ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ଅତ୍ୟନ୍ତ ବେଦନା ଦାୟକ: ନିରଞ୍ଜନ

ସମାଜସେବୀ ଦେବୀ ପ୍ରସାଦଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର: ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଟଙ୍କପାଣି ରୋଡସ୍ଥିତ ଡିଏମ୍ ରିସୋର୍ଟଠାରେ ପାଳିତ ହୋଇଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ, ମୃତ୍ୟୁ ଚିରନ୍ତନ ସତ୍ୟ। କିନ୍ତୁ କରୋନାର କରାଳ ଗ୍ରାସରେ ବହୁ ଯୁବ ପ୍ରତିଭାଙ୍କର ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ଅତ୍ୟନ୍ତ ବେଦନାଦାୟକ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଗଣେଶ୍ୱର ବେହେରା, ନିଖିଳ ଭାରତ ମହିଳା କଂଗ୍ରେସର ସମ୍ପାଦିକା ସୁସ୍ମିତା ବେହେରା, ପ୍ରଫେସର ବୁଦ୍ଧଦେବ ମିଶ୍ର, ପୂର୍ବତନ ସଭାପତି ନଟବର ବାରିକ, ବିଷ୍ଣୁ ଚରଣ ମିଶ୍ର, ହାଇଡ୍ରୋ ପାୱାର କ‌ର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ସହଦେବ ଖଟୁଆ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାନଚନ୍ଦ୍ର ଜେନା, ଲିଙ୍ଗରାଜ ମଲ୍ଲ, ସର୍ବେଶ୍ୱର ପଣ୍ଡା, କଂଗ୍ରେସ ନେତା ଜ୍ଞାନଦେବ ବେଉରା, ପ୍ରତିମା ମଲ୍ଲିକ, ଆଇନଜୀବୀ ଶିବାନନ୍ଦ ରାୟ, ଦୀପକ ପଶାୟତ, ବିରିଡ଼ି ବ୍ଲକ କଂଗ୍ରେସ ସଭାପତି ପ୍ରିୟବ୍ରତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅରବିନ୍ଦ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ। ନିଖିଳେଶ ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିବା ‌ବେଳେ ଆଇନଜୀବୀ ହିତେଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର