ ଗ୍ରହଣ କରୁନାହିଁ। ଏହା ପଛରେ କ’ଣ କାରଣ ରହିଛି ବୋଲି ସେମାନେ ଓଲଟା ପ୍ରଶ୍ନ କରିଛନ୍ତି। ଅମରେଶଙ୍କ ସହଯୋଗୀମାନେ ଥାନା ଇନ୍ସପେକ୍ଟର ଜ୍ଞାନେନ୍ଦ୍ର ସାହୁଙ୍କ କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। କହିଛନ୍ତି, ଘଟଣା ରାତିରେ ଆମେ ହତ୍ୟାକାରୀଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲୁ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଓଲଟି ଯେଉଁମାନେ ହତ୍ୟାକାଣ୍ଡ‌ରେ ସଂପୃକ୍ତ, ସେମାନଙ୍କ ସମର୍ଥକମାନେ ଥାନା ଘେରାଉ କରି ପୁଲିସ ଉପରେ ଚାପ ପ୍ରୟୋଗ କରିଥିଲେ। ଥାନାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଆଇନଶୃଙ୍ଖଳା ପରିସ୍ଥିତି ସ୍ବାଭାବିକ କରିବା ବେଳକୁ ଅପରାଧୀମାନେ ବହୁ ଦୂରକୁ ଖସି ଯାଇଥିଲେ। ଯେଉଁ କାରଣରୁ ପୁଲିସ ଏଯାଏ ସେମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇପାରୁନାହିଁ ବୋଲି ଅମରେଶଙ୍କ ସହଯୋଗୀମାନେ ଗଣମାଧ୍ୟମକୁ କହିଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ହତ୍ୟାକାଣ୍ଡର ସମସ୍ତ ୧୮ଜଣ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି। ୧୮ଜଣଙ୍କ ନାଁରେ ହିଁ ମାମଲା ରୁଜୁ ହୋଇଛି। ପୁଲିସ ଜଣ ଜଣ କରି ସମସ୍ତଙ୍କୁ ଗିରଫ କରିବ। ଏଠାରେ ପ୍ରକାଶ ଥାଉକି, ଦୀପାବଳି ରାତିରେ ନୃଶଂସ ଭାବେ ଅମରେଶଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ପରେ ହତ୍ୟାକାରୀମାନେ ତାଙ୍କ ମୁଣ୍ଡକୁ ପଥରରେ ଛେଚିବା ସହ ଗାଡ଼ି ଚଢ଼ାଇ ଦେଇଥିଲେ।

ସମ୍ବନ୍ଧିତ ଖବର