୪ ଦିନିଆ ରିମାଣ୍ଡରେ ସୁପାରି କିଲର୍‌ ସଂପଦ, ପ୍ରଶାନ୍ତ

ଭୁବନେଶ୍ବର : ନୂଆପଲ୍ଲୀରେ ବିଲ୍ଡର ଜୟନ୍ତ ପାତ୍ରଙ୍କୁ ହତ୍ୟା କରିବାକୁ ଆସି ଧରା ପଡ଼ିଥିବା ସୁପାରି କିଲର ସମ୍ପଦ ସାହୁ ଓ ପ୍ରଶାନ୍ତ ସାହୁକୁ ୪ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରୁ ପୁଲିସକୁ ଅନୁମତି ମିଳିଛି। ପୁଲିସ ୭ ଦିନ ରିମାଣ୍ଡ ଆବେଦନ କରିଥିବା ବେଳେ କୋର୍ଟ ୪ ଦିନ ପାଇଁ ଅନୁମତି ଦେଇଛନ୍ତି। ଏହି ୪ ଦିନରେ ପୁଲିସ ବିଲ୍‌ଡର ଜୟନ୍ତଙ୍କୁ ହତ୍ୟା କରିବାକୁ କିଏ ସୁପାରି ଦେଇଥିଲା ଓ ଏହା ପଛର କାରଣ କ’ଣ ଜା‌ଣିବାକୁ ଚେଷ୍ଟା କରିବ। କୋର୍ଟ ଚାଲାଣ କରିବା ପୂର୍ବରୁ ପୁଲିସ ଅଭିଯୁକ୍ତ ଦ୍ବୟଙ୍କୁ ମାରାଥନ୍ ଜେରା କରିଥିଲା। କିନ୍ତୁ ସେମାନଙ୍କ ଠାରୁ ଗୁମର ଖୋଲିପାରିନଥିଲା। ଏସବୁର ରହସ୍ୟ ଖୋଲିବା ପାଇଁ ନୂଆପଲ୍ଲୀ ଥାନା ପୁଲିସ ଦୁଇ ଜଣଙ୍କୁ ରିମାଣ୍ଡ ଅବଧିରେ ମାରାଥନ୍ ଜେରା କରି ବାହାର କରିବ। ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ଆଇଆର୍‌ସି ଭିଲେଜ୍‌ ସ୍ବପ୍ନେଶ୍ବର ମନ୍ଦିର ନିକଟରୁ ପୁଲିସ ସମ୍ପଦକୁ ଗିରଫ କରିଥିଲା। ତା ନିକଟରୁ ୨ଟି ବନ୍ଧୁକ, ୮ ରାଉଣ୍ଡ ଗୁଳି ଜବତ କରାଯାଇଥିଲା। କିନ୍ତୁ ପ୍ରଶାନ୍ତ ସେଠାରୁ ଫେରାର ହୋଇଯାଇଥିଲା। ଗତ ୩ ତାରିଖରେ କଟକ ଟାଙ୍ଗୀରୁ ପ୍ରଶାନ୍ତକୁ ଗିରଫ କରିଥିଲା ପୁଲିସ।

ସମ୍ବନ୍ଧିତ ଖବର