ଭୁବନେଶ୍ୱରରେ ସୁପାରି କିଲର୍‌: ଦୁର୍ଦ୍ଦାନ୍ତ ଅପରାଧୀ ସଂପଦ ଗିରଫ; ୨ ବନ୍ଧୁକ, ୮ ଅଫୁଟା ଗୁଳି, ଲଙ୍କା ସ୍ପ୍ରେ ଜବତ

ଧସ୍ତାଧସ୍ତିରେ ଖସି ପଡ଼ିଲା ଗୁଳି, ଖସିଗଲା ସହଯୋଗୀ

ଭୁବନେଶ୍ୱର : ହତ୍ୟା, ଡକାୟତି, ଦାଦାବଟି, ରାହାଜାନି, ଅପହରଣ ଭଳି ୧୦ରୁ ଊର୍ଧ୍ବ ସଂଗିନ୍‌ ଆପରାଧିକ ମାମଲାରେ ଜଡ଼ିତ ଦୁର୍ଦ୍ଦାନ୍ତ ସଂପଦ କୁମାର ସାହୁକୁ କମିସନରେଟ୍‌ ପୁଲିସ ଗିରଫ କରିଛି। ଗତ ଶୁକ୍ରବାର ରାତିରେ ସଂପଦ ଓ ତା’ର ଅନ୍ୟ ଜଣେ ସହଯୋଗୀ ନୂଆପଲ୍ଲୀ ସ୍ବପ୍ନେଶ୍ବର ମନ୍ଦିର ନିକଟରେ ଜଣେ ବିଲଡର୍‌ଙ୍କୁ ହତ୍ୟା କରିବା ପାଇଁ ଛକି ବସିଥିବା ବେଳେ ନୂଆପଲ୍ଲୀ ଥାନାର ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ପୁଲିସ୍‌ ସଂପଦକୁ ଗିରଫ କରିଥିବା ବେଳେ ତା’ ସହଯୋଗୀ ପ୍ରଶାନ୍ତ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଥିଲା। ତାକୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି। ସଂପଦର ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ଗାଁ ବଣିଆ ସାହିରେ ବୋଲି ପୁଲିସ ଜାଣିବାକୁ ପାଇଛି। ସଂପଦ ନିକଟରୁ ପୁଲିସ୍‌ ୯ ଏମ୍‌ଏମ୍‌ ଓ ୭.୬ ଏମ୍‌ଏମ୍‌ର ଦୁଇଟି ବନ୍ଧୁକ, ୮ଟି ଗୁଳି, ଲଙ୍କା ସ୍ପ୍ରେ’ ଓ ଏକ ପଲସର୍‌ (ଓଡି୩୩ଜେ ୩୩୭୭) ଜବତ କରିଛି। ଏ ସଂପର୍କରେ ପୁଲିସ ଧାରା ୩୫୩, ୩୩୨, ୩୦୭, ୧୨୦ (ଖ), ଆର୍ମସ୍‌ ଆକ୍ଟ ୨୫/୨୭ ଅନୁଯାୟୀ ନମ୍ବର ୫୪୮/୨୧‌‌ରେ ଏକ ମାମଲା ରୁଜୁ କରି ତାକୁ କୋର୍ଟଚାଲାଣ କରିଛି। କୋର୍ଟରେ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସଂପଦଠାରୁ ଅଧିକ ତଥ୍ୟ ହାସଲ ପାଇଁ ପୁଲିସ ତାକୁ ୩ ଦିନିଆ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି। ଏଥିପାଇଁ ନୂଆପଲ୍ଲୀ ଥାନା ପୁଲିସ ଆସନ୍ତାକାଲି କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରିପାରେ ବୋଲି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।

ମୁଙ୍ଗେରରୁ କିଣିଥିଲା ବନ୍ଧୁକ

କୁଖ୍ୟାତ ଅପରାଧୀ ସଂପଦ ବି ମୁଙ୍ଗେର୍‌ରୁ ବନ୍ଧୁକ କିଣିଥିଲା। ତା’ ପାଖରୁ ଜବତ ହୋଇଥିବା ୨ଟି ବନ୍ଧୁକ ମଧ୍ୟରୁ ୯ଏମ୍‌ଏମ୍‌ ବନ୍ଧୁକଟି ସେ ବିହାରର ମୁଙ୍ଗେରରୁ ଆଣିଥିଲା ବୋଲି ପୁଲିସକୁ କହିଛି। କିଛି ବର୍ଷ ତଳେ ସେ ବାରଙ୍ଗରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଗିରଫ ହୋଇ ଜେଲ୍‌ ଯାଇଥିଲା। ସେଠାରେ ସେ ଧରାପଡ଼ିବା ପରେ ତା’ ପାଖରୁ ପୁଲିସ ଗୋଟିଏ ବନ୍ଧୁକ ଜବତ କରିଥିଲା। ଜେଲ୍‌ରୁ ଜାମିନରେ ବାହାରିବା ପରେ ସେ ମୁଙ୍ଗେର୍‌ରୁ ଆଉ ଗୋଟିଏ ବନ୍ଧୁକ ୪୦ ହଜାର ଟଙ୍କା ଦେଇ କିଣିଥିଲା। ତେବେ ତା’ ପାଖରୁ ଜବତ ହୋଇଥିବା ଅନ୍ୟ ୭.୬ଏମ୍‌ଏମ୍‌ ବନ୍ଧୁକ ତା’ର ଆଉ ଜଣେ ସାଙ୍ଗଠାରୁ ମାଗି ଆଣିଥିଲା।

କେମିତି ଥିଲା ଅପରେସନ୍?
ଶୁକ୍ରବାର ସନ୍ଧ୍ୟାରେ ନୂଆପଲ୍ଲୀ ଥାନା ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଯେ ଆଇଆର୍‌ସି ଭିଲେଜ ନିକଟ ସ୍ବପ୍ନେଶ୍ବର ମନ୍ଦିର ନିକଟରେ ୨ଜଣ ଦୁର୍ବୃତ୍ତ ଏକ ନାଲି ପଲସର୍‌ରେ ଚକ୍କର୍‌ କାଟୁଛନ୍ତି। ଅଣ୍ଟାରେ ବନ୍ଧୁକ ଖୋସି ସ୍ଥାନୀୟ ଅଞ୍ଚଳରେ କାହାର ଠିକଣା ପଚାରୁଛନ୍ତି। ଏପରିକି, ସେମାନଙ୍କ ସହ ଜଣେ ଯୁବକ ଭୁଲ୍‌ବଶତଃ ଧକ୍କା ହୋଇଯିବାରୁ ସେମାନେ ତାଙ୍କୁ ପାଖକୁ ଡାକି ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଖବର ପାଇ ନୂଆପଲ୍ଲୀ ଓ ସ୍ପେସାଲ୍ ସ୍କ୍ବାଡ୍‌ର ୨ଜଣ ଲେଖାଏ ୪ଟି ଟିମ୍ ବାଇକ୍‌ରେ ବାହାରିଥିଲେ। ଭିନ୍ନ ଭିନ୍ନ ଦିଗରେ ଯିବା ପରେ ସବ୍‌ଇନ୍ସପେକ୍ଟର ସତ୍ୟନାରାୟଣ ବାରିକ ଓ ଜଣେ ସ୍ପେସାଲ୍ ସ୍କ୍ବାଡ୍ କର୍ମଚାରୀ ସଂପଦ ଓ ପ୍ରଶାନ୍ତକୁ ଓମଫେଡ୍ ନିକଟରେ ଠାବ କରିଥିଲେ। ଉଭୟଙ୍କ ପାଖରେ ବନ୍ଧୁକ ଥିବାରୁ ସବ୍‌ଇନ୍ସପେକ୍ଟର୍‌ ଶ୍ରୀ ବାରିକ ଅନ୍ୟ ୩ଟିମ୍‌କୁ ଘଟଣାସ୍ଥଳକୁ ଡାକିଥିଲେ। ଠିକ୍‌ ସେହି ସମୟରେ ଦୁର୍ବୃତ୍ତଦ୍ବୟ ପୁଲିସକୁ ଦେଖି ଫେରାର୍‌ ହେବାକୁ ଚେଷ୍ଟା କରିଥିଲେ। ତେଣୁ ଶ୍ରୀ ବାରିକ ବାଧ୍ୟ ହୋଇ ଉଭୟଙ୍କ ସାମ୍ନାରେ ବାଇକ୍‌ ରଖିବା ସହିତ ସେମାନଙ୍କଠାରୁ ବନ୍ଧୁକ ଛଡ଼ାଇବାକୁ ଆରମ୍ଭ କରିଥି‌ଲେ। ସଂପଦ ନିଜ ପାଖରେ ଥିବା ୯ଏମ୍ଏମ୍ ବନ୍ଧୁକ ବାହାର କରି ପୁଲିସକୁ ଗୁଳି କରିବାକୁ ଉଦ୍ୟମ କରିଥିଲା। ମାତ୍ର ଦୁର୍ଭାଗ୍ୟବଶତଃ ବନ୍ଧୁକ ହାପ୍-କକ୍ ହୋଇଯିବାରୁ ଗୁଳି ଫୁଟି ନଥିଲା। ସେହି ସମୟରେ ଶ୍ରୀ ବାରିକ୍ ଓ ସ୍ପେସାଲ୍ ସ୍କ୍ବାଡ୍ କର୍ମଚାରୀ ସଂପଦ ପାଖରୁ ବନ୍ଧୁକ ଛଡ଼ାଇବା ସହିତ ତା’କୁ କାବୁ କରି ନେଇଥି‌ଲେ। ଏହି ଧସ୍ତାଧସ୍ତି ସମୟରେ ସଂପଦ ପାଖରେ ଥିବା ୭.୬ ଏମ୍ଏମ୍‌ର ଆଉ ଏକ ବନ୍ଧୁକରୁ ଅନେକ ଗୁଳି ଅନ୍ଧାରରେ କେଉଁଆଡ଼େ ପଡ଼ିଯାଇଥିଲା। ଅପରପକ୍ଷେ ସଂପଦ ପାଖରୁ ବନ୍ଧୁକ ଛଡ଼ାଇବାରେ ପୁଲିସ ବ୍ୟସ୍ତ ଥିବା ବେଳେ ପ୍ରଶାନ୍ତ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପୁଲିସ ତାକୁ ଖୋଜାଖୋଜି କରିଥିଲେ ବି ପତ୍ତା ପାଇ ନଥିଲା।

କାହା ସୁପାରି ନେଇଥିଲା ସଂପଦ?
ଆଇଆର୍‌ସି ଭିଲେଜରେ ରହୁଥିବା ଜଣେ ବିଲଡର୍‌ ଜୟନ୍ତ ପାତ୍ରଙ୍କୁ ହତ୍ୟା କରିବା ପାଇଁ ସଂପଦ ୨ ମାସ ତଳୁ ଭୁବନେଶ୍ବର ଆସିଥିଲା ବୋଲି ପୁଲିସ ଆଗରେ ସ୍ବୀକାର କରିଛି। କିନ୍ତୁ କିଏ ସୁପାରି ଦେଇଥିଲା, କେତେ ଟଙ୍କା ଦେଇଥିଲା, ସେ ସଂପର୍କରେ ସେ ମୁହଁ ଖୋଲି ନାହିଁ। ଫେରାର୍‌ ହୋଇଯାଇଥିବା ତା’ ସହଯୋଗୀ ପ୍ରଶାନ୍ତ ସବୁ କିଛି ଜାଣିଛି ବୋଲି ସେ ପୁଲିସକୁ କହିଛି। ସବୁ ଡିଲ୍‌ ପ୍ରଶାନ୍ତ କରିଥିଲା। କେବଳ ହତ୍ୟା ପାଇଁ ସେ ତା’ ସାଙ୍ଗରେ ଆସିଥିଲା। କାମ ପରେ ସେ ତା’ ପାଖରୁ ଟଙ୍କା ନେଇଥା’ନ୍ତା ବୋଲି ପୁଲିସକୁ କହିଛି।

ପୁଲିସ୍‌ ସୂଚନାନୁଯାୟୀ, ୨ ମାସ ତଳେ ସଂପଦ ଓ ପ୍ରଶାନ୍ତ ଭୁବନେଶ୍ବର ଆସିଥିଲେ। ସେମାନେ ବିଭିନ୍ନ ଲୋକଙ୍କଠାରୁ ଜୟନ୍ତଙ୍କ ଠିକଣା ବାବଦରେ ବୁଝିଥିଲେ। ୧୫ଦିନ ତଳେ ସେମାନେ ଜାଣିବାକୁ ପାଇଥିଲେ ଯେ ଜୟନ୍ତ ନୂଆପଲ୍ଲୀ ଅଞ୍ଚଳରେ ରହୁଛନ୍ତି। ତେଣୁ ସେମାନେ ଜୟନ୍ତଙ୍କ ଘର ଠାବ କରି ତାଙ୍କୁ ହତ୍ୟା କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଜୟନ୍ତଙ୍କ ଘରକୁ ଚିହ୍ନଟ କରିବା ପରେ ୧୫ ଦିନ ଧରି ତାଙ୍କ ଘର ଆଗରେ ପଇଁତରା ମାରିଥିଲେ। ତାଙ୍କ ଘରେ କିଏ କିଏ ରହୁଛନ୍ତି, ସେ କେତେବେଳେ ବାହାରକୁ ଯାଉଛନ୍ତି ଆଦି ସବୁ ଗତିବିଧି ଉପରେ ଦୁର୍ବୃତ୍ତଦ୍ବୟ ଟିକିନିଖି ନଜର ରଖିଥିଲେ। ଏପରିକି ଯେଉଁଦିନ ଧରାପଡ଼ିଲେ ଅର୍ଥାତ୍ ଶୁକ୍ରବାରର ୨ଦିନ ପୂର୍ବରୁ ସେମାନେ ଜୟନ୍ତଙ୍କ ଘର ଆଗରେ ପ୍ରାୟ ୪ ଘଣ୍ଟା କାଳ ଅପେକ୍ଷା କରିଥିଲେ। ହେଲେ ତାଙ୍କୁ ପାଇ ନଥିଲେ ବୋଲି ସଂପଦ ପୁଲିସକୁ କହିଛି। ତେଣୁ କିଏ ଜୟନ୍ତଙ୍କ ହତ୍ୟା ପାଇଁ ସୁପାରି ଦେଇଥିଲା, ସେ ନେଇ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।

ମୁହଁ ଖୋଲୁନାହାନ୍ତି ଜୟନ୍ତ
ଜୟନ୍ତଙ୍କୁ ମାରିବା ପାଇଁ ଯୋଜନା ହୋଇଥିବାରୁ ପୁଲିସ ତାଙ୍କୁ ଥାନାକୁ ଡାକି ଏ ସଂପର୍କରେ ଅଧିକ ତଥ୍ୟ ଜାଣିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏ ବାବଦରେ ଜୟନ୍ତ ମୁହଁ ଖୋଲୁ ନଥିବା ପୁଲିସ କହିଛି। କାହା ସହ ତାଙ୍କର ପୂର୍ବ ଶତ୍ରୁତା କିମ୍ବା ବ୍ୟବସାୟିକ ଶତ୍ରୁତା ନାହିଁ ବୋଲି ଜୟନ୍ତ ରୋକଠୋକ୍‌ ମନା କରିଦେଇଛନ୍ତି। ଜୟନ୍ତଙ୍କ ଏହି ବୟାନ ପୁଲିସ୍‌ର ମୁଣ୍ଡବିନ୍ଧା‌ ବଢ଼ାଇ ଦେଇଛି। ତେଣୁ ୨ ସୁପାରି କିଲର୍‌ ସତରେ ଜୟନ୍ତଙ୍କୁ ହତ୍ୟା କରିବାକୁ ଆସିଥିଲେ ନା ଆଉ କାହାକୁ, ସେ ନେଇ ପୁଲିସ ଦ୍ବନ୍ଦ୍ବରେ ପଡ଼ିଛି।

ଜେଲ୍‌‌ରେ ଗଢ଼ି ଉଠିଥିଲା ସଂପଦ-ପ୍ରଶାନ୍ତ ସଂପର୍କ ସଂପଦ ୧୨ବର୍ଷ ତଳେ ଏକ ଚୋରି ମାମଲାରେ ଗିରଫ ହୋଇ ଚୌଦ୍ବାର ଜେଲ୍‌ରେ ରହିଥିଲା। ସେହି ଜେଲ୍‌ରେ ପ୍ରଶାନ୍ତ ସହ ତା’ର ଦେଖା ହୋଇଥିଲା। ପ୍ରଶାନ୍ତ କଟକର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ଜେଲ୍‌ରେ ଥିବା ସମୟରେ ସଂପଦକୁ ପ୍ରଶାନ୍ତ ନିଜର ପୁରୁଣା ଶତ୍ରୁ ସଂପର୍କରେ କହିଥିଲା। ଜାମିନରେ ବାହାରିଲେ ପ୍ରଶାନ୍ତ ସହିତ ଶତ୍ରୁତା ଥିବା ଲୋକକୁ ସେ ହତ୍ୟା କରିବ ବୋଲି କହିଥିଲା। ତେଣୁ ଏହି ଡିଲ୍ ଅନୁସାରେ ପ୍ରଶାନ୍ତ ପ୍ରଥମେ ସଂପଦର ଜାମିନ୍ କରାଇବା ପରେ ନିଜେ ଜାମିନ୍‌ରେ ବାହାରିଥିଲା। ପରେ ସାଙ୍ଗ ହୋଇ ଉକ୍ତ ବ୍ୟକ୍ତିଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ପ୍ରଶାନ୍ତ ଓ ସଂପଦର ମିଳିତ ଆପରାଧିକ କାଣ୍ଡ। ଏହା ପରେ ବିଭିନ୍ନ ସମୟରେ ପ୍ରଶାନ୍ତ ଲୋକଙ୍କୁ ହତ୍ୟା କରିବା, ଅପହରଣ କରିବା, ଟଙ୍କା ଆଦାୟ କରିବା, ପ୍ରାଣାନ୍ତକ ଆକ୍ରମଣ କରିବା, ଡରାଇବା ଓ ଧମକାଇବା ଭଳି ସୁପାରି ନେବା ଆରମ୍ଭ କରିଥିଲା। ପ୍ରଶାନ୍ତ ଚୋରା ଖଣିଜଦ୍ରବ୍ୟ କାରବାର କରିବା ସହ ତାଳଚୋର, ଟାଙ୍ଗୀ ଅଞ୍ଚଳରୁ କୋଇଲା ଚୋରାରେ ଚାଲାଣ କରୁଥିଲା। ଏଥିରେ ସଂପଦ ତାକୁ ସାହାଯ୍ୟ କରୁଥିଲା। କେବଳ ସଂପଦ ନାଁରେ ପାଟକୁରା, ତିର୍ତ୍ତୋଲ, ମଙ୍ଗଳାବାଗ, ମାଲଗୋଦାମ, ବିଡ଼ାନାସୀ, ବାରଙ୍ଗ ଭଳି ଥାନାରେ ୩ଟି ହତ୍ୟା ସମେତ ଅପହରଣ, ରାହାଜାନି, ଡକାୟତି ଭଳି ୧୦ରୁ ଅଧିକ ସଂଗିନ୍ ଆପରାଧିକ ମାମଲା ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର