ସୁପାରି କିଲର୍‌ଙ୍କ ପସନ୍ଦ ବିହାର ବନ୍ଧୁକ, ମୁଙ୍ଗେର୍‌ରୁ ଲମ୍ବିଛି ଚେର

ଆଜିଠୁ ସମ୍ପଦର ଦୁଇଦିନିଆ ରିମାଣ୍ଡ, ଫେରାର୍‌ ପ୍ରଶାନ୍ତ କୋଇଲା ବେପାରୀ

ଭୁବନେଶ୍ବର: ଓଡ଼ିଆ ସୁପାରି କିଲର ଓ କୁଖ୍ୟାତ ଅପରାଧୀମାନଙ୍କ ପ୍ରଥମ ପସନ୍ଦ ହେଉଛି ବିହାର ବନ୍ଧୁକ। ବିହାର ଛଡ଼ା ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରୁ ବନ୍ଧୁକ ଓଡ଼ିଶାକୁ ଆମଦାନି ହେଉଛି। କିନ୍ତୁ ଦାମ୍ ଓ କାମ ଅନୁସାରେ ବିହାର ବନ୍ଧୁକର ଚାହିଦା ଅଧିକ। ବହୁ ପୂର୍ବରୁ ଭୁବନେଶ୍ବର ଓ ଓଡ଼ିଶାର ଅନ୍ୟାନ୍ୟ ବହୁ ସହରକୁ ଆସୁଛି ବିହାର ବନ୍ଧୁକ। ବିହାର ମୁଙ୍ଗେର ହେଉଛି ଏହି ବନ୍ଧୁକର କାରଖାନା ଓ ସେଠାରୁ ଚେର ଲମ୍ବିଛି ଓଡ଼ିଶାକୁ। ଓଡ଼ିଶାରେ ମଧ୍ୟ ଦେଶୀ ବନ୍ଧୁକ ତିଆରି ହେଉଛି। କିନ୍ତୁ ଅପରାଧ ବଜାରରେ ବିହାର ବନ୍ଧୁକ ସହ ପ୍ରତିଯୋଗିତା କରିପାରୁନାହିଁ ଓଡ଼ିଶା ଦେଶୀ ବନ୍ଧୁକ। ଓଡ଼ିଶା ତିଆରି ବନ୍ଧୁକ ୫ ହଜାର ଟଙ୍କା ଭିତରେ ମିଳିଯାଉଛି। କିନ୍ତୁ ବିହାର ବନ୍ଧୁକର ଦାମ ୨୫ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ପଡ଼ୁଛି। ତଥାପି କୁଖ୍ୟାତ ଅପରାଧୀ ବିଶେଷକରି ସୁପାରି କିଲରମାନଙ୍କ ପସନ୍ଦ ହେଉଛି ମୁଙ୍ଗେର ମାଲ୍। ଅଧିକ ଦାମ୍‌ ହେଲେ ବି ବିନା ବିଫଳତାରେ କାମ କରୁଥିବାରୁ ଅପରାଧୀମାନେ ତାହାକୁ କିଣୁଛନ୍ତି। ଗତକାଲି ନୂଆପଲ୍ଲୀ ଥାନା ପୁଲିସ ହାତରେ ଧରାପଡ଼ିଥିବା ସୁପାରି କିଲର ସମ୍ପଦଠାରୁ ଜବତ ହୋଇଥିବା ମୁଙ୍ଗେର ବନ୍ଧୁକ ଘଟଣାରୁ ଏହା ସ୍ପଷ୍ଟ ହୋଇଛି।

ଆଇଆର୍‌ସି ଭିଲେଜରେ ରହୁଥିବା ଜନୈକ ଠିକାଦାରଙ୍କୁ ହତ୍ୟା କରିବା ପାଇଁ ସୁପାରି ନେଇ ସମ୍ପଦ ଆସିଥିଲା। ପୁଲିସ ହାତରେ ଧରାପଡ଼ିବା ପରେ ତା’ଠାରୁ ୨ଟି ବନ୍ଧୁକ ଜବତ ହୋଇଥିଲା। ସେଥିମଧ୍ୟରୁ ୯ ଏମ୍‌ଏମ୍‌ ବନ୍ଧୁକଟି ବିହାରର ମୁଙ୍ଗେରରୁ ଆଣିଥିଲା ବୋଲି ସେ ପୁଲିସକୁ କହିଛି। ଗତ କିଛି ବର୍ଷ ପୂର୍ବେ ସେ ବାରଙ୍ଗରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିବା ପରେ ଜେଲ୍‌ ଯାଇଥିଲା। ସେତେବେଳେ ବି ତା’ଠାରୁ ବିହାର ବନ୍ଧୁକ ଜବତ ହୋଇଥିଲା। ଜାମିନରେ ଆସିବା ପରେ ପ୍ରଶାନ୍ତ ତାକୁ ଏହି ସୁପାରି ଯୋଗାଇଥିଲା। ଏଥିପାଇଁ ସେ ପୁଣି ମୁଙ୍ଗେରରୁ ୪୦ ହଜାର ଟଙ୍କା ଦେଇ ଏହି ବନ୍ଧୁକ କିଣିଥିଲା ବୋଲି ମାନିଛି। ତେବେ ଜବତ ହୋଇଥିବା ଅନ୍ୟ ୭.୬ ଏମ୍‌ଏମ୍‌ ବନ୍ଧୁକଟି ଜଣେ ସାଙ୍ଗଠାରୁ ମାଗିକି ଆଣିଥିବା କହିଛି। କାଳେ ବିହାର ବନ୍ଧୁକରେ କିଛି ସମସ୍ୟା ହେବ, ସେହି ଆଶଙ୍କାରେ ସେ ଏହି ଓଡ଼ିଶା ତିଆରି ବନ୍ଧୁକ ଆଣିଥିଲା ବୋଲି କହିଛି।

ସୂଚନାନୁସାରେ ଚଳିତ ବର୍ଷ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏସ୍‌ଟିଏଫ୍ ଚଢ଼ଉ କରି ୨୦ରୁ ଅଧିକ ଦେଶୀ ଓ ବିଦେଶୀ ବନ୍ଧୁକ ଏବଂ ୫୦ରୁ ଅଧିକ ଅଫୁଟା ଗୁଳି ଜବତ କରିଛି। ସେହିଭଳି କମିସନରେଟ ପୁଲିସ ମଧ୍ୟ ଭୁବନେଶ୍ବରର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ଉ କରି ବନ୍ଧୁକ ଜବତ କରିଛି। ସୂତ୍ର ମୁତାବକ ଯେତିକି ବନ୍ଧୁକ ଜବତ ହୋଇଛି, ତା’ର ବହୁ ଗୁଣା ଅଧିକ ବନ୍ଧୁକ ଏବେ ଅପରାଧୀଙ୍କ ପାଖରେ ମହଜୁଦ ଅଛି। ପୂର୍ବ ଶତ୍ରୁତା, ବଟି, ବ୍ୟାବସାୟିକ ପ୍ରତିଯୋଗିତା ପାଇଁ ଅନେକ ସମୟରେ ଏସବୁ ବ୍ୟବହାର ହେଉଛି ଓ ମୁଣ୍ଡ ଗଡ଼ୁଛି। ଏବେ ନିଶା ମାଫିଆମାନେ ପାଖରେ ବନ୍ଧୁକ ରଖୁଛନ୍ତି। ସେହିଭଳି ଚୋରା ଖଣିଜଦ୍ରବ୍ୟ ଚାଲାଣକାରୀ ଓ ଗୋଚାଲାଣକାରୀମାନେ ବି ଏସକର୍ଟ ପାଇଁ ବନ୍ଧୁକ ରଖୁଛନ୍ତି। ବହୁ ମାମଲାରେ ପୁଲିସ ଘଟଣାର ସତ୍ୟାସତ୍ୟ ଜାଣୁଥିଲେ ମଧ୍ୟ ଚେର ପର୍ଯ୍ୟନ୍ତ ଯାଉନାହିଁ। ବନ୍ଧୁକ ଚାଲାଣକାରୀଙ୍କୁ ଠାବ କରିପାରୁନାହିଁ। ରାଜଧାନୀର କିଛି ଅପହଞ୍ଚ ସ୍ଥାନରେ ଏହି କାରବାର ଡିଲ୍‌ ହେଉଛି। ଖଣ୍ଡଗିରି ଓ ଉଦୟଗିରି ନିକଟସ୍ଥ ଅବ୍ୟବହୃତ ବସ୍‌ ଡିପୋ ଏଥିମଧ୍ୟରୁ ଗୋଟିଏ ସ୍ଥାନ ବୋଲି ଜଣାପଡ଼ିଛି।

ଆଜିଠୁ ସମ୍ପଦର ଦୁଇଦିନିଆ ରିମାଣ୍ଡ, ଫେରାର୍‌ ପ୍ରଶାନ୍ତ କୋଇଲା ବେପାରୀ
ଭୁବନେଶ୍ବର: ରାଜଧାନୀରେ ବିଲ୍ଡରଙ୍କୁ ହତ୍ୟା କରିବାକୁ ଆସି ପୁଲିସ ହାତରେ ଧରାପଡ଼ିଥିବା ସୁପାରିକିଲର ସମ୍ପଦ ସାହୁକୁ ଆସନ୍ତାକାଲି(ମଙ୍ଗଳବାର) ଠାରୁ ଦୁଇ ଦିନିଆ ରିମାଣ୍ଡରେ ଆଣିବ ପୁଲିସ। ୫ ଦିନିଆ ରିମାଣ୍ଡ ଆବେଦନ କରିଥିବା ନୟାପଲ୍ଲୀ ଥାନା ପୁଲିସକୁ ଦୁଇ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି। କାହିଁକି ଓ କିଏ ହତ୍ୟା କରିବାକୁ ପଠାଇଥିଲା ତାହାର ଖୋଳତାଡ଼ କରିବ ପୁଲିସ। ସେହିପରି ଫେରାର ଥିବା ସମ୍ପଦର ସହଯୋଗୀ ପ୍ରଶାନ୍ତ ଜଣେ କୋଇଲା ବେପାରୀ ବୋଲି ଜଣାପଡ଼ିଛି। ତାକୁ ଧରିବା ପାଇଁ ପୁଲିସର ଏକ ଟିମ୍ ଚଢ଼ାଉ ଜାରି ରଖିଛି। ସୂଚନାଯୋଗ୍ୟ, ଦୁଇଦିନ ତଳେ ନୟାପଲ୍ଲୀ ସ୍ବପ୍ନେଶ୍ବର ମନ୍ଦିର ନିକଟରେ ବନ୍ଧୁକ ଧରି ବୁଲୁଥିବା ସମ୍ପଦ ଓ ତାର ସହଯୋଗୀ ସମ୍ପର୍କରେ ଖବର ପାଇଥିଲା ପୁଲିସ। ପୁଲିସ ଚଢ଼ଉ ବେଳେ ସମ୍ପଦ ଧରାପଡ଼ିଥିଲା। ଖସି ପଳାଇଥିଲା ପ୍ରଶାନ୍ତ। ବିଲ୍ଡର ଜୟନ୍ତ ପାତ୍ରଙ୍କୁ ହତ୍ୟା କରିବାକୁ ଆସିଥିଲା ବୋଲି ସମ୍ପଦ ଠାରୁ ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର