ଅନ୍ଧବିଶ୍ବାସ ବଢ଼ାଉଛି ସାପ କାମୁଡ଼ାଜନିତ ମୃତ୍ୟୁ

ବର୍ଷକରେ ସାପ କାମୁଡ଼ା ନେଇଛି ୮୦୦ ଜୀବନ, ଗବେଷଣା କରିବ ଏମ୍‌ସ

ଭୁବନେଶ୍ବର: ଗୋଟିଏ ବର୍ଷରେ ସାପ କାମୁଡ଼ା ନେଇଛି ୮୦୦ ଜୀବନ। ୨୦୨୦ ମସିହାରେ ଏକ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ବିଭିନ୍ନ ପ୍ରକାର ଭ୍ରାନ୍ତ ଧାରଣା ଏବଂ ଅନ୍ଧବିଶ୍ବାସ ଜନିତ। ଏହି ମୃତ୍ୟୁ ସଂଖ୍ୟା ହ୍ରାସ, ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ଏମ୍‌ସ ଫରେନସିକ ମେଡିସିନ ଆଣ୍ଡ ଟକ୍ସିକୋଲୋଜି ବିଭାଗର ଅତିରିକ୍ତ ପ୍ରଫେସର ସୁଦୀପ୍ତ ରଞ୍ଜନ ସିଂ, ଡାକ୍ତର ମନୋଜ ମହାନ୍ତିଙ୍କ ନେତୃତ୍ବରେ ଗଠିତ ଟିମ୍‌ ଏହାର ଗବେଷଣା କରିବେ। ଏଥିରେ ସେମାନଙ୍କୁ ସହଯୋଗ କରିବ ସ୍ନେକ ହେଲ୍ପ ଲାଇନ।

ଏସଂକ୍ରାନ୍ତରେ ବୈଠକ ଉଭୟଙ୍କ ମଧ୍ୟରେ ହୋଇଛି। ସ୍ନେକ ହେଲ୍ପ ଲାଇନର ସ୍ବେଚ୍ଛାସେବୀମାନଙ୍କୁ ମଧ୍ୟ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଛି। କୌଣସି ବ୍ୟକ୍ତିଙ୍କୁ ସାପ କାମୁଡ଼ି ଥିବା ବେଳେ ଅଚାନକ ଆଉ ଜଣେ ସୁସ୍ଥ ବ୍ୟକ୍ତି ମୁହଁରେ ସାପ କାମୁଡ଼ା ସ୍ଥାନରୁ ବିଷ ବାହାର କରାଇ ତାଙ୍କୁ ସୁସ୍ଥ କରି ଦେଉଛି। ଚଳଚ୍ଚିତ୍ର କିମ୍ବା ଧାରାବାହିକରେ ଦେଖାଯାଉଥିବା ଏହି ଦୃଶ୍ୟ ଅତି ସାଧାରଣ। ସେହିଭଳି ଗାଁରେ ସାପ କାମୁଡ଼ା ବ୍ୟକ୍ତିଙ୍କୁ ପରିବାର ଲୋକେ ପ୍ରଥମେ ଗୁଣିଆ ପାଖକୁ ନେଇ ଯାଆନ୍ତି। ଏହିଭଳି ଅନ୍ଧବିଶ୍ବାସ ଯୋଗୁଁ ପୀଡ଼ିତ ବ୍ୟକ୍ତିର ଡାକ୍ତରଖାନା ଆସିବାକୁ ଡେରି ହୁଏ। ଶେଷରେ ତାଙ୍କର ମୃତ୍ୟୁ ହୁଏ। ତେଣୁ ଏହି ଅନ୍ଧବିଶ୍ବାସ ଦୂର କରିବା ଲକ୍ଷ୍ୟରେ ଏମ୍‌ସ ପକ୍ଷରୁ ଗବେଷଣା କରାଯାଉଥିବା କହିଛନ୍ତି ଅତିରିକ୍ତ ପ୍ରଫେସର ଶ୍ରୀ ସିଂ। ଏଥିପାଇଁ ଭୁବନେଶ୍ବରର ୪୦୦ ଲୋକଙ୍କୁ ନେଇ ନମୁନା ସର୍ଭେ କରାଯିବ। ଯେଉଁମାନଙ୍କ ଘରୁ ସାପ ଉଦ୍ଧାର ହୋଇଥିଲା ସେମାନଙ୍କୁ ଏହି ସର୍ଭେରେ ପ୍ରାଥମିକତା ଦିଆଯିବ। ସେମାନଙ୍କୁ ସାପ କାମୁଡ଼ିଛି କି, ସାପ କାମୁଡ଼ିଲେ କ’ଣ କରନ୍ତି, କ’ଣ କରିବା ଉଚିତ ଆଦିକୁ ନେଇ ପ୍ରଶ୍ନ ପଚରାଯିବ। ସାପକୁ ନେଇ ଯେଉଁ ଅନ୍ଧବିଶ୍ବାସ ରହିଛି ତାକୁ ଖୋଜିବାହିଁ ଏହି ସର୍ଭେର ଲକ୍ଷ୍ୟ। ଏଥିସହିତ ସଚେତନତା ପତ୍ର ଦିଆଯିବ। ଜୁଲାଇ କିମ୍ବା ଅଗଷ୍ଟ ସୁଦ୍ଧା ସୁଦ୍ଧା ରିପୋର୍ଟ ପ୍ରକାଶିତ ହେବ।

ସମ୍ବନ୍ଧିତ ଖବର