ଫନି ଉଜାଡ଼ିଲା ସୂର୍ଯ୍ୟମୁଖୀ ଚାଷ

ବାସୁଦେବପୁର : ଆଉ ଦିନ କେଇଟା ପରେ ସୂର୍ଯ୍ୟମୁଖୀ କ୍ଷେତରୁ ଅମଳ ହୋଇଥାନ୍ତା। ମାତ୍ର ଲାଭଦାୟକ ସୂର୍ଯ୍ୟମୁଖୀ ଚାଷକୁ ଉଜାଡି ଦେଲା ବାତ୍ୟା ଫନି। କିଛିଦିନ ତଳେ କାଳବୈଶାଖୀ ମାଡରେ ନଷ୍ଟ ଭ୍ରଷ୍ଟ ହୋଇଥିବା ସୂର୍ଯ୍ୟମୁଖୀ ଚାଷକୁ ସମ୍ପୂର୍ଣ୍ଣ ଭାବେ ଉଜାଡି ଦେଇଛି ବାତ୍ୟା ଫନି। ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଥର ଖରିଫ ଋତୁରେ ସୂର୍ଯ୍ୟମୁଖୀ ଚାଷ କରାଯାଇଥିଲା। ଶହ ଶହ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରି ଚାଷୀ ଦୁଇ ପଇସା ଲାଭ କରିବାର ଆଶା କରିଥିଲା। ହେଲେ କ୍ଷେତରେ ସୂର୍ଯ୍ୟମୁଖୀ ଫୁଲ ଫୁଟି ପାକଳ ହୋଇ ଅମଳ ହେବା ସମୟରେ ଦାଉ ସାଧିଲା କାଳବୈଶାଖୀ। କାଳବୈଶାଖୀ ମାଡରେ ଗଛ ସବୁ ଭାଙ୍ଗି ତଳେ ପଡିଗଲା। ବାକି ଯାହା ଥିଲା ଏବେ ବାତ୍ୟା ଫନିର ପବନ ମାଡରେ ଗଛ ସମ୍ପୂର୍ଣ୍ଣ ପଡ଼ିଗଲା। ସୂର୍ଯ୍ୟମୁଖୀ ଗଛସବୁ ଖଡା ଭଳି ଠିଆ ହୋଇଥିବା ବେଳେ କ୍ଷେତ୍ରରୁ ଅମଳ ଆଶା ମଉଳି ଯାଇଥିବାରୁ ଚାଷୀ କିପରି ଧାରକରଜ ସୁଝିବେ ସେହି ଚିନ୍ତାରେ ରହିଛନ୍ତି। କେହି କେହି ଚାଷୀ ଅଧା ପାକଳ ମଞ୍ଜିକୁ ତୋଳି ଘରକୁ ନେଇ ଆସିଥିବା ବେଳେ, ଅନେକ କ୍ଷେତରେ ଗଛ ତଳେ ପଡ଼ି ମାଟିରେ ମିଶି ନଷ୍ଟ ହେବାକୁ ବସିଛି।

ଚାଷୀ ହରେକୃଷ୍ଣ ବେହେରା ହୁଅନ୍ତୁ ଅବା ଚାଷୀ ବିଦ୍ୟାଧର ବିଶ୍ବାଳଙ୍କ ଭଳି ଶତାଧିକ ଚାଷୀଙ୍କ ଦୁର୍ଦ୍ଦଶା ସ˚କଟ ମଧ୍ୟକୁ ଟାଣି ହୋଇଯାଇଛି। ପବନ ମାଡରେ ଗଛଗୁଡିକ ଭାଙ୍ଗି ତଳେ ପଡିଯାଇଥିବା ବେଳେ ବର୍ଷା ପାଣିରେ ଭିଜି ନଷ୍ଟ ହୋଇ ଯାଇଛି। ଫଳରେ ବିଭିନ୍ନ ପ୍ରକାର ହାନିକାରକ କୀଟପତଙ୍ଗ ଲାଗି ପାଚିଲା ମଞ୍ଜିକୁ ଶୋଷି ନେଇଛନ୍ତି। ଆଉ କେତେକା˚ଶରେ ଫୁଲ ପଚିଯିବା ସହ ଉଇ ଲାଗି ନଷ୍ଟ କରି ଦେଇଛନ୍ତି। ଅନେକ କ୍ଷେତରେ ମଞ୍ଜି ପରିପୃଷ୍ଟ ହୋଇ ନ ପାରି ଅଗାଡି ହୋଇଯାଇଛି। କୃଷି ବିଭାଗ ସୂଚନାରୁ ଜଣାଯାଇଛି, ଏଥର ବାସୁଦେବପୁର ବ୍ଲକରେ ପ୍ରାୟ ୫୭୨ହେକ୍ଟର ଜମିରେ ସୂର୍ଯ୍ୟମୂଖୀ ଚାଷ କରାଯାଇଥିଲା। ବ୍ଲକର ନୂଆଗାଁ, ଅଢୁଆ, ଇରମ ସମେତ ବିଭିନ୍ନ ପଞ୍ଚାୟତର ଚାଷୀ ବିଭିନ୍ନ ସଂସ୍ଥାରୁ ଋଣ ଓ ଧାର କରଜ କରି ଏହି ସୂର୍ଯ୍ୟମୁଖୀ ଚାଷ କରିଥିଲେ। ହେଲେ କାଳବୈଶାଖୀ ସହ ଫନି ବାତ୍ୟା ମାଡରେ ବ୍ଲକର ପ୍ରାୟ ଶହେ ଏକରୁ ଊର୍ଦ୍ଧ୍ବ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ସୂର୍ଯ୍ୟମୁଖୀ ଚାଷୀଙ୍କ କ୍ଷୟକ୍ଷତିର ଆକଳନ କରି ସହାୟତା ଦେବାକୁ ଚାଷୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର