ଭୁବନେଶ୍ବର: କୌଣସି ସିଏଚ୍ସି, ପିଏଚ୍ସି କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୁହେଁ, ଏମ୍ସ ଭୁବନେଶ୍ବରର ହୃଦ୍ରୋଗ(କାର୍ଡିଓଲୋଜି), ବୃକକ୍(ନେଫ୍ରୋଲୋଜି) ଏବଂ ପେଟରୋଗ ଅସ୍ତ୍ରୋପଚାର (ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟରଲୋଜି) ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ମେଡିକାଲ ଅଧୀକ୍ଷକ ଏଫ୍ଏମ୍ଟି ପ୍ରଫେସର ଏସ୍ଏନ୍ ମହାନ୍ତି ବିଭାଗୀୟ ମୁଖ୍ୟ ଦାୟିତ୍ବରେ ଅଛନ୍ତି। ଦୁଇ ଜଣ ପ୍ରଫେସର ଥାଇ ଶିଶୁ ଶଲ୍ୟ ବିଭାଗୀୟ ମୁଖ୍ୟ ଦାୟିତ୍ବ କାର୍ଯ୍ୟନିର୍ବାହୀ ନିର୍ଦେଶକଙ୍କୁ ଦିଆଯାଇଛି। ଏମ୍ସ ପକ୍ଷରୁ ଜାରି ବିଭାଗୀୟ ମୁଖ୍ୟ ତାଲିକାରେ ଏହା କୁହାଯାଇଛି।
ଏହି ବିଭାଗମାନଙ୍କରେ ପ୍ରଫେସର ଥାଇ ମଧ୍ୟ ଅଣ କ୍ଲିନିକାଲ୍ ବିଭାଗର ପ୍ରଫେସରଙ୍କୁ ଏକକାଳୀନ ୩ ଗୁରୁତ୍ବପୂର୍ଣ୍ଣ ବିଭାଗର ବିଭାଗୀୟ ମୁଖ୍ୟ ଦାୟିତ୍ବ କାହିଁକି ଦିଆଯାଇଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ସୂଚନା ଅନୁଯାୟୀ, ହୃଦ୍ରୋଗ ବିଭାଗରେ ୨ ଜଣ ସହକାରୀ ପ୍ରଫେସର ଅଛନ୍ତି। ଏମାନଙ୍କ ମଧ୍ୟରୁ ସହକାରୀ ପ୍ରଫେସର ଦେବାଶିଷ ଦାସଙ୍କ ନାଁ ଓ୍ବେବ୍ସାଇଟ୍ରେ ହୃଦ୍ରୋଗ ବିଭାଗୀୟ ମୁଖ୍ୟ ଭାବରେ ମଧ୍ୟ ଉଲ୍ଲେଖ ଥାଏ।
କିନ୍ତୁ ବାସ୍ତବରେ ୨୦୧୮ ମସିହାରୁ ଅଧୀକ୍ଷକ ଏହାର ବିଭାଗୀୟ ମୁଖ୍ୟ ଭାବରେ ଦାୟିତ୍ବ ନିର୍ବାହ କରୁଛନ୍ତି। ନିକଟରେ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ୪ ବିଭାଗର ମୁଖ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଅନ୍ତିମ ସ୍ବାସ୍ଥ୍ୟ ରିପୋର୍ଟରେ ମଧ୍ୟ ସେମାନେ ହସ୍ତାକ୍ଷର କରିଥିଲେ। ବୃକକ୍ ଓ ହୃଦ୍ରୋଗ ରିପୋର୍ଟରେ ବିଭାଗୀୟ ମୁଖ୍ୟ ବଦଳରେ ଅନ୍ୟ ଡାକ୍ତର ହସ୍ତାକ୍ଷର କରିଥିଲେ। ଏମ୍ସର ଏହି ବ୍ୟବସ୍ଥା ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ବୃକକ୍ ଓ ପେଟରୋଗ ଅସ୍ତ୍ରୋପଚାର ବିଭାଗରେ ଯୋଗ୍ୟ ଡାକ୍ତର ଥାଇ ମଧ୍ୟ ଅଧୀକ୍ଷକ ଏହାର ମୁଖ୍ୟ ଅଛନ୍ତି। ପୂର୍ବତନ ନିର୍ଦେଶକ ଗୀତାଞ୍ଜଳୀ ବିଙ୍କ ସମୟରୁ ଶିଶୁ ଶଲ୍ୟ ବିଭାଗରେ ନିର୍ଦେଶକ ଏହାର ବିଭାଗୀୟ ମୁଖ୍ୟ ଅଛନ୍ତି। ବର୍ତ୍ତମାନର କାର୍ଯ୍ୟନିର୍ବାହୀ ନିର୍ଦେଶକ ଏହାକୁ ବଦଳାଇ ନାହାନ୍ତି।