ରିମାଣ୍ଡରେ ସୁପାରି କିଲର ସଂପଦ ଓ ପ୍ରଶାନ୍ତ: ଟାର୍ଗେଟ୍‌ରେ ନଥିଲେ ଜୟନ୍ତ!

ଭୁବନେଶ୍ୱର : ନୂଆପଲ୍ଲୀ ଆଇଆର୍‌ସି ଭିଲେଜ ଅଞ୍ଚଳରୁ ଗିରଫ ହୋଇଥିବା ସୁପାରି କିଲର ସଂପଦ ସାହୁ ଓ ପ୍ରଶାନ୍ତ ଦାସଙ୍କୁ ପୁଲିସ ୪ ଦିନିଆ ରିମାଣ୍ଡରେ ଆଣିଛି। ଗିରଫ ବେଳେ ପୁଲିସକୁ ଭୁଆଁ ବୁଲାଉଥିବା ଦୁଇ ପେସାଦାର ଅପରାଧୀ ଏବେ ରିମାଣ୍ଡ ବେଳେ ଖସିବା ବାଟ ପାଉନଥିବା ଜଣାପଡ଼ିଛି। ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ଘନଘନ ଜେରା ସେମାନଙ୍କୁ ସତ ଉଗାରିବାକୁ ବାଧ୍ୟ କରୁଛି। ମାତ୍ର ସେମାନେ ପେସାଦାର ହୋଇଥିବାରୁ ସବୁ ସତ ବାହାର କରିବା ସହଜ ହେଉନାହିଁ ବୋ‌ଲି ଜଣାପଡ଼ିଛି। ତଥାପି କିଛି ଗୁମର ପଦାକୁ ଆସିଗଲାଣି ଓ ବାକିତକ ମଧ୍ୟ ସେମାନଙ୍କଠାରୁ ଆଦାୟ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସୂଚନାନୁସାରେ ଘନଘନ ଜେରା ପରେ ଜଣାପଡ଼ିଛି ଯେ ଏହି ମାମଲାରେ ସଂପଦ ହିଁ ମୁଖ୍ୟ କାର୍ପଟଦାର। ସେ ନିଜେ ହତ୍ୟାକାଣ୍ଡ ପାଇଁ ସୁପାରି ଆଣିଥିଲା ଓ ପ୍ରଶାନ୍ତକୁ ସହଯୋଗୀ ଭାବେ ସାଙ୍ଗରେ ଆଣିଥିଲା। ମାତ୍ର ସେ ପ୍ରଥମେ ଧରାପଡ଼ିଯିବାରୁ ପ୍ରଶାନ୍ତ ଉପରେ ସବୁଦୋଷ ଲଦି ଦେବାକୁ ବସିଥିଲା। ପ୍ରଶାନ୍ତ ଉପରେ ଦୋଷ ଲଦି ସେ ମାମଲାକୁ ଅଧିକ ରହସ୍ୟମୟ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ମାତ୍ର ପ୍ରଶାନ୍ତ ଧରାପଡ଼ିଯିବା ପରେ ସଂପଦର ସବୁ ଯୋଜନା ଫସର ଫାଟିଯାଇଛି।

ତେଣୁ ବାଧ୍ୟ ହୋଇ ସେ ଏବେ ଧୀରେଧୀରେ ସତ ଉଗାରିବା ଆରମ୍ଭ କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସଂପଦର ଟାର୍ଗେଟ୍‌ରେ ବିଲ୍‌ଡର୍‌ ଜୟନ୍ତ ନଥିଲେ। ଜୟନ୍ତଙ୍କ ଘର ପାଖରେ ଆଉ ଜଣକୁ ହତ୍ୟା କରିବାକୁ ସେମାନେ ଆସିଥିଲେ। ହତ୍ୟାକାଣ୍ଡ ପୂର୍ବରୁ ଧରାପଡ଼ିଗଲେ, ଜୟନ୍ତଙ୍କ ନାଁ’ ନେଇ ମାମଲାକୁ ଗୋଳମାଳିଆ କରିବା ଯୋଜନା କରିଥିଲେ। କେବଳ ସେତିକି ନୁହେଁ, ଜୟନ୍ତଙ୍କ ନାଁ ନେଲେ ପୁଲିସ ତଦନ୍ତ ବାଟବଣା ହେବ ବୋଲି ସେମାନେ ଚାଲ୍‌ କରିଥିଲେ। ଫଳରେ ସୁପାରିଦାତା ଜଣାପଡ଼ିବ ନାହିଁ କି ସେମାନେ ପରେ ମାମଲାରେ ଫସିବେ ନାହିଁ ବୋଲି ଯୋଜନା କରିଥିଲେ। ମାତ୍ର ଏବେ ସେମାନଙ୍କ ଯୋଜନା ଫସର ଫାଟିବାକୁ ଯାଉଛି ବୋଲି ପୁଲିସ ଆଶା ବାନ୍ଧିଛି।

ଅପରପକ୍ଷରେ ଏପର୍ଯ୍ୟନ୍ତ ପୁଲିସ ଜାଲରୁ ବାହାରେ ଥିବା ସୁପାରିଦାତା ସଂପଦ ଓ ପ୍ରଶାନ୍ତକୁ ମାମଲାରୁ ଖସାଇବାକୁ ବ୍ୟୁହ ରଚନା କରିଚାଲିଛି। ଏବେ ନୂଆପଲ୍ଲୀ ଥାନାକୁ କିଛି ଆଇନଜୀବୀ ସଂପଦକୁ ଦେଖା କରିବା ପାଇଁ ଧାଡ଼ି ବାନ୍ଧିଥିବା ଦେଖିବାକୁ ମିଳୁଛି। ଓକିଲଙ୍କୁ ଦେଖିଲେ ସଂପଦ ସାହସ ପାଇବ ଓ ପୁଲିସ ଆଗରେ ସତ ଉଗାରିବ ନାହିଁ ବୋଲି ସୁପାରିଦାତା ଯୋଜନା କରୁଥିବା ଜଣାପଡ଼ିଛି। କିନ୍ତୁ ପୁଲିସ ସଂପଦ ଓ ପ୍ରଶାନ୍ତକୁ କାହା ସହିତ ସାକ୍ଷାତ କରାଇ ଦେଉନାହିଁ। ସେମାନଙ୍କୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି।

ସମ୍ବନ୍ଧିତ ଖବର