ସୁନ୍ଦରପଦା ଦୀପକ ହତ୍ୟା ମାମଲା: ଆଉ ୨ ଗିରଫ, ୪ ଖଣ୍ଡା ଜବତ

ଜେଲ୍‌ ଫେରିଲେ ୩ ଅଭିଯୁକ୍ତ

ଭୁବନେଶ୍ୱର : ସୁନ୍ଦରପଦା ଦୀପକ ରାଉତରାୟ ହତ୍ୟା ମାମଲାରେ ପୁଲିସ ଆଉ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପ୍ରଭୁପ୍ରସାଦ ମଲିଆ ଓରଫ୍ ରାଜା(୨୮) ଓ ଅଭି‌ଷେକ ମଲିଆ ଓରଫ୍ ସପୁ(୨୧)। ପୁଲିସକୁ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ୪ଟି ଖଣ୍ଡା ମିଳିଛି। ସବୁଗୁଡ଼ିକୁ ଜବତ କରାଯାଇଛି। ଏଣେ ରିମାଣ୍ଡ ସରିବା ପରେ ୩ ଅଭିଯୁକ୍ତ ଭିକି, ସୁଜିତ ଓ ଗୁନୁକୁ ପୁଲିସ ପୁଣି ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ତେଣୁ ଏହି ହତ୍ୟାକାଣ୍ଡରେ ‌୫ ଜଣ ଗିରଫ ହୋଇଥିବା ବେଳେ ଆଉ ୨ ଜଣ ଫେରାର୍ ଥିବା ପୁଲିସ ସୂଚନା ଦେଇଛି।

ମୁଖ୍ୟ ଅଭିଯୁକ୍ତ ଭିକି ଓ ତା’ର ୨ ସହଯୋଗୀ ସୁଜିତ ଓ ଗୁନୁ ଏମିତି ୩ ଜଣ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ତେଣୁ ଏୟାର୍‌ଫିଲ୍‌ଡ ଥାନା ପୁଲିସ ସେମାନଙ୍କୁ ୫ଦିନିଆ ରିମାଣ୍ଡରେ ଆଣି ପଚରାଉଚରା ଚଳାଇଥିଲା। ପୁଲିସ ଭିକିକୁ ପଚରାଉଚରା କରି ଏହି ହତ୍ୟାକାଣ୍ଡରେ ରାଜା ଓ ସପୁର ସମ୍ପୃକ୍ତି ଥିବା ପ୍ରମାଣ ପାଇ ସେମାନଙ୍କୁ ଗିରଫ କରିଛି। ପୁଲିସ ହତ୍ୟାକାଣ୍ଡର ସିନ୍‌ ରିକ୍ରିଏସନ୍ ପାଇଁ ଭିକିକୁ ହଜ୍ ପୋଖରୀ ନିକଟକୁ ନେଇଥିଲା। ହତ୍ୟାକାଣ୍ଡର ମୋଟିଭ୍‌ ମଧ୍ୟ ପୁଲିସ ପାଇଛି, କିନ୍ତୁ ତଦନ୍ତ ସରିନଥିବାରୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରୁନାହିଁ। ପ୍ରକାଶ ଥାଉକି ସୁନ୍ଦରପଦା ହଜ୍ ପୋଖରୀ ନିକଟରେ ଗଣେଶ ମଣ୍ଡପଠାରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଚାଲିଥିବା ବେଳେ ୨ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡ‌େଗାଳ ହୋଇଥିଲା। ପରେ ଉଭୟ ପକ୍ଷ ଘଟଣାସ୍ଥଳରୁ ପଳାଇଥିଲେ। କିନ୍ତୁ ପୁଣି ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଭିକି ଗୋଷ୍ଠୀର ୭ ଜଣ ସେଠାରେ ପହଞ୍ଚି ଅପରପକ୍ଷକୁ ଖୋଜିଥିଲେ। ହଜ୍ ପୋଖରୀ ତଦାରଖ ଦାୟିତ୍ବରେ ଥିବା ଦୀପକ ଗଣ୍ଡଗୋଳରେ ସମ୍ପୃକ୍ତ ନଥିଲେ ମଧ୍ୟ ରକ୍ତମୁଖା ହତ୍ୟା ଅଭିଯୁକ୍ତମାନେ କାହାକୁ ନପାଇ ଅତି ନିର୍ମମ ଭାବେ ଦୀପକଙ୍କୁ ହାଣି ପକାଇଥିଲେ।

ସମ୍ବନ୍ଧିତ ଖବର