ଭୁବନେଶ୍ୱର : ବିଲଡ୍‌ର ଜୟନ୍ତ ପାତ୍ରଙ୍କ ହତ୍ୟା ପାଇଁ ସୁପାରି ନେଇଥିବା ପ୍ରଶାନ୍ତ ସାହୁ କମିସନରେଟ୍‌ ପୁଲିସ ହାତରେ ଧରାପଡ଼ିଛି। ନୂଆପଲ୍ଲୀ ଥାନା ପୁଲିସର ୨ଟି ଟିମ୍‌ ଗୁରୁବାର ବିଳମ୍ବିତ ରାତିରେ ପ୍ରଶାନ୍ତକୁ ଖୋର୍ଧା ଟାଙ୍ଗୀ ଅଞ୍ଚଳରୁ ଗିରଫ କରିଛି। ପ୍ରଶାନ୍ତ ଟାଙ୍ଗୀସ୍ଥିତ ତା’ ଘରେ ଲୁଚିଥିବା ଖବର ପାଇ ଟାଙ୍ଗୀ ପୁଲିସ ସହାୟତାରେ କମିସନରେଟ୍ ପୁଲିସର ୨ଟି ଟିମ୍‌ ସେଠାରେ ଚଢ଼ଉ କରି ତାକୁ ଧରିଥିଲା। ଶୁକ୍ରବାର ଦିନ ତାକୁ ନୂଆପଲ୍ଲୀ ଥାନାକୁ ଅଣାଯିବା ପରେ ଜେରା କରାଯାଇଛି। ଏପରିକି ରିମାଣ୍ଡ‌‌ରେ ଆସିଥିବା ତା’ର ସହଯୋଗୀ ସଂପଦ ସହ ମୁହାଁମୁହିଁ ଜେରା କରାଯାଇଥିବା ଜଣାଯାଇଛି। କିନ୍ତୁ ଘନଘନ ଜେରା ସତ୍ତ୍ବେ ଦୁହେଁ ପୁଲିସ ଆଗରେ ପାଟି ଫିଟାଇନାହାନ୍ତି। କିଏ ଓ କେତେ ଟଙ୍କା‌ରେ ସୁପାରି ଦେଇଥିଲା, ଏପରିକି କାହାକୁ ହତ୍ୟା ପାଇଁ ସୁପାରି ଦିଆଯାଇଥିଲା; ସେ ସଂପର୍କରେ ଦୁହେଁ ମୁହଁ ଖୋଲି ନାହାନ୍ତି। ଫଳରେ ପ୍ରଶାନ୍ତ ଧରାପଡ଼ିବା ପରେ ଏହି ମାମଲାର ପର୍ଦ୍ଦାଫାସ ହୋଇଯିବ ବୋଲି ପୁଲିସ ଯେଉଁ ଆଶା ବାନ୍ଧି ବସିଥିଲା, ତାହା ବିଫଳ ହୋଇଯାଇଥିବା କୁହାଯାଉଛି। ସେହିପରି ଜୟନ୍ତ ବି ତଦନ୍ତରେ ପୁଲିସ୍‌କୁ ସହଯୋଗ କରୁ ନଥିବାରୁ ପୁଲିସର ମୁଣ୍ଡବଥା ବଢ଼ିଯାଇଛି। ତେଣୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଧରାପଡ଼ିଥିଲେ ହେଁ ଏହି ମାମଲାରେ ତଦନ୍ତକୁ କେମିତି ଆଗକୁ ବଢ଼ାଇବ, ସେନେଇ ପୁଲିସ ଦ୍ବନ୍ଦ୍ବରେ ପଡ଼ି ଯାଇଛି।

Advertisment

ଏନ୍‌ଏସ୍‌ଏ ଆବେଦନ କରିବ କମିସନରେଟ୍‌ ପୁଲିସ୍‌
‌‌ଚୌଦ୍ୱାର ଜେଲ୍‌ରୁ ଚିହ୍ନା ପରିଚୟ ହୋଇଥିବା ପ୍ରଶାନ୍ତ ଓ ସଂପଦ ଦୁଇ କୁଖ୍ୟାତ ଅପରାଧୀ। ସେମାନେ ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍ଥାନରେ ଆପରାଧିକ ଘଟଣା ଘଟାଇବା ପରେ ନିଜ ନିଜ ଘରୋଇ ଜିଲ୍ଲାକୁ ଆତ୍ମଗୋପନ ପାଇଁ ପଳାନ୍ତି। ତେଣୁ ପୁଲିସ ସହଜରେ ଏମାନଙ୍କ ଟେର୍‌ ପାଇ ପାରେନାହିଁ। ତେଣୁ ଦୁହିଁଙ୍କୁ କମିସନରେଟ୍‌ ଅଞ୍ଚଳରେ ପୂରାଇ ନଦେବାକୁ ଯୋଜନା କରିଛି ପୁଲିସ। ଦୁହିଁଙ୍କ ବିରୋଧରେ ପୁଲିସ୍‌ ଏନ୍‌ଏସ୍‌ଏ ଆବେଦନ କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ସଂପଦ ନାଁ’ରେ ୧୦ରୁ ଅଧିକ ଆପାରାଧିକ ମାମଲା ଥିବା ବେଳେ ୩ଟି ହତ୍ୟାକାଣ୍ଡରେ ସାମିଲ ଥିବା ଜଣାପଡ଼ିଛି। ସେହିଭଳି ପ୍ରଶାନ୍ତ ନାଁ’ରେ ୧୪ଟି ଡକାୟତି ମାମଲା ରହିଛି। ଉଭୟଙ୍କ ପାଖରୁ ଅନେକଥର ବନ୍ଧୁକ ମଧ୍ୟ ଜବତ କରାଯାଇଛି। ତେଣୁ ଏହି ୨ଜଣଙ୍କୁ ତଡ଼ିପାର୍ କରିବାକୁ ନୂଆପଲ୍ଲୀ ଥାନା ଧିକାରୀ ଶରତ କୁମାର ସାହୁ ପୁଲିସ କମିସନରଙ୍କୁ ଆବେଦନ କରିବେ ବୋଲି ଜଣାପଡ଼ିଛି।

publive-image

ପ୍ରଶାନ୍ତ ନାଁ’ରେ ୧୪ ଡକାୟତି ମାମଲା
ପ୍ରଶାନ୍ତର ଅପରାଧ କେବଳ କୋଇଲା କି ଖଣି ଚୋରା କାରବାରରେ ସୀମିତ ନୁହେଁ, ସେ ଜଣେ ପେସାଦାର ଡକାୟତ ବୋଲି ଜଣାପଡ଼ିଛି। ଜାତୀୟ ରାଜପଥରେ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ବିଭିନ୍ନ ଟ୍ରକ୍‌କୁ ହାଇଜାକ୍ କରି କୋଇଲାକୁ ଚୋରା ଚାଲାଣ କରିବାରେ ସେ ମାହିର୍‌। ପ୍ରଶାନ୍ତ ନାଁ’ରେ ରାଜ୍ୟର ବିଭିନ୍ନ ଥାନାରେ ଖାଲି ୧୪ଟି ଡକାୟତି ମାମଲା ରହିଛି। ଜଗତପୁର ଥାନାରେ ୪ଟି, ଟାଙ୍ଗୀରେ ୨ଟି, ମାହାଙ୍ଗାରେ ୩ଟି, ତିର୍ତ୍ତୋଲ ଓ ଚୌଦ୍ବାର ଥାନାରେ ମାମଲା ରହିଛି। ଏହା ବ୍ୟତୀତ ବନ୍ଧୁକ ଚୋରା କାରବାରରେ ମଧ୍ୟ ତା’ର ହାତ ଥିବା ଜଣାପଡ଼ିଛି।

ପୋଷା କୁକୁର ପାଇଁ ଯୋଜନା ବଦଳେଇଲା ପୁଲିସ
ଗୁରୁବାର ସକାଳୁ ନୂଆପଲ୍ଲୀ ପୁଲିସ ଖବର ପାଇଥିଲା ଯେ ପ୍ରଶାନ୍ତ ଟାଙ୍ଗୀସ୍ଥିତ ଘରେ ଲୁଚିଛି। ଥାନାଧିକାରୀ ପ୍ରଥମେ ଟାଙ୍ଗୀ ଥାନାକୁ ଯୋଗାଯୋଗ କରି ପ୍ରଶାନ୍ତକୁ ଧରିବା ପାଇଁ ଏକ ଯୋଜନା କରିଥିଲେ। ଯୋଜନା ଅନୁସାରେ ସନ୍ଧ୍ୟା ୬ଟା ବେଳେ ନୂଆପଲ୍ଲୀରୁ ୨ଟି ଟିମ୍ ଟାଙ୍ଗୀ ଅଭିମୁଖେ ବାହାରିଥିଲା। ସେମାନେ ପହଞ୍ଚିବା ପରେ ସାଧାରଣ ଲୋକଙ୍କ ବେଶରେ ଯାଇ ପ୍ରଶାନ୍ତ ଘରେ ଅଛି କି ନାହିଁ ଦେଖିଥିଲେ। ପ୍ରଶାନ୍ତ ଘରେ ଥିବା ଜାଣିବା ପରେ ପୁଲିସ ରାତି ୧୨ଟା ପରେ ଅପରେସନ୍‌ ଆରମ୍ଭ କରିବ ବୋଲି ସ୍ଥିର କରିଥିଲା। ପରେ ବିଳମ୍ବିତ ରାତିରେ ଉଭୟ ନୂଆପଲ୍ଲୀ ଓ ଟାଙ୍ଗୀ ଥାନା ପୁଲିସ ଚଢ଼ଉ କରିଥିଲେ। ସେମାନେ ପ୍ରଶାନ୍ତ ଘରେ ପହଞ୍ଚିବା ବେଳକୁ ଆଶ୍ଚର୍ଯ୍ୟଜନକ ଭାବେ ଘରର ସବୁ କବାଟ ଓ ଝରକା ଖୋଲାଥିଲା ଏବଂ ଘରେ ଲାଇଟ୍ ଜଳୁଥିଲା। ବାହାରେ ପ୍ରଶାନ୍ତର ୩ରୁ ୪ଟା ପୋଷା କୁକୁର ବନ୍ଧା ହୋଇଥିଲେ। ଘରେ କେହି ପଶିବା ମାତ୍ରେ କୁକୁର ଭୋକିବ ଓ ପ୍ରଶାନ୍ତ ପଛ ପଟ ଜଙ୍ଗଲ ଦେଇ ଖସିଯିବ। ତେଣୁ ଶେଷ ମୁହୂର୍ତ୍ତରେ ପୁଲିସ ଯୋଜନା ବଦଳାଇଥିଲା। ଜଙ୍ଗଲ ଭିତରେ ପ୍ରାୟ ୧କିମି ଚାଲି ଚାଲି ଆସିବା ପରେ ପୁଲିସ ବାଡ଼ି ପଟୁ ପ୍ରଶାନ୍ତ ଘରେ ପଶିଥିଲା। ସନ୍ଧ୍ୟା ସାଢ଼େ ୬ଟାରୁ ଆରମ୍ଭ ହୋଇଥିବା ଏହି ଅପରେସନ୍‌ ଦୀର୍ଘ ୯ ଘଣ୍ଟା ପରେ ଅର୍ଥାତ୍ ଭୋର୍ ପ୍ରାୟ ସାଢ଼େ ୩ଟାରେ ଶେଷ ହୋଇଥିଲା।