‘ପ୍ରେସ୍’ଲେଖା କାର୍ରେ ଜଗତ୍ସିଂହପୁରରୁ ଭୁବନେଶ୍ବର ଆସିଥିଲା ସଂପଦ
ହୋଣ୍ଡା ସିଟି କାର୍, ଟଙ୍କା, ମାରଣାସ୍ତ୍ର, ନକଲି ନମ୍ବର ପ୍ଲେଟ୍ ଜବତ
୪ ଦିନିଆ ରିମାଣ୍ଡ ସରିଲା, ଜେଲ୍ ଗଲେ ସଂପଦ, ପ୍ରଶାନ୍ତ
ଭୁବନେଶ୍ୱର : ନୂଆପଲ୍ଲୀ ଆଇଆର୍ସି ଭିଲେଜ୍ରେ ରହୁଥିବା ଜଣେ ବ୍ୟବସାୟୀଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ଜଣେ ଗଣମାଧ୍ୟମ କର୍ମଚାରୀଙ୍କ ସଂପୃକ୍ତି ରହିଛି। ତାଙ୍କରି ‘ପ୍ରେସ୍’ ଲେଖାଥିବା ହୋଣ୍ଡାସିଟି କାର୍ରେ ଦୁର୍ଦ୍ଦାନ୍ତ ଅପରାଧୀ ସଂପଦ ସାହୁ ଜଗତ୍ସିଂହପୁରରୁ ଭୁବନେଶ୍ବର ଆସିଥିଲା। ପରେ ଏଠାରେ ସହଯୋଗୀ ପ୍ରଶାନ୍ତ ସହ ମିଶି ସଂପୃକ୍ତ ବ୍ୟବସାୟୀଙ୍କୁ ହତ୍ୟା ପାଇଁ ଉଦ୍ୟମ ଚଳାଇଥିଲା। ୪ ଦିନିଆ ରିମାଣ୍ଡରେ ଆସିଥିବା ସୁପାରି କିଲର୍ ସଂପଦ ଓ ପ୍ରଶାନ୍ତଠାରୁ ନୂଆପଲ୍ଲୀ ଥାନା ପୁଲିସ ଏ ଚାଞ୍ଚଲ୍ୟକର ତଥ୍ୟ ପାଇବା ପରେ ତନାଘନା ଆରମ୍ଭ କରିଛି। ଉକ୍ତ ଗଣମାଧ୍ୟମ କର୍ମଚାରୀଙ୍କ ଘର ଛାନଭିନ୍ କରି ଏକ ମାରଣାସ୍ତ୍ର, ବାଇକ୍ ନମ୍ବର ପ୍ଲେଟ୍, ନଗଦ ୩୦ ହଜାର ଟଙ୍କା ଓ ସଂପଦ ଆସିଥିବା ହୋଣ୍ଡାସିଟି କାର୍କୁ ଜବତ କରିଛି। ଏହି ଷଡ଼୍ଯନ୍ତ୍ରରେ ଆଉ ଜଣଙ୍କ ସଂପୃକ୍ତି ଅଛି ବୋଲି ପୁଲିସ ସନ୍ଦେହ କରୁଛି। ତେଣୁ ତଦନ୍ତରେ ବାଧା ଉପୁଜିବା ଦୃଷ୍ଟିରୁ ପୁଲିସ ଏ ବାବଦରେ ଅଧିକ ସୂଚନା ଦେବାକୁ ମନା କରିଦେଇଛି। ଅପରପକ୍ଷେ ଗତକାଲି ସଂପଦ ଓ ପ୍ରଶାନ୍ତର ୪ ଦିନିଆ ରିମାଣ୍ଡ ସରିବା ପରେ ଆଜି ପୁଲିସ ଦୁହିଁଙ୍କୁ କୋର୍ଟରେ ହଜାର କରାଇବା ପରେ ଜେଲ୍କୁ ପଠାଇ ଦେଇଛି।
ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି, ସଂପୃକ୍ତ ଗଣମାଧ୍ୟମ କର୍ମଚାରୀଜଣକ ନିଜେ ସୁପାରିଦାତା ନା ସୁପାରିଦାତାଙ୍କ ସଂପର୍କୀୟ, ସେ ନେଇ ଅଧିକ ତଦନ୍ତ ଚାଲିଛି। ଉକ୍ତ ଗଣମାଧ୍ୟମ କର୍ମଚାରୀଙ୍କ ଅନ୍ୟାନ୍ୟ ବ୍ୟବସାୟ ରହିଛି। କିଛି ବର୍ଷ ତଳେ ଏକ କାମ କରାଇବାକୁ ସେ ଜଣେ ବ୍ୟବସାୟୀଙ୍କୁ କିଛି ଟଙ୍କା ଦେଇଥିଲେ। ମାତ୍ର ବ୍ୟବସାୟୀଜଣକ କାମ କରି ନଥିଲେ କି ଟଙ୍କା ମଧ୍ୟ ଫେରାଇ ନଥିଲେ। ଏହାକୁ କେନ୍ଦ୍ର କରି ସଂପୃକ୍ତ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଷଡ଼୍ଯନ୍ତ୍ର କରାଯାଇଥିବା ସନ୍ଦେହ କରାଯାଉଛି। ଏହି କ୍ରମରେ ସଂପଦ ସହ ତାଙ୍କର ପରିଚୟ ହୋଇଥିଲା ବୋଲି କୁହାଯାଉଛି।
ସଂପଦ ନିକଟରେ ଏକ ହତ୍ୟା ମାମଲାରେ ଜାମିନ୍ ପାଇ ଚୌଦ୍ବାର ଜେଲ୍ରୁ ମୁକୁଳି ଥିବାରୁ ପୁଲିସ୍ ତା’ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ଭୁବନେଶ୍ବର ଆସିଲେ କାଳେ ପୁଲିସ୍ ତାକୁ ଟ୍ରାକ୍ କରି ଯୋଜନା ଭଣ୍ଡୁର କରିଦେବ, ତେଣୁ ଗଣମାଧ୍ୟମ କର୍ମଚାରୀଜଣଙ୍କ ତାକୁ ନିଜ ହୋଣ୍ଡା ସିଟି କାର୍ରେ ଭୁବନେଶ୍ବରରେ ନେଇ ଆସିଥିଲେ। ଏଠାରେ ପ୍ରଶାନ୍ତ ସହ ମିଶି ସଂପଦ ସଂପୃକ୍ତ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଗତ ୨ ମାସ ହେବ ଡେରା ପକାଇଥିଲା। ଏହା ଭିତରେ ସେ ବ୍ୟବସାୟୀଙ୍କୁ ୮ଥର ହତ୍ୟା ଉଦ୍ୟମ କରିଥିଲେ ହେଁ ସେଥିରେ ସଫଳ ହୋଇପାରିନଥିଲା।